ନିକଟତର ହେବ ପୁଲିସ-ଜନତା ସମ୍ପର୍କ: ସୁନ୍ଦରଗଡ଼ ଥାନାରେ ଓଡ଼ିଶାର ପ୍ରଥମ ‘ଆନନ୍ଦ ଘର’ 

ସୁନ୍ଦରଗଡ଼ : ଏଣିକି ପୁଲିସ ପ୍ରତି ଥିବା ସାଧାରଣଲୋକଙ୍କ ଭୟ ଦୂର ହେବ। ନିକଟତର ହେବ ପୁଲିସ-ଜନତାଙ୍କ ସମ୍ପର୍କ। ଜନସାଧାରଣ ଓ ପୁଲିସ ମଧ୍ୟରେ ଏକ ସମନ୍ବୟର ସେତୁ ବାନ୍ଧିବା ଓ ଶିଶୁ-ଅନୁକୂଳ ପୁଲିସ ଜିଲ୍ଲା ରୂପେ ପ୍ରତିଷ୍ଠିତ କରିବାକୁ ସୁନ୍ଦରଗଡ଼ ପୁଲିସ ଅଭିନବ ଉଦ୍ୟମ ଆରମ୍ଭ କରିଛି। ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ସୁନ୍ଦରଗଡ଼ର ଆଦର୍ଶ ସଦର ଥାନା ସମେତ କୁତ୍ରା, ବଡ଼ଗାଁ, ବୀରମିତ୍ରପୁର ଓ ଶଙ୍କରା ପୁଲିସ ବାରାକ ପରିସରରେ ଖୋଲାଯାଇଛି ‘ଆନନ୍ଦ ଘର’। ପୁଲିସ ବାରାକର ‘ଆନନ୍ଦ ଘର’କୁ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ ସାହୁ ଉଦଘାଟନ କରିଥିଲେ। ସେହିପରି ସଦର ଥାନା ପରିସରରେ ପ୍ରତିଷ୍ଠିତ ‘ଆନନ୍ଦ ଘର’କୁ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଲୋକାର୍ପିତ କରିଥିଲେ।

‘ଥାନାକୁ ଆସୁଥିବା କୌଣସି ଶିଶୁ ତଥା ଆଇନ ବିରୋଧରେ ରହିଥିବା ଶିଶୁମାନଙ୍କୁ ଏକ ସୁରକ୍ଷିତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହବସ୍ଥାନ ଯୋଗାଇବାକୁ ପାଇଁ ଏହି ଘରର ସଂରଚନା କରାଯାଇଥିବା, ଆକର୍ଷକ ସାଜସଜ୍ଜା ଓ ଖେଳଣା ବ୍ୟବସ୍ଥା କରାଯାଇଥିବା, ପାଠାଗାର, ଇଣ୍ଟରନେଟ ସଂଯୋଗ ସହ କମ୍ପ୍ୟୁଟର୍ ବ୍ୟବସ୍ଥା କରାଯାଇଥିବା, ଯେଉଁଠି ପିଲାମାନେ ପାଠପଢ଼ା ସହ ଗଠନମୂଳକ କ୍ରିୟାକଳାପରେ ନିଜ ସମୟର ସଦୁପଯୋଗ କରିପାରିବେ ଓ ପିଲାଙ୍କ ରୁଚି ମୁତାବକ ପୁସ୍ତକ ଯୋଗାଇ ଦିଆଯିବ’ ବୋଲି ଏସପି ସାଗରିକା ସୂଚୀତ କରିଥିଲେ। ‘ଏହି ଆନନ୍ଦ ଘରଟି ଶିଶୁ ମଙ୍ଗଳ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ଷମ ହେବ ଓ ଆଇନ ବିରୋଧୀ ଶିଶୁ, ଅଶାନ୍ତ ବାତାବରଣରେ ରହୁଥିବା ଶିଶୁ, ଅପରାଧରେ ଲିପ୍ତ ଥିବା ବ୍ୟକ୍ତିଙ୍କ ସନ୍ତାନସନ୍ତତିମାନଙ୍କୁ ପ୍ରଶିକ୍ଷିତ ମାନବ ସମ୍ବଳ ପ୍ରଦାନ କରାଯିବ’ ବୋଲି ସେ କହିଥିଲେ।

ପୂର୍ବରୁ ରାଜଗାଙ୍ଗପୁର ଥାନାରେ ‘ଆମ ଖୁସି, ଆମ ସୁରକ୍ଷା’ ଯୋଜନା ଆରମ୍ଭ ହୋଇଥିଲା। ସଦରଥାନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସଡିପିଓ ମଧୁସିକ୍ତା ମିଶ୍ର, ଶିଶୁ ସୁରକ୍ଷା କମିଟି ସଦସ୍ୟ ମହେନ୍ଦ୍ର ପଟେଲ, ସଦରଥାନା ଅଧିକାରୀ ସନ୍ତୋଷ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର