ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆସନ୍ତା ୨୦ ତାରିଖରୁ ସ୍ଥାନୀୟ ଇଡ୍କଲ୍ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯାଉଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରକାଶକମାନେ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି ପୁସ୍ତକ ମହୋତ୍ସବରେ ୩୦୦ରୁ ଅଧିକ ଷ୍ଟଲ୍ ରହିବ। ଏଥିରେ ରାଜ୍ୟ ତଥା ଦେଶର ଖ୍ୟାତନାମା ପ୍ରକାଶକମାନେ ଯୋଗଦେବେ। ପଡ଼ୋଶୀ ନେପାଳ, ମାଳଦ୍ବୀପ ଓ ଭୁଟାନ୍ ଆଦି ଦେଶରୁ ପ୍ରକାଶକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହି ପୁସ୍ତକ ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଷ୍ଟଲ୍। ବହିଗୁଡ଼ିକ ଆକର୍ଷଣୀୟ ରିହାତିରେ ଉପଲବ୍ଧ ହେବ।
ଏହାର କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତ୍ୟେକ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ମେହାତ୍ସବ ଖୋଲା ରହିବ। ୨୦ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। ୨୧ ତାରିଖ ସଭାରେ ସରସ୍ବତୀ ସମ୍ମାନପ୍ରାପ୍ତ ଅହମିୟା ଲେଖକ ଡ. ଲକ୍ଷ୍ମୀନନ୍ଦନ ବୋରା, ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ଡ. କମଳାକାନ୍ତ ମିଶ୍ର, ୨୨ରେ ପଦ୍ମଭୂଷଣ ଡ. ରମାକାନ୍ତ ରଥ, ୨୩ରେ ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର, ୨୪ରେ ଡ. ପ୍ରତିଭା ରାୟ, ୨୫ରେ ସାହିତ୍ୟିକ ସାତକଡ଼ି ହୋତା, ବିଶିଷ୍ଟ ବଙ୍ଗଳା ଲେଖିକା ବୀଣା ବସୁ, ୨୬ରେ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ପ୍ରସିଦ୍ଧ ମରାଠୀ ଲେଖକ ରଙ୍ଗନାଥ ପଠାରେ, ୨୭ରେ ପ୍ରସିଦ୍ଧ ହିନ୍ଦୀ ଲେଖକ ଗୋବିନ୍ଦ ମିଶ୍ର ଓ ଉଦ୍ଯାପନୀ ସନ୍ଧ୍ୟାରେ ଖାତିସଂପନ୍ନ ଲେଖକ ଓ ଚିନ୍ତକ ଡ. ମନୋଜ ଦାସ, ଜାତୀୟ ବହି ମେଳାର ଅଧ୍ୟକ୍ଷ ତ୍ରିଜୀବ୍ ଚାର୍ଟାଜୀ ପ୍ରମୁଖ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।