ସହଯୋଗର ହାତ ବଢ଼ାଇଲେ ନବୀନ, ଦିଲ୍ଲୀକୁ ଅକ୍ସିଜେନ୍ ଦେବ ଓଡ଼ିଶା

ମୋଦୀ, କେଜ୍ରିଓ୍ୱାଲଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରକୁ ବି ଅକ୍ସିଜେନ୍ ଯୋଗାଉଥିଲା
ନବୀନଙ୍କୁ ପ୍ରଶଂସା କଲେ ଉଦ୍ଧବ, କ୍ରେଜିଓ୍ୱାଲ

ଭୁବନେଶ୍ବର : ଦେଶରେ କୋଭିଡ ସଂକ୍ରମଣ ସାଂଘାତିକ ହେବାରେ ଲାଗିଛି। ଅକ୍ସିଜେନ୍‌କୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ଏହାକୁ ନେଇ ଆନ୍ତଃରାଜ୍ୟ ବିବାଦ ଭୀଷଣ ହେଲାଣି। ଠିକ୍ ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି। ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ କୋଭିଡ୍ ମୁକାବିଲାରେ କେନ୍ଦ୍ର ସରକାରଙ୍କ ସମେତ ଅନ୍ୟ ରାଜ୍ୟମାନଙ୍କୁ ସହଯୋଗର ହାତ ବଢାଇଛନ୍ତି।

ଗୁରୁବାର ଦିନ ଶ୍ରୀ ପଟ୍ଟନାୟକ ନିଜ ଆଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହୋଇଥିଲେ। ସେ କହିଥିଲେ ଯେ କୋଭିଡ୍ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କଲାଣି। ଏହି ମହାମାରୀ ମୁକାବିଲାରେ ଓଡ଼ିଶା ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି। ଏହି ଜରୁରୀକାଳୀନ ସ୍ଥିତିରେ ଓଡ଼ିଶା ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଣ କରିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏପରିକି ଏ ବାବଦ ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଦେଇଥିଲେ।

ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ପ୍ରଥମେ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଥିଲେ ଓ ପରେ ଟ୍ବିଟ୍ କରିଥିଲେ। ଶ୍ରୀ କେଜ୍ରିଵାଲ କହିଥିଲେ ଯେ ଏଭଳି ବିପଜ୍ଜନକ ସ୍ଥିତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅକ୍ସିଜେନ୍ ଯୋଗାଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟ ତଦାରଖ କରିେବ ବୋଲି ମଧ୍ୟ ଶ୍ରୀ ପଟ୍ଟନାୟକ ଟେଲିଫୋନରେ ଜଣାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ। ନବୀନଙ୍କୁ ଏହି ଅବସରରେ କେଜ୍ରିଵାଲ ଧନ୍ୟବାଦ ଜଣାଇଥିଲେ।

ଏପଟେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ପାଞ୍ଚ ଦିନ ଧରି ଓଡ଼ିଶା ସରକାର ମହାରାଷ୍ଟ୍ରକୁ ଅକ୍ସିଜେନ୍‌ ପଠାଉଥିଲେ। ଆଜି ଏ କଥା ସାମ୍ନାକୁ ଆସିଛି। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅପରାହ୍ନରେ ଶ୍ରୀ ପଟ୍ଟନାୟକଙ୍କୁ ଫୋନ୍‌ କରି ଧନ୍ୟବାଦ ଜଣାଇଥିଲେ ଓ ଅକ୍ସିଜେନ୍ ଯୋଗାଣ କ୍ଷେତ୍ରରେ ସମସ୍ତ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ସଡ଼କ ପଥରେ ନୂଆଦିଲ୍ଲୀକୁ ରାଜ୍ୟ ସରକାର ଅକ୍ସିଜେନ୍ ପଠାଇଛନ୍ତି। ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଏଡିଜି ଯଶବନ୍ତ ସିଂହ ଜେଠଵାଙ୍କୁ ସରକାର ଦାୟିତ୍ବ ଦେଇଛନ୍ତି। କିଭଳି ବିନା ବାଧାରେ ଅକ୍ସିଜେନ୍ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ସେ ନେଇ ଶ୍ରୀ ଜେଠ​ଵା ପଦକ୍ଷେପ ନେବେ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦୈନିକ ୧୦୦ ଟନ୍ ଅକ୍ସିଜେନ୍ ଓଡ଼ିଶା ସରକାର ଦିଲ୍ଲୀକୁ ପ୍ରଦାନ କରିବେ। ଏ ମଧ୍ୟରୁ ଟାଟା କଳିଙ୍ଗନଗରରୁ ୩୦ ଟନ୍, ଜେଏସ୍‌ପିଏଲ୍‌ରୁ ୩୦ ଟନ୍ ଓ ଆର୍‌ଏସ୍‌ପିରୁ ୪୦ ଟନ୍ ଅକ୍ସିଜେନ୍ ଯୋଗାଇଦେବେ।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଓଡ଼ିଶା ସମୁଦାୟ ପରିସ୍ଥିତି ଉପରେ ନଜର ରଖିଛି। ରାଜ୍ୟରେ ୫୦୦ ଟନ୍‌ରୁ ଅଧିକ ଅକ୍ସିଜେନ୍ ଉତ୍ପାଦନ କ୍ଷମତା ରହିଛି। ରାଜ୍ୟରେ ସର୍ବାଧିକ ୨୦୦ ଟନ୍ ଅକ୍ସିଜେନ୍ ଆବଶ୍ୟକ ହେଇପାରେ। ଏହାବ୍ୟତୀତ ଆଜି ସକାଳେ ପ୍ରଶାସନିକ ଅଧିକାରୀମାନଙ୍କର ଉଚ୍ଚସ୍ତରୀୟ ବୈଠକରେ ଅଧିକ ଅକ୍ସିଜେନ୍ ଉତ୍ପାଦନ ରାସ୍ତା କାଢ଼ିବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ଦାୟିତ୍ବ ଦିଆଯାଇଛି। କେତେ ଅଧିକ ଉତ୍ପାଦନ ହୋଇପାରିବ ସେ ନେଇ ସେମାନେ ଖୁବଶୀଘ୍ର ସଂପୃକ୍ତ ସଂସ୍ଥାମାନଙ୍କ ସହିତ କଥା ହୋଇ ଜଣାଇବା ପରେ ସରକାର ଏ କ୍ଷେତ୍ରରେ ତାଙ୍କ ଆଭିମୁଖ୍ୟକୁ ଆହୁରି ଦୃଢ଼ କରିବେ।

ସମ୍ବନ୍ଧିତ ଖବର