ଛତିଶଗଡ଼ରୁ ରେଳ ଚଳାଚଳ ବନ୍ଦ ଲାଗି କେନ୍ଦ୍ରକୁ ଅନୁରୋଧ କଲା ଓଡ଼ିଶା

ଭୁବନେଶ୍ବର : ଛତିଶଗଡ଼ରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବାରୁ ଏହି ରାଜ୍ୟରୁ ରେଳ ଚଳାଚଳ ବନ୍ଦ ପାଇଁ ପୁଣି ଥରେ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର।  ଛତିଶଗଡ଼ରୁ ଓଡ଼ିଶାକୁ ଆସୁଥିବା ଟ୍ରେନଗୁଡ଼ିକୁ ଅତି କମରେ ୧୫ ଦିନ ବନ୍ଦ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ବର୍ତ୍ତମାନ ୧୮ଟି ସ୍ବତନ୍ତ୍ର ଟ୍ରେନ ଛତିଶଗଡ଼ରୁ ଓଡ଼ିଶା ମଧ୍ୟରେ ଚଳାଚଳ କରୁଛି ।

ଚଳିତ ମାସ ଆରମ୍ଭରେ ଓଡ଼ିଶା ସରକାର କରିଥିବା ଅନୁରୋଧକୁ ରେଳ ବୋର୍ଡ ପ୍ରତ୍ୟାଖ୍ୟାନ କରିଦେଇଥିଲା । ଛତିଶଗଡ଼ରୁ ଆସୁଥିବା ଯାତ୍ରୀମାନଙ୍କୁ ଓଡ଼ିଶା ସରକାର ଠିକଭାବେ ଯାଞ୍ଚ କରିବାର ବ୍ୟବସ୍ଥା କରନ୍ତୁ ବୋଲି ରେଳବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା ଗତ ୯ ତାରିଖରେ ଓଡ଼ିଶା ସରକାରଙ୍କୁ ଜଣାଇଦେଇଥିଲେ । ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଶ୍ରୀ ଶର୍ମା ଜଣାଇଥିଲେ ଯେ ମାର୍ଚ୍ଚ ୨୩ରେ ଆସିଥିବା ଗୃହମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ରେଳ ଚଳାଚଳ ଜାରି ରହିବ । ଏ ପ୍ରସଙ୍ଗରେ ଓଡ଼ିଶା ସରକାର ଗୃହମନ୍ତ୍ରାଳୟ ସହ ଯୋଗାଯୋଗ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ । ଏହାପରେ ଆଜି ମୁଖ୍ୟଶାସନ ସଚିବ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ଓଡ଼ିଶାର ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର