ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଅମିନ ସଂଘ: ୧ରୁ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ

ଭୁବନେଶ୍ବର : ଅମିନମାନଙ୍କୁ ଗ୍ରେଡ୍‌ ପେ ୧୮୦୦ରୁ ୨୮୦୦ କରିବା, ଚୁକ୍ତିଭିତ୍ତିକ ଅମିନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଜବଚାର୍ଜ ମୁତାବକ କାମ ଯୋଗାଇଦେବା, ପଦବି ଅମିନ ପରିବର୍ତ୍ତେ ଭୂନିରୀକ୍ଷକ କରିବା, ଶିକ୍ଷାଗତ ଯୋଗ୍ୟତା +୨ ପରିବର୍ତ୍ତେ +୩ କରିବା ଆଦି ବିଭିନ୍ନ ଦାବି ସଂପର୍କରେ ଗତ ୧୦ ବର୍ଷ ହେବ ସଂଘ ସରକାରଙ୍କୁ ଅବଗତ କରାଇଛି। ଏନେଇ ସରକାର ବିଭିନ୍ନ ସମୟରେ ସଂଘର ପ୍ରତିନିଧିଙ୍କୁ ଡାକି ଆଲୋଚନା କରୁଛନ୍ତି। ତେବେ ଗତ ଅକ୍ଟୋବର ୬ ତାରିଖରେ ସରକାର ପ୍ରତିନିଧି ମଣ୍ଡଳୀଙ୍କୁ ଡାକି ଦାବି ଉପରେ ଆଲୋଚନା କରିଥିଲେ। ଆଉ ମାସକ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ୪ମାସ ବିତିଯାଇ ଥିଲେ ମଧ୍ୟ ସରକାର ଏ ଯାଏଁ କୌଣସି ପଦକ୍ଷେପ ନେଇ ନାହାନ୍ତି। ‌ତେଣୁ ଅମିନମାନେ ଆସନ୍ତା ୧ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ ଜଣାଇବେ। ଏହା ସତ୍ତ୍ବେ ସରକାର ନ ‌ଚେତିଲେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହ ଲୋୟର ପିଏମ୍‌ଜିରେ ଧାରଣା ଦିଆଯିବ‌ ବୋଲି ସଂଘ ଚେତାବନୀ ଦେଇଛି। ଆଜି ସଂଘ ପକ୍ଷରୁ କର୍ମଚାରୀ ଭବନରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ମନୋଜ କୁମାର ଦାଶ ଓ ସମ୍ପାଦକ ପଙ୍କଜ କୁମାର ନାୟକ ଏଭଳି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର