ଅଫିସର ସଙ୍କଟ ନା ଭରସା ପାଉନି?

ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ବିଭାଗ ସଚିବ କା’ରେ, କିଛି ଅଫିସରଙ୍କ ହାତରେ ପୁଳା ପୁଳା ବିଭାଗ, କେତେବେଳେ କେଉଁଠି ବସୁଛନ୍ତି, ଜଣାନାହିଁ

ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଦୋହଲିଗଲାଣି। ସରକାର ଡିଜିଙ୍କୁ ବଦଳାଇବା ପାଇଁ ବାଟ ଖୋଲି ସାରିଲେଣି। ଏଣେ କା’ରେ ଚାଲିଛି ଗୃହ ବିଭାଗ। ଉନ୍ନୟନ କମିସନର ପଦବି ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ୍ ଅଫିସର ଅସିତ କୁମାର ତ୍ରିପାଠୀଙ୍କୁ ସରକାର ଗୃହ ବିଭାଗର ଅତିରିକ୍ତ ଦାୟିତ୍ବରେ ରଖିଛନ୍ତି।

ମହିଳାଙ୍କ ବିକାଶ ଉପରେ ସରକାର ସର୍ବାଧିକ ଗୁରୁତ୍ବ ଦେଉଥିବା କହୁଛନ୍ତି। କିନ୍ତୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ବି ନିୟମିତ ସଚିବ ନିଯୁକ୍ତି ଦିଆଯାଇନାହିଁ। ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ତାଙ୍କ ମୂଳ ବିଭାଗ ସହିତ ଅତିରିକ୍ତ ଭାବେ ଏହି ବିଭାଗର ଦାୟିତ୍ବ ତୁଲାଉଛନ୍ତି।

ରାଜ୍ୟ ସରକାରଙ୍କ ଟିକସ ଆଦାୟ କ୍ଷେତ୍ରରେ ଏକ ବଡ଼ ଭୂମିକା ନେଇଥାନ୍ତି ବାଣିଜ୍ୟକର କମିସନର। ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସରକାର େସଠାରେ ନିଯୁକ୍ତି େଦଇଛନ୍ତି। ସେ ସ୍ବତନ୍ତ୍ର ରିଲିଫ୍ କମିସନର ଓ ଓସ୍‌ଡମା ପରିଚାଳନା ନିର୍ଦେଶକ ଭଳି ଦାୟିତ୍ବ ତୁଲାଉଛନ୍ତି। ବାଣିଜ୍ୟକର କମିସନ ପଦବିକୁ ନ୍ୟାୟ ମିଳୁଛି?

ସିସିଆର ମିଳୁନାହିଁ େବାଲି ୨୦୦୦ ବ୍ୟାଚ୍ ଆଇଏଏସ୍ ଅଫିସର ଟି ଆପାଙ୍ଗ ଆଓ ଏଯାଏ କମିସନର ପାହ୍ୟାକୁ ଉନ୍ନୀତ େହାଇପାରି ନାହାନ୍ତି। ରାଜ୍ୟ ସରକାର ତାଙ୍କୁ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ (ଇନଚାର୍ଜ) ଦାୟିତ୍ବ ଦେଇଛନ୍ତି। ତଥାପି ମନ ମାନିଲା ନାହିଁ। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଦାୟିତ୍ବ ମଧ୍ୟ ତାଙ୍କୁ ଧରାଇ ଦିଆଯାଇଛି। ରାଜ୍ୟରେ କଣ ଏହି ପାହ୍ୟାର ଅଫିସର ଆଉ ନାହାନ୍ତି? ଜଣେ ଏକ ସମୟରେ ବ୍ରହ୍ମପୁର ଓ ସମ୍ବଲପୁରରେ ଅଫିସ କେମିତି କରିବେ? ସରକାର ଯଦି ଏହି ପଦବିର ଗୁରୁତ୍ବ ନାହିଁ େବାଲି ଭାବୁଛନ୍ତି, ତେବେ ଉଚ୍ଛେଦ
କରିଦେଉନାହାନ୍ତି?

ଏହି ଦୁଇ ଚାରିଟି ଉଦାହରଣରେ ଅଫିସର ନିଯୁକ୍ତି ଅବ୍ୟବସ୍ଥା ସୀମିତ ନାହିଁ। ରାଜ୍ୟରେ ଆଇଏଏସ୍ ଅଫିସର ନିଯୁକ୍ତି ପ୍ରକ୍ରିୟାକୁ ନିରେଖି ଦେଖିଲେ, ଏକଥା ଜଳ ଜଳ େହାଇ ଦିଶୁଛି େଯ ସରକାର କାହିଁକି କେଜାଣି ହାତଗଣତି କିଛି ଅଫିସରଙ୍କୁ ମାତ୍ରାଧିକ ଭରସା କରୁଛନ୍ତି। ସେମାନଙ୍କ ହାତରେ ପୁଳା ପୁଳା ଦାୟିତ୍ବ ଅଜାଡ଼ି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତରଦାୟିତ୍ବର କଥା କହୁଛନ୍ତି। ପ୍ରତି ମାସରେ ମନ୍ତ୍ରୀ, ସଚିବଙ୍କ କାର୍ଯ୍ୟ ସମୀକ୍ଷା କରିବେ ବୋଲି କହିଛନ୍ତି। ଯଦି ହାତ ଗଣତି କିଛି ଅଫିସର ଏତେ ସବୁ ଦାୟିତ୍ବ ତୁଲାଇଦେବେ, ତେବେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏତେ ସଂଖ୍ୟକ ଅଫିସରଙ୍କୁ ରଖିଛନ୍ତି କାହିଁକି?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ଦେଢ଼ମାସର କାର୍ଯ୍ୟ ଉପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ େହଉଛି, କେଉଁଠି ନା େକଉଁଠି ସ୍ଥାଣୁତା ଆସିଗଲାଣି। େଗାଟିଏ େଗାଷ୍ଠୀ ଅପେକ୍ଷା କରୁଛନ୍ତି େଯ ନୂଆ ସରକାର ଅଦଳବଦଳ କରିବେ। ଆଉ େଗାଟିଏ େଗାଷ୍ଠୀ ମୁହଁ ଶୁଖାଉଛନ୍ତି, େଯତେ ଭଲ କାମ କଲେ ବି ସରକାରରେ ପୁରସ୍କାର ନାହିଁ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ୨୩୭ଟି ଆଇଏଏସ୍ ପଦବିକୁ ଅନୁେମାଦନ ମିଳିଛି। ଏମାନଙ୍କ ମଧ୍ୟରୁ େକନ୍ଦ୍ରୀୟ ଡେପୁଟେସନରେ ୫୧ ଜଣ ଯିବା କଥା। ବିଭିନ୍ନ ନିଗମ ଆଦି ରାଜ୍ୟ ଡେପୁେଟସନ ପଦବି େକ୍ଷତ୍ରରେ ୩୨ଜଣ ନିଯୁକ୍ତି ପାଇପାରିବେ। ବାସ୍ତବତା ହେଲା, େକନ୍ଦ୍ରୀୟ ଡେପୁଟେସନକୁ ମିଶାଇଲେ, ଏବେ ରାଜ୍ୟରେ ପାଖାପାଖି ୧୮୦ ଜଣ ଅଧିକାରୀ ଅଛନ୍ତି। ରାଜ୍ୟରେ ଥିବା ୧୨୯ଟି ପଦବି ପାଇଁ ଏତିକି ଅଫିସର ଯଥେଷ୍ଟ।

ହେଲେ ଅଫିସର ନିଯୁକ୍ତି ପ୍ରକ୍ରିୟା ଏମିତି ଢଙ୍ଗରେ ହେଉଛି େଯ କିଛି ପ୍ରଶାସକଙ୍କ ହାତରେ େମଞ୍ଚେ, ଆଉ କାହା ହାତରେ କାମ ନାହିଁ। ପ୍ରଶ୍ନ ଉଠୁଛି, ଯଦି ଅଫିସର ଦାୟିତ୍ବବାନ ନୁହନ୍ତି, ଦକ୍ଷତା ପ୍ରଦର୍ଶନ କରିପାରୁନାହାନ୍ତି, ସରକାର ତାଙ୍କୁ କମ୍ ଦରମା ଦେଉନାହାନ୍ତି କି କୌଣସି ସୁବିଧା ସୁେଯାଗରୁ ବଞ୍ଚିତ କରାଯାଉନାହିଁ। ସଂପୃକ୍ତ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଲାଗି ପଦକ୍ଷେପ େନବା ବଦଳରେ ନିଯୁକ୍ତି େକ୍ଷତ୍ରରେ ଅଣଦେଖା କରି କି ବାର୍ତା େଦଉଛନ୍ତି? ବ୍ୟବସ୍ଥା ବଦଳିଲେ, କମ୍ ଦକ୍ଷ ଅଧିକାରୀ କଣ ରାତାରାତି େଯାଗ୍ୟତା ସମ୍ପନ୍ନ େହାଇଯାଉଛନ୍ତି? ସେମାନଙ୍କୁ ପରବର୍ତୀ ସମୟରେ ହଠାତ୍ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳୁଛି କେମିତି? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ସଚିବାଳୟ କରିଡରରେ ଆେଲାଚନାର ବିଷୟ ପାଲଟିଛି।

ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ଲକ୍ଷ୍ମୀ ନାରାୟଣ ଗୁପ୍ତା ସ୍ବେଚ୍ଛାକୃତ ଅବସର େନଇଛନ୍ତି। ସରକାର ଏମ୍ଏସ୍‌ଏମ୍‌ଇ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ କୌଣସି ବରିଷ୍ଠ ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ ଦେବାକୁ ଚାହିଁନାହାନ୍ତି। ବରଂ ଏମିତି ହିଁ କାର୍ଯ୍ୟ ଚାପରେ ଥିବା ଶିଳ୍ପ ସଚିବ ସଂଜୀବ ଚୋପ୍ରାଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ବ ଦିଆଯାଇଛି। ସେ ଓଏମ୍‌ସି ସମେତ ଇପିକଲ୍ ଆଦି ସଂସ୍ଥାର ମୁଖିଆ ଅଛନ୍ତି।

ରାଜ୍ୟରେ ବିଦ୍ୟୁତ ସେବାକୁ ନେଇ େଲାକଙ୍କ ଅସନ୍ତୋଷ କାହିଁରେ କେତେ। ଫନି ବିପର୍ଯ୍ୟୟ ଶକ୍ତି ବିଭାଗର ହୁଗୁଳାପଣକୁ ପଦାରେ ପକାଇ ଦେଇଛି। ହେଲେ ଗୁରୁତ୍ବପୂର୍ଣ୍ଣ ଏହି ବିଭାଗ କିନ୍ତୁ କା’ରେ ଚାଲିଛି। ଗ୍ରିଡକୋ ଅଧ୍ୟକ୍ଷ େହମନ୍ତ ଶର୍ମା ଓପିଟିସିଏଲ୍ ଦାୟିତ୍ବରେ ଅଛନ୍ତି। ବଣ୍ଟନ କଂପାନିଗୁ଼ଡିକର ବି ସେ ମୁଖିଆ। ଏହା ସହିତ ତାଙ୍କୁ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସୂଚନା ଓ େଲାକସଂପର୍କ ବିଭାଗର ମଧ୍ୟ ଏକା ସ୍ଥିତି। ବରିଷ୍ଠ ଆଇଏଏସ୍ ସଂଜୟ ସିଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ଅଛନ୍ତି। ତାଙ୍କ ହାତରେ ଏବେ ସୂଚନା ଓ େଲାକସଂପର୍କ ବିଭାଗ ସହିତ ଇଡକୋ ଅତିରିକ୍ତ ଭାବେ ରହିଛି। ରାଜ୍ୟରେ ପର୍ଯ୍ୟଟନ ବିଭାଗରେ ନିୟମିତ ସଚିବ ନାହାନ୍ତି। କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ହାତରେ ଅତିରିକ୍ତ ଭାବେ ଏହି ବିଭାଗ ଧରାଇ ଦିଆଯାଇଛି। ସେ ଓଡ଼ିଶା ଜଳବିଦ୍ୟୁତ ନିଗମ ଦାୟିତ୍ବରେ ବି ଅଛନ୍ତି।

କେବଳ ଏତିକିରେ ଏଭଳି ନିଯୁକ୍ତି ବ୍ୟବସ୍ଥା ଅଟକିନାହିଁ। େକନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ ସାମଲ, ଗୁରୁତ୍ବପୂର୍ଣ୍ଣ ପରିବହନ କମିସନର ଦାୟିତ୍ବ ତୁଲାଉଛନ୍ତି। ପୂର୍ତ ବିଭାଗର ନିୟମିତ ସଚିବ ନାହାନ୍ତି। ସମବାୟ ସଚିବ କ୍ରିଷନ୍ କୁମାର ଅତିରିକ୍ତ ଭାବେ ଏହି ଦାୟିତ୍ବରେ ଅଛନ୍ତି। ଭିନିଲକ୍ରିଷ୍ଣା କ୍ରୀଡ଼ା ନିର୍ଦେଶକ, ସ୍ମାର୍ଟ ସିଟି ଏମ୍‌ଡି, ଓଏମସି ଏମ୍‌ଡି। େପ୍ରମଚନ୍ଦ୍ର ଚୌଧୁରୀ ଭୁବନେଶ୍ବର ମହାନିଗମ କମିସନର, ବିଡିଏ ଉପାଧ୍ୟକ୍ଷ, ସ୍ମାଟ୍ ସିଟି ସିଇଓ ବି।

ଗତ ପାଞ୍ଚବର୍ଷ ଧରି ବରିଷ୍ଠ ଆଇଏଏସ୍ ଅଫିସର ଦେଓରଜଂନ ସିଂ ପଞ୍ଚାୟତିରାଜ ବିଭାଗ ଦାୟିତ୍ବରେ। ସେହିଭଳି ନଗର ଉନ୍ନୟନ ବିଭାଗ ଦାୟିତ୍ବ ଜି ମାଥିଭାଥନନ୍‌ଙ୍କ ହାତରେ େଢର୍ ବର୍ଷ ହେଲା ରହିଲାଣି। ସେ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ବ ବି ତୁଲାଉଛନ୍ତି।

େଗାଟିଏ ମହଲ ଯୁକ୍ତି କରୁଛନ୍ତି, ଏଭଳି ନିଯୁକ୍ତି ଫଳରେ କି ସମନ୍ବୟ ରକ୍ଷା େହାଇପାରୁଛି ? କେଉଁ ସଚିବ, କେଉଁ ଅଫିସରେ କେତେବେଳେ ରହିବେ? କିଛି ବିଭାଗରେ ନିୟମିତ ସଚିବଙ୍କ ପାଇଁ କଣ କାମ ନାହିଁ? ଏଭଳି ବିଭାଗର ତାଲିକା ସରକାର ପ୍ରକାଶ କରିଦେବା ଦରକାର।

ଏମିତି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନିେର୍ଦଶ କାର୍ଯ୍ୟକାରୀ େହାଇପାରିବ ତ?

ସମ୍ବନ୍ଧିତ ଖବର