ଏନ୍‌ସିଟିଇ ଅନୁମତି ଲୋଡ଼ି‌ଲା ଓଡ଼ିଶା

ଭୁବନେଶ୍ବର : ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୧୫ଟି ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନ ତଥା ବିଏଡ୍‌ କଲେଜରେ ନାମଲେଖା ଉପରେ ନ୍ୟାସନାଲ କାଉନ୍‌ସିଲ୍‌ ଅଫ୍‌ ଟିଚର ଏଜୁକେସନ(ଏନ୍‌ସିଟିଇ) ପକ୍ଷରୁ କଟକଣା ଜାରି ହୋଇଥିଲା। ଯେଉଁଥିପାଇଁ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇ ବାହାର ରାଜ୍ୟ ଉପରେ ନିର୍ଭର କରିଥିଲେ। ତେବେ ୨୦୨୧-୨୨ ଶିକ୍ଷାବର୍ଷରୁ ଉକ୍ତ ୧୫ଟି ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ସମସ୍ତ ସରକାରୀ ବିଏଡ୍‌ କଲେଜ ଇତି ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିଛି ଏବଂ ଜୁନ୍‌ ପହିଲାରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଛି। ତେଣୁ ୨୦୨୧-୨୨ ଶିକ୍ଷାବର୍ଷରୁ ଉକ୍ତ ୧୫ଟି ଶିକ୍ଷା ତାଲିମ ପ୍ରତିଷ୍ଠାନରେ ନାମଲେଖା ଲାଗି ଅନୁମତି ଦେବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ଏନ୍‌ସିଟିଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ଆବଶ୍ୟକ ଅଧ୍ୟାପକ ନ ଥିବାରୁ ଉକ୍ତ ୧୫ଟି ପ୍ରତିଷ୍ଠାନରେ ୨୦୨୦-୨୧ରେ ନାମଲେଖା ବନ୍ଦ ହୋଇଥିଲା। ତେବେ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଶିକ୍ଷାନୁଷ୍ଠାନଗୁଡ଼ିକ ଆସିବା ପରେ ପଦ ପୂରଣ ଦିଗରେ ପଦ‌କ୍ଷେପ ନିଆଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକର ୩୮୫ଟି ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ପୂରଣ ଲାଗି ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ଙ୍କୁ ଚିଠି ଲେଖାଯାଇଛି। ଓପିଏସ୍‌ସି ପକ୍ଷରୁ ଏନେଇ ପ୍ରକ୍ରିୟା ବି ଆରମ୍ଭ ହୋଇସାରିଛି। ତେବେ କରୋନା ମହାମାରୀ ପାଇଁ ସାମାନ୍ୟ ବିଳମ୍ବ ହୋଇଛି। ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ତାଲିମ୍‌ ଦିଆଯାଇଥାଏ। ତେବେ ଗତବର୍ଷ ଅନୁମତି ନ ମିଳିବା ହେତୁ ରାଜ୍ୟକୁ ଆବଶ୍ୟକ ତାଲିମପ୍ରାପ୍ତ ଶିକ୍ଷକ ମିଳିବା କଷ୍ଟକର ହୋଇପଡ଼ିଛି। ତେଣୁ ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ଅତିଥି ଅଧ୍ୟାପକରେ ପାଠପଢ଼ା ଲାଗି ଅନୁମତି ଦିଆଯାଉ। ୨୦୨୧-୨୨ ଶିକ୍ଷାବର୍ଷରୁ ବିଏଡ୍‌ ଓ ଏମ୍.ଏଡ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁମତି ପ୍ରଦାନ କରିବାକୁ ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର