ବର୍ଷକୁ ୧୭ କେଜି ମାଛ ଖାଉଛନ୍ତି ଓଡ଼ିଆ: ୨୨ ବର୍ଷରେ ଅଢ଼େଇ ଗୁଣ ବୃଦ୍ଧି, ରାଜ୍ୟ ମତ୍ସ୍ୟ ବିଭାଗର ରିପୋର୍ଟ

ଭୁବନେଶ୍ବର: ବର୍ଷକୁ ୧୭.୭୩ କେଜି ମାଛ ଖାଆନ୍ତି ଓଡ଼ିଆ। ୨୦୦୦ ମସିହାରେ ବର୍ଷକୁ ଓଡ଼ିଶାର ଜଣେ ବ୍ୟକ୍ତି ୭.୭୧ କେଜି ମାଛ ଖାଉଥିଲେ କିନ୍ତୁ ବର୍ତ୍ତମାନ ଏହା ପାଖାପାଖି ଅଢ଼େଇ ଗୁଣ ବଢ଼ିଥିବା ନେଇ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟରେ ସୂଚନା ଦିଆଯାଇଛି। ଭାକୁର, ରୋହି, ମିଟିକାଳ ହିଁ ଲୋକଙ୍କ ମୁଖ୍ୟ ପସନ୍ଦ ରହିଛି। ଚିଙ୍ଗୁଡ଼ିର ଆଦର ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ ତ୍ରିପୁରାର ସର୍ବାଧିକ ୯୯.୩୫%, ତାମିଲନାଡ଼ୁ, କେରଳ ଓ ଗୋଆର ୯୦% ଏବଂ ପଞ୍ଜାବ, ରାଜସ୍ଥାନର ୩୦%, ହରିୟାଣାର ସର୍ବନିମ୍ନ ୨୦.୫୫% ମାଛ ଖାଆନ୍ତି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଓଡ଼ିଶା ମଧ୍ୟ ମାଛ ଖାଇବାରେ ପଛରେ ପଡ଼ିନାହିଁ। ଏଠାରେ ୯୫% ମାଛ ଖାଆନ୍ତି। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷକରି ବାଲେଶ୍ବର, ଭଦ୍ରକ ଓ ଜଗତସିଂହପୁରରେ ମାଛପ୍ରିୟଙ୍କ ସଂଖ୍ୟା ସର୍ବାଧିକ ରହିଛି। ମତ୍ସ୍ୟ ବିଭାଗର ବିଶେଷଜ୍ଞଙ୍କ ଅନୁସାରେ, ୨୨ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଉତ୍ପାଦନ ୫ ଗୁଣ ବଢ଼ିଛି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ଅନେକଙ୍କ ପାଇଁ ଲାଲ ମାଂସର ବିକଳ୍ପ ହୋଇଛି। ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ବ୍ୟକ୍ତି ମଧ୍ୟ ଏହାକୁ ପସନ୍ଦ କରନ୍ତି। ଶିଶୁଙ୍କ ମଧ୍ୟରେ ଅପପୁଷ୍ଟିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ମଧ୍ୟାହ୍ନ ଭୋଜନର ଡାଲମାରେ ମାଛ ଚୂନା ମିଶାଇ ଦେବା ପାଇଁ ପରୀକ୍ଷାମୂଳକ ଭାବରେ ପ୍ରସ୍ତୁତି ଚାଲିଥିଲା। ଯାହା ବର୍ତ୍ତମାନ ସ୍ଥଗିତ ରହିଛି। ବାଲେଶ୍ବରରୁ ଆସି ରାଜଧାନୀରେ ରହୁଥିବା ଜସ୍ମିନ ଗିରି କହନ୍ତି, ସପ୍ତାହରେ ୪ରୁ ୫ ଦିନ ମାଛ ଖାଇବାକୁ ପସନ୍ଦ କରନ୍ତି। କିଲୋ ପିଛା ୧୮୦ ଟଙ୍କାରେ ରୋହି, ଭାକୁର ଆଣିଲେ ତାଙ୍କ ପରିବାର ପାଇଁ ଯଥେଷ୍ଟ। ଛୋଟ ବେଳେ ଗାଁରେ ମିଳୁଥିବା ପଙ୍କପୁଟା(କଉ), ସେଉଳ, ମାଗୁର ଆଉ ଆଗ ଭଳି ମିଳୁନି। ୟୁନିଟ-୪ର ମାଛ ବ୍ୟବସାୟୀ ନରେନ୍ଦ୍ର ବେହେରାଙ୍କ କହିବା ଅନୁସାରେ, ରାଜଧାନୀରେ କେବଳ ୧୨୦୦ ମାଛ ଦୋକାନୀ ଅଛନ୍ତି। ଜଣ ପିଛା ହାରାହାରି ଦୈନିକ ୬୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଛ ବିକ୍ରି କରନ୍ତି। ଚୈତ୍ର, ଶ୍ରାବଣ ଏବଂ କାର୍ତ୍ତିକ ବ୍ୟତୀତ ବର୍ଷକୁ ୮ ମାସ ମାଛ ବିକ୍ରି ଭଲ ହୁଏ।

ସମ୍ବନ୍ଧିତ ଖବର