ଲକ୍ଷେ ଲୋକଙ୍କ ନମୁନା ପରୀକ୍ଷା ପାଇଁ ଉଦ୍ୟମ, ସିବିନାଟ୍ ମେସିନରେ ହେବ କୋଭିଡ୍ ପରୀକ୍ଷା : ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା(ଇମିସ): ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଟିବି ଟେଷ୍ଟ କରାଯାଉଥିବା ସିବିନାଟ୍ ମେସିନରେ କୋଭିଡ୍ ଟେଷ୍ଟ କରାଯିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଅନୁମତି ମାଗିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି। ରାଜ୍ୟ ସରକାର ରେପିଡ୍ ଟେଷ୍ଟ ମାଧ୍ୟମରେ ଲକ୍ଷେ ଲୋକଙ୍କର  ଯେପରି ଟେଷ୍ଟ କରି ପାରିବେ ସେ ନେଇ ବ୍ୟାପକ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଘରୋଇ ସଂସ୍ଥାରେ କୋଭିଡ୍ ପରୀକ୍ଷା ପାଇଁ ଆଇସିଏମ୍ଆର୍ ଅନୁମତି ଦେବାକୁ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଥିଲେ। ମାତ୍ର କେନ୍ଦ୍ର ସରକାର ଏବେ ତାଙ୍କର ଗାଇଡଲାଇନ ବଦଳାଇ ଦେଇଛନ୍ତି । ଏବେ ଏମ୍ସ ଭୁବନେଶ୍ବର ନିର୍ଦ୍ଦେଶକ ଏହାର ଅନୁମତି ଦେବେ। ଖୁସିର କଥା ଆଜି ବ୍ରହ୍ମପୁର ମେଡ଼ିକାଲ କଲେଜରେ ପରୀକ୍ଷା ଆରମ୍ଭ ହୋଇଯାଇଥିବା ବେଳେ ବୁର୍ଲାରେ ଆସନ୍ତା କାଲି ଆନୁସାଙ୍ଗିକ କାମ ସଂପୂର୍ଣ୍ଣ ହେବା ପରେ ତାପର ଦିନ ଏହାକୁ ଅନୁମତି ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଲେଖିବ। ତେବେ କିଛି ସାମାଜିକ ଗଣମାଧ୍ୟମ ବୁର୍ଲାରେ ପରୀକ୍ଷା ହୋଇ ପାରିବ ନାହିଁ ବୋଲି ଲେଖିଥିବା କଥାକୁ ମନ୍ତ୍ରୀ ଖଣ୍ଡନ କରିଥିଲେ ଓ ରାଜ୍ୟର କିମ୍ସ, ସମ୍ ଓ ହାଇଟେକ୍ ମେଡ଼ିକାଲ କଲେଜକୁ ମଧ୍ୟ କୋଭିଡ୍ ପରୀକ୍ଷା ପାଇଁ ଅନୁମତି ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର