ଓଡ଼ିଶା ବାଣିଜ୍ୟ ସଂଘର ବାର୍ଷିକ ସମ୍ମିଳନୀ ଆରମ୍ଭ 

ସମ୍ବଲପୁର: ବର୍ତ୍ତମାନ ଷ୍ଟାର୍ଟଅପ୍‌ର ଯୁଗ ଆସିଛି। ଚାକିରି ଆଶାୟୀ ହେବା ବଦଳରେ ଯୁବ ପିଢ଼ିକୁ ଚାକିରି ଦେଇ ପାରିବା ଭଳି ଗଢ଼ିବା ଦରକାର। ଛାତ୍ରଛାତ୍ରୀଙ୍କୁ ସେତିକି ଦକ୍ଷ କରିବାର ଆବଶ୍ୟକତା ରହିଛି ଯିଏ ଓଡ଼ିଶାକୁ ଆସୁଥିବା ବୃହତ ଶିଳ୍ପସଂସ୍ଥାର ଆବଶ୍ୟକତା ବା ଚାହିଦା ଅନୁଯାୟୀ ଫିଟ୍‌ ହେବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି। ଶନିବାର ତପସ୍ବିନୀ ଜିଲ୍ଲା ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଓଡ଼ିଶା ବାଣିଜ୍ୟ ସଂଘ (ଓସିଏ)ର ୪୨ତମ ବ‌ାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପୂଜାରୀ କହିଲେ, ବାଣିଜ୍ୟ ଶିକ୍ଷା ମାଧ୍ୟ‌ମରେ ଯୁବପିଢ଼ିଙ୍କୁ ଯେମିତି ଅଧିକରୁ ଅଧିକ ନିଯୁକ୍ତି ମିଳି ପାରିବ ସେ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷତା ସମ୍ପନ୍ନ କରିବା ପାଇଁ ଅନ୍ୟ ରାଷ୍ଟ୍ରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ ଚୁକ୍ତି କରାଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଇଡିଆଇଆଇ ଅହମ୍ମଦାବାଦର ମହାନିର୍ଦ୍ଦେଶକ ଡ. ସୁନୀଲ ଶୁକ୍ଳା କହିଲେ, ତାଙ୍କ ଅନୁଷ୍ଠାନ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ସହ ମିଳିତଭାବେ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଛି। ଔଦ୍ୟୋଗିକୀ ଶିକ୍ଷା ଓ ଷ୍ଟାର୍ଟଅପ୍ ଜରିଆରେ ଓଡ଼ିଶାର ବିକାଶ ପାଇଁ ଓସୁ ସହ ମିଳିତଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଇଡିଆଇଆଇ ମଧ୍ୟ ଓସୁରେ ଇନକ୍ୟୁବେସନ୍ ସେଣ୍ଟର୍ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛି ବୋଲି ସେ କହିଥିଲେ। ଓସିଏ ସଭାପତି ଏନ୍‌କେ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମିଳନୀର ସଂପାଦକ ତଥା ଓସୁ କୁଳପତି ପ୍ର. ଅର୍କ କୁମାର ଦାସମହାପାତ୍ର ସ୍ବାଗତ ଭାଷଣ ରଖିଥିଲେ। ଓଡ଼ିଶା ଜର୍ନାଲ୍ ଅଫ୍‌ କମର୍ସର ପରିଚାଳନା ସଂପାଦକ ପ୍ର. ମଳୟ କୁମାର ମହାନ୍ତି ସଂଘ ସଂପର୍କରେ ସୂଚନା ଦେଇଥିଲେ। ଓସିଏ ସାଧାରଣ ସଂପାଦକ ଡ. ଏସ୍‌ଏ ତାହିର ବିବରଣୀ ପାଠ କରିଥିଲେ। ଏହି ଅବସରରେ ସଂଘର ସ୍ମରଣିକା ଓ ପ୍ର. ଦାସମହାପାତ୍ରଙ୍କ ରଚିତ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଉତ୍ସବରେ ପ୍ର. ଅଯୋଧ୍ୟା ପ୍ରସାଦ ନାୟକ ଏବଂ ପ୍ର. ଜଗନ୍ନାଥ ପଣ୍ଡାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରା ଯାଇଥିଲା। ପ୍ର. ଏକେ ଦାସମହାପାତ୍ରଙ୍କୁ ଏକାଡେମିକ ଲିଡର୍‌ସିପ୍ ଆୱାର୍ଡ ପ୍ରଦାନ କରା ଯାଇଥିଲା। ଶେଷରେ ସମ୍ମିଳନୀର ଆ‌େୟାଜନ ସଂପାଦକ ଏନ୍‌ଏସ୍‌ସିବି କଲେଜ୍ ଅଧ୍ୟକ୍ଷା ଡ. ସିକତା ପଣ୍ଡା ଧନ୍ୟବାଦ ଦେଇଥିଲେ। ଏହାପରେ ବୈଷୟିକ ଅଧିବେଶନରେ ‘ଡେମୋଗ୍ରାଫିକ୍‌ ଡିଭିଣ୍ଡେ ଆଣ୍ଡ ଓଡ଼ିଶା ଇନ୍ ୨୦୩୬’ ବିଷୟ ଉପରେ ଆଲୋଚନା ହୋଇଥିଲା। ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ର. କେବି ଦାସ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ର. ଏମ୍‌ପି ଜୟସ୍ବାଲ, ଭିିସୁଟ୍‌ ବୁର୍ଲାର କୁଳପତି ପ୍ର. ବଂଶୀଧର ମାଝୀ ଏବଂ ଏନ୍‌ଆର୍‌ଡିସିର ବରିଷ୍ଠ ଆଞ୍ଚଳିକ ପ୍ରବନ୍ଧକ ଡ. ବିଜୟ କୁମାର ସାହୁ ବକ୍ତାଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଗାମ୍ଭୀର୍ଯ୍ୟ ବୃଦ୍ଧି କରିଥିଲେ।

ସମ୍ବନ୍ଧିତ ଖବର