ଘ‌ରୋଇ ସ୍କୁଲର ୨୫% ସିଟ୍‌ରେ ନାମଲେଖା ପ୍ରସଙ୍ଗ: ନାମଲେଖାଇବାକୁ ମନାକଲେ ମଗାଯିବ ସ୍ପଷ୍ଟୀକରଣ

ଭୁବନେଶ୍ବର: ଶିକ୍ଷା ଅଧିକାର ଆଇନ(ଆରଟିଇ) ଅଧୀନରେ ଘରୋଇ ବିଦ୍ୟାଳୟରେ ୨୫% ସିଟ୍‌ରେ ଦୁର୍ବଳ ବର୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ଲଟେରି ଉଠାଣ ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଲଟ୍‌ମେଣ୍ଟ ହୋଇଛି। ଏଥିସହ ଗତକାଲିଠାରୁ ନାମଲେଖା ମଧ୍ୟ ଆରମ୍ଭ ହୋଇଗଲାଣି, ଯାହାକି ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମାତ୍ର ରାଜ୍ୟର ଅଧିକାଂଶ ଘରୋଇ ବିଦ୍ୟାଳୟ ଆରଟିଇ ନିୟମକୁ ପାଳନ କରୁ ନ ଥିବା ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ସୁଯୋଗ ଦିଆଯାଉ ନ ଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆସିବା କ୍ଷଣି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ପତ୍ର ଲେଖାଯାଇ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଦ୍ୟାଳୟଗୁଡ଼ିକ‌ରେ ନାମଲେଖା ପାଇଁ ଆଲଟ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ସମ୍ପୃକ୍ତ ଡିଇଓ ଓ ବିଇଓଙ୍କ ଲଗ୍‌ଇନ୍‌ରେ ଉପଲବ୍ଧ ହୋଇଛି। ତେଣୁ ଡିଇଓ ଓ ବିଇଓମାନେ ସମ୍ପୃକ୍ତ ତାଲିକା ସହ ସମସ୍ତ ଡକ୍ୟୁମେଣ୍ଟକୁ ସ୍କୁଲଗୁଡ଼ିକୁ ପଠାଇବା ଦିଗରେ ପଦକ୍ଷେପ ନେବେ। ସ୍କୁଲ କର୍ତ୍ତୃପକ୍ଷ ତାଲିକା ପାଇବା ପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବାକୁ ଅବଗତ କରାଇବେ। ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଅଧିକ ଡକ୍ୟୁମେଣ୍ଟ ମାଗିପାରିବେ ନାହିଁ କିମ୍ବା ନାମଲେଖା‌ କରିବାକୁ ବାରଣ କରିପାରିବେ ନାହିଁ। ଯଦି କୌଣସି ସ୍କୁଲ କର୍ତ୍ତୃପକ୍ଷ ମନା କରୁଥିବା ନଜରକୁ ଆସେ ତେବେ ସେଠାକାର ବିଇଓ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଲିଖିତ ସ୍ପଷ୍ଟୀକରଣ ମାଗିବେ। ସ୍କୁଲ କର୍ତ୍ତୃପକ୍ଷ କୌଣସି ପ୍ରକାର ଫି’ ଆଦାୟ କରିପାରିବେନି କିମ୍ବା ସ୍କ୍ରିନିଂ ଟେଷ୍ଟ କରିବେ ନାହିଁ। ଛାତ୍ରଛାତ୍ରୀ ନାମଲେଖା କରିବା କ୍ଷଣି ସ୍କୁଲ କର୍ତ୍ତୃପକ୍ଷ ଆରଟିଇ ପାରଦର୍ଶୀ ପୋର୍ଟାଲରେ ସେସମ୍ପର୍କରେ ଉଲ୍ଲେଖ କରିବେ। ନାମଲେଖା ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ ଯାଞ୍ଚ କରିବେ। ବିଇଓ ଓ ଡିଇଓମାନେ ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି। ଏହାରି ଭିତରେ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି। ନାମଲେଖା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖ ମଧ୍ୟରୁ ଦୁଇ ଦିନ ବିତିଗଲାଣି। ତା’ସତ୍ତ୍ବେ ମଧ୍ୟ ଅଧିକାଂଶ ବିଇଓ ଯୋଗ୍ୟ ପିଲାଙ୍କ ତାଲିକା ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିନାହାନ୍ତି କିମ୍ବା ବିଦ୍ୟାଳୟଗୁଡ଼ିକ ପିଲାଙ୍କୁ ଅବଗତ କରି ନ ଥିବା ଜଣାପଡ଼ିଛି। ୬ ତାରିଖ ଭିତରେ ୩ ଦିନ ଛୁଟି ଦିବସ ପଡ଼ୁଥିବାରୁ କିଭଳି ଭାବେ ଛାତ୍ରଛାତ୍ରୀ ନାମଲେଖା ଅନୁଷ୍ଠିତ ହେବ ତ‌ାହାକୁ ନେଇ ଅଭିଭାବକମାନେ ଚିନ୍ତାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର