‘ହିନ୍ଦୁସ୍ତାନ ନିର୍ମାଣ ଦଳ’ର କାର୍ଯ୍ୟକର୍ତ୍ତା ସମ୍ମିଳନୀ

କଟକ : ‘‘ଆମେ ହିଁ ଦେବୁ ଅଯୋଧ୍ୟାରେ ରାମ, କୃଷକଙ୍କୁ ଦାମ୍‌, ଯୁବକଙ୍କୁ କାମ, ସୈନିକଙ୍କୁ ମାନ, ବ୍ୟାପାରିଙ୍କୁ ସମ୍ମାନ। ଏଥର ଜନତାଙ୍କ ସରକାର।’’ ଏଭଳି ଧ୍ବନିରେ ଆଜି ବାଲିଯାତ୍ରା ଉପର ପଡ଼ିଆ ପ୍ରକମ୍ପିତ ହୋଇଥିଲା। ରାଷ୍ଟ୍ରବାଦୀ ନେତା ପ୍ରବୀଣ ତୋଗାଡ଼ିଆ ନିଜ ହାତଗଢା ଦଳ ‘ହିନ୍ଦୁସ୍ତାନ ନିର୍ମାଣ ଦଳ’ ଓଡ଼ିଶା ଶାଖାର ଘୋଷଣା ଏହିଠାରୁ କରିବା ସହିତ କେନ୍ଦ୍ରର ମୋଦୀ ସରକାର ଉପରେ ପ୍ରବଳ ବର୍ଷିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିମଧ୍ୟରୁ କେଉଁଥିରେ ବି ସେ ସଫଳ ହୋଇନାହାନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇପାରି ନଥିଲା ବେଳେ ପାକିସ୍ତାନ ଆମ ଆଗରେ ଆଣ୍ଠେଇବା ପରିବର୍ତ୍ତେ ଭାରତୀୟ ଯବାନଙ୍କୁ ହତ୍ୟା କରୁଛି। ହେଲେ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି। କୃଷକମାନଙ୍କ କ୍ଷେତ୍ରରେ ସ୍ବାମୀନାଥନ ଆୟୋଗ ଏପର୍ଯ୍ୟନ୍ତ ଲାଗୁ ହୋଇପାରିଲା ନାହିଁ। ଚାଷୀଙ୍କୁ ଫସଲର ଉଚିତ୍‌ ଦାମ୍‌ ମଧ୍ୟ ମିଳିପାରିଲାନି। ତେଣୁ ଏହି ସରକାରକୁ ବର୍ଜନ କରି ପ୍ରକୃତ ହିନ୍ଦୁମାନଙ୍କ ସରକାରକୁ ନିର୍ବାଚନରେ ଜିତାଇବାକୁ ତୋଗାଡ଼ିଆ ଆହ୍ବାନ କରିଛନ୍ତି।

ବାଲିଯାତ୍ରା ପଡ଼ିଆରେ ଆୟୋଜିତ ‘ହିନ୍ଦୁସ୍ତାନ ନିର୍ମାଣ ଦଳ’ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ତୋଗାଡ଼ିଆ ତାଙ୍କ ଅଭିଭାଷଣରେ ମୋଦୀଙ୍କୁ ଆକ୍ଷେପ କରି କହିଛନ୍ତି ଯେ ଭାରତୀୟଙ୍କ ପ୍ରତି ମୋଦୀଙ୍କର ଭଲ ପାଇବା ନାହିଁ। ତିନି ତଲାକ ଉପରେ ଯେତେ ଗୁରୁତ୍ବ ଦିଆଗଲା, ରାମ ମନ୍ଦିର ନିର୍ମାଣ କିମ୍ବା ପାକିସ୍ତାନକୁ ନିଚା ଦେଖାଇବା ଭଳି କୌଣସି କାର୍ଯ୍ୟ ଉପରେ ଧ୍ୟାନ ଦିଆଗଲାନି। ହିନ୍ଦୁମାନଙ୍କୁ ସମ୍ମାନ କିମ୍ବା ସମୃଦ୍ଧି ମିଳିନାହିଁ। ସେନା ଉପରକୁ ପଥର ଫିଙ୍ଗୁଥିବା ଦୁର୍ବୃତ୍ତମାନଙ୍କ ଉପରେ ଲାଗିଥିବା ମାମଲାକୁ ପ୍ରତ୍ୟାହାର କରିନିଆଯାଇଛି। ଏଥିରୁ ସହିଦମାନେ ମୋଦୀଙ୍କର ଶତ୍ରୁ ହୋଇଯାଇଥିବା ଜଣାପଡୁଛି। ତେଣୁ ଯିଏ ରାମଙ୍କର ହେଲାନି, ସିଏ ହିନ୍ଦୁସ୍ତାନର କିପରି ହେବ ବୋଲି ତୋଗାଡ଼ିଆ ପ୍ରଶ୍ନ କରିଛନ୍ତି। ଯେପର୍ଯ୍ୟନ୍ତ ରାମ ମନ୍ଦିର ନାହିଁ, ସେପର୍ଯ୍ୟନ୍ତ ବିଜେପିକୁ ଭୋଟ ନାହିଁ ବୋଲି ସେ କହିଛନ୍ତି। ‘ହିନ୍ଦୁସ୍ତାନ ନିର୍ମାଣ ଦଳ’ ସରକାରକୁ ଆସିଲେ ସପ୍ତାହକ ମଧ୍ୟରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ସହ ସ୍ବାମୀନାଥନ ଆୟୋଗ ଲାଗୁ କରାଯିବ ବୋଲି ତୋଗାଡ଼ିଆ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର