ଓଡ଼ିଶା ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର : ୭ ଦଫା ଦାବି ନେଇ ଆଜି ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ତରଫରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ଶତାଧିକ କର୍ମକର୍ତ୍ତା ମାଷ୍ଟରକ୍ୟାଷ୍ଟିନଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ସଂଘ ତରଫରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସଂଘର ସାଧାରଣ ସମ୍ପାଦକ ସବିତା ଗଡ଼ନାୟକ, ସଂଗଠନ ସମ୍ପାଦକ ସୋମନାଥ ଭୋଇ, ପ୍ରଶାନ୍ତ କୁମାର ବିଶ୍ୱାଳ, ଧନଞ୍ଜୟ ପଶାୟତ ଓ ଭାରତୀୟ ମଜଦୁର ସଂଘର ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏହି ନୀତିକୁ ସମାଲୋଚନା କରିଥିଲେ। ସଂଘ ଦାବିଗୁଡ଼ିକ ଯଥା ଶୀଘ୍ର ପୂରଣ କରାନଗଲେ, ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘର ସଭାପତି ବସନ୍ତ କୁମାର ସାହୁ ଚେତାବନୀ ଦେଇଛନ୍ତି।

ଅଲ ଓଡ଼ିଶା ବେକାରୀ ଶିକ୍ଷକ ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର : ୧୨ ଦଫା ଦାବି ନେଇ ଅଲ ଓଡ଼ିଶା ବେକାରୀ ଶିକ୍ଷକ ସଂଘ ପକ୍ଷରୁ ଲୋୟର ପିଏମଜିଠାରେ ଚାଲିଥିବା ଧାରଣାକୁ ଦୁଇ ଦିନ ବିତିଥିଲେ ମଧ୍ୟ ସରକାର ଦୃଷ୍ଟି ଦେଇନାହାନ୍ତି ବୋଲି ସଂଘ ଅଭିଯୋଗ କରିଛି। ସଂଘର ନିଷ୍ପତ୍ତିିକ୍ରମେ ଗତ ଜୁନ ୨୫ ତାରିଖରେ ସ୍ୱତନ୍ତ୍ର ପ୍ୟାକେଜରେ ଶିକ୍ଷକ ନିଯୁକ୍ତି ଦାବି ନେଇ ଲୋୟର ପିଏଜିଠାରେ ଗଣଧାରଣା ଦିଆଯାଇଥିଲା। ଧାରଣାର ଅନ୍ତିମ ଦିବସ ଅର୍ଥାତ୍‌ ଜୁଲାଇ ୪ ତାରିଖରେ ସଂଘ ସରାକରଙ୍କ ଦ୍ୱାରସ୍ଥ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପ୍ରଦୀପ କୁମାର ମାହାପାତ୍ର ଦାବିଗୁଡ଼ିକୁ ସମର୍ଥନ ଜଣାଇଥିଲେ ଓ ଖୁବ ଶୀଘ୍ର ଦାବିଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ଦୁଇ ମାସ ବିତି ଯାଇଥିଲେ ହେଁ ଏହାର କିଛି ସୁଫଳ ମିଳିନାହିଁ ବୋଲି ସଂଘର ତରଫରୁ କୁହାଯାଇଛି। ଯେ ପର୍ଯ୍ୟନ୍ତ ସରକାର ସଂଘର ସମସ୍ତ ଦାବି ପୂରଣ କରିନାହାନ୍ତି, ସଂଘ ଗଣଧାରଣାରେ ବସି ରହିବ ବୋଲି ସଭାପତି ଗୋପବନ୍ଧୁ ମୁଦୁଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର