ହରଡ଼ଘଣାରେ ଓଇଆର୍‌ସି: କର୍ମଚାରୀ ନିଯୁକ୍ତିରେ ବି କେଳେଙ୍କାରୀ

ଓଏସ୍‌ଡି (ପ୍ରଶାସନ) ନିଯୁକ୍ତିରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଶକ୍ତି ବିଭାଗ ତନାଘନା କଲା, ଫୁ’ କରି ଉଡ଼ାଇଦେଲେ ଆୟୋଗ

ଭୁବନେଶ୍ବର: ୧୯୯୭ରେ ପ୍ରଣୀତ ନିଯୁକ୍ତି ପଦ୍ଧତି ଓ ଚାକିରି ସର୍ତ୍ତାବଳୀ ନିୟମ ଅନୁଯାୟୀ, ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ନିଯୁକ୍ତି ଦେଉଛନ୍ତି। କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ-୨୦୦୩ ଲାଗୁ ହେବା ପରେ ୧୯୯୭ର ଏହି ନିୟମାବଳୀ ଅବୈଧ ବୋଲି ବିେଶଷଜ୍ଞ ଯୁକ୍ତି ବାଢ଼ିଛନ୍ତି, ଯାହାକୁ ନେଇ ବିତର୍କ ମୁଣ୍ଡ ଟେକିଲାଣି। କେବଳ ସେତିକି ନୁହେଁ, ସଂପ୍ରତି ଆୟୋଗରେ ଅଧ୍ୟକ୍ଷ ପଦ ଖାଲି ଥାଇ ନିଯୁକ୍ତି ପ୍ରକ୍ରିୟା ଜାରି ରହିବା ଘଟଣା ମଧ୍ୟ ବିଭିନ୍ନ ମହଲକୁ ବିସ୍ମିତ କରୁଛି। ହେଲେ ଏତେ ସବୁ କଥା ସମସ୍ତେ ଜାଣି ବି ଓଇଆର୍‌ସି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି ଏବଂ ସମାନ୍ତରାଳ ଭାବେ କୋଟିଏ ଉପଭୋକ୍ତାଙ୍କ ସ୍ବାର୍ଥ ସଂପର୍କିତ ଏହି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି।

ଠିକ୍ ଏମିତି ଏକ ସମୟରେ ଆୟୋଗରେ ନିଯୁକ୍ତି ସଂପର୍କିତ ଆଉ ଏକ ସାଂଘାତିକ କେଳେଙ୍କାରୀ ସାମ୍ନାକୁ ଆସିଛି। ସବୁ ନିୟମକାନୁନକୁ ମୋଡ଼ି ମକଚି ଦେଇ କର୍ତ୍ତୃପକ୍ଷ ସଂଜୟ କୁମାର ରାଉତ ନାମକ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିରେ ଭାବପ୍ରୀତି ବା ପ୍ରିୟାପ୍ରୀତି ତୋଷଣ ଜଳଜଳ ପରିଦୃଷ୍ଟ ହେଉଛି ଏବଂ ସବୁ ମାପକାଠି, ଯୋଗ୍ୟତାକୁ ଯେଭଳି ଢଙ୍ଗରେ ଜଳାଞ୍ଜଳି ଦିଆଯାଇଛି; ତାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଆହୁରି ବଡ଼ କଥା ହେଉଛି, ଟାରିଫ୍ ନିର୍ଧାରଣରେ ପକ୍ଷଭୁକ୍ତ ସଂସ୍ଥାରୁ ସଂପୃକ୍ତ କର୍ମଚାରୀ କେବଳ ଡେପୁଟେସନରେ ଆସିଛନ୍ତି ତା’ ନୁହେଁ, ବରଂ ସେ ଦେଇଥିବା ବାୟୋଡାଟାରେ ଅନେକ ଭୁଲ୍ ଏବଂ ଅସତ୍ୟ ତଥ୍ୟ ପରିଲକ୍ଷିତ ହୋଇଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଅଭିଯୋଗ ପାଇବା ପରେ ତନାଘନା କରିଥିଲେ ହେଁ, ଓଇଆର୍‌ସି ସରକାରଙ୍କୁ ମଧ୍ୟ ବେଖାତିର୍‌ କରିବା ଆରମ୍ଭ କରିଦେଲେଣି।

ଓଏସ୍‌ଡି (ପ୍ରଶାସନ) ନିଯୁକ୍ତିରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ନିଜ ନିୟମକୁ ଦଳିଦେଇଛନ୍ତି, ବାୟୋଡାଟାରେ ମାଳମାଳ ଅସତ୍ୟ
ଶକ୍ତି ବିଭାଗ ତନାଘନା କଲା, ଫୁ’ କରି ଉଡ଼ାଇଦେଲେ ଆୟୋଗ

ଘଟଣାଟି ଏହିପରି- ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ଓଇଆର୍‌ସି ୨୦୧୫ ମସିହା ମେ’ମାସରେ ଇଣ୍ଟରଭ୍ୟୁ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ। ଏଥିରେ ସିଧାସଳଖ ନିଯୁକ୍ତି ଏବଂ ଡେପୁଟେସନ୍‌ କଥା କୁହାଯାଇଥିଲା। ଚୟନ ମଣ୍ଡଳୀ ଜଣେ ବ୍ୟକ୍ତିଙ୍କୁ ଉପନିର୍ଦେଶକ (ପି ଆଣ୍ଡ ଏ) ଭାବେ ମଧ୍ୟ ବାଛିଥିଲେ। ହେଲେ ହଠାତ୍ କିଛି ମାସ ପରେ ତାଙ୍କୁ ଚାକିରିରୁ ବିଦା କରିଦିଆଗଲା। ୧୯୯୭ରେ ପ୍ରଣୀତ ନିଯୁକ୍ତି ପଦ୍ଧତି ଓ ଚାକିରି ସର୍ତ୍ତାବଳୀ ନିୟମରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଅଧିକାରୀ ବା କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ଚୟନ ବୋର୍ଡ ଯେଉଁ ନିଷ୍ପତ୍ତି ନେବେ, ତାହା ଚୂଡ଼ାନ୍ତ। ଏହି ବୋର୍ଡର ସୁପାରିସ ମାତ୍ର ୬ମାସ ଯାଏ ବୈଧ ରହିବ। ଏ କ୍ଷେତ୍ରରେ ଉକ୍ତ ସମୟ ଅବଧି ସରିଯାଇଥିବା କାରଣରୁ ଆୟୋଗ ସାନି ଇଣ୍ଟରଭ୍ୟୁ ପାଇଁ ବିଜ୍ଞାପନ ଦେଇ ଏହି ପଦବିରେ ନିଯୁକ୍ତି ଦେବା କଥା। ହେଲେ ଆକାଶରୁ ତୋଳିଆଣିବା ଭଳି ପ୍ରଣୀତ ନିୟମକୁ ଏଡ଼ାଇ ଯାଇ ତଥା ନିୟମ ଅନୁସାରେ ଅକାମୀ ହୋଇସାରିଥିବା ଚୟନ ତାଲିକାରୁ (୧୦ ମାସ ତଳର) ଦୁଇ ନମ୍ବର ସ୍ଥାନରେ ଥିବା ସଂଜୟ କୁମାର ରାଉତଙ୍କୁ ନିଯୁକ୍ତି ଦେବାକୁ ଓଇଆର୍‌ସି କର୍ତ୍ତୃପକ୍ଷ ମନ ସ୍ଥିର କଲେ ଏବଂ ଆୟୋଗର ତତ୍କାଳୀନ ଭାରପ୍ରାପ୍ତ ଅଧ୍ୟକ୍ଷ ୱେସ୍କୋ (ଏବେ ଟିପିଡବ୍ଲୁଓଡିଏଲ୍‌)ରୁ ଶ୍ରୀ ରାଉତଙ୍କୁ ଡେପୁଟେସନ୍‌ରେ ଆଣି ଓଏସ୍‌ଡି (ପ୍ରଶାସନ) ଭାବେ ନିଯୁକ୍ତି ଦେଲେ।

ଗୋଟିଏ ପଟେ ୱେସ୍କୋ ବା ବର୍ତ୍ତମାନର ଟିପିଡବ୍ଲୁଓଡିଏଲ୍‌ ଟାରିଫ୍ ପ୍ରକ୍ରିୟାରେ ଭାଗ ନେଉଛନ୍ତି, ଯାହା ସଂପର୍କରେ ଆୟୋଗ ଶୁଣାଣି କରି ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଶୁଳ୍କ ଧାର୍ଯ୍ୟ କରୁଛନ୍ତି। ଅନ୍ୟପଟରେ ସଂପୃକ୍ତ ସଂସ୍ଥାରୁ କିଭଳି ଭାବେ କର୍ମଚାରୀଙ୍କୁ ଡେପୁଟେସନ୍‌ରେ ଅଣାଯିବ? ଡେପୁଟେସନରେ ଆସିଥିବା କର୍ମଚାରୀ ମୂଳ ସଂସ୍ଥା ନା ଉପଭୋକ୍ତାଙ୍କ ସ୍ବାର୍ଥରେ କାମ କରିବେ? ଏହା ଆଉ ଏକ ଅନୁସନ୍ଧାନର ବିଷୟ। କେବଳ ସେତିକି ନୁହେଁ, ବିଳମ୍ବରେ ହେଲେ ବି ଏହି ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ଖୋଳତାଡ଼ କରିବାରୁ ଦେଖାଯାଉଛି ଯେ ଶ୍ରୀ ରାଉତଙ୍କ ବାୟୋଡ଼ାଟାରେ ଗୁରୁତର ତ୍ରୁଟି ଅଭିଯୋଗ ଆସିଛି। ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ୨୦୦୨ରେ ଏମ୍‌ବିଏ (ଏଚ୍‌ଆର୍) ପାସ୍ କରିଥିଲେ ହେଁ ବାୟୋଡାଟାରେ ୨୦୦୧ ବୋଲି ଦର୍ଶାଇଛନ୍ତି। ଆହୁରି ମଜାଦାର କଥା ହେଲା, ତାଙ୍କର ବାୟୋଡାଟାରେ ଥିବା ଅଭିଜ୍ଞତାର ତଥ୍ୟ ଆଖି ଖୋସି ଦେବା ଭଳି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଛୁଟି ଦିନରେ କୁଆଡ଼େ ସେ ୱେସ୍କୋରେ ଯୋଗଦେଇଥିଲେ। ସେହିଭଳି ଶ୍ରୀ ରାଉତଙ୍କ ପାଇଁ ସେପ୍ଟେମ୍ବର ମାସ ୩୧ ଦିନିଆ। ସେ ଆବେଦନ ପତ୍ରରେ ଦର୍ଶାଇଛନ୍ତି ଯେ ୨୦୦୭ ସେପ୍ଟେମ୍ବର ୩୧ ତାରିଖ ଦିନ ବଡ଼ବିଲ୍ ଜିଏପିଏଲ୍ ସଂସ୍ଥା ଛାଡ଼ିଥିଲେ। ହେଲେ ଗତ ଜାନୁଆରି ୧୪ ତାରିଖରେ ସଂପୃକ୍ତ କର୍ତ୍ତୃପକ୍ଷ ଗୋଟିଏ ଅଭିଯୋଗର ଉତ୍ତରରେ କହିଛନ୍ତି ଯେ ଶ୍ରୀ ରାଉତଙ୍କୁ ଏଭଳି ଚିଠି (ଜିଏପିଏଲ୍/ବିବିଏଲ/୧୦୭୨/୦୭-୦୮) କେବେ ବି ଜାରି କରାଯାଇନାହିଁ। ସେହିଭଳି ତାଙ୍କର ସ୍କାନ୍ ଷ୍ଟିଲ୍‌ରେ ଅଭିଜ୍ଞତା ସଂପର୍କରେ ସଂପୃକ୍ତ କର୍ତ୍ତୃପକ୍ଷ ଗୋଟିଏ ଅଭିଯୋଗର ଉତ୍ତରରେ କହିଛନ୍ତି ଯେ ଏଭଳି କର୍ମଚାରୀ ତାଙ୍କର କେବେ ବି ନଥିଲେ। ଏଣୁ ଶ୍ରୀ ରାଉତଙ୍କ ବାୟୋଡାଟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ।

ପ୍ରସଙ୍ଗଟି ଏଇଠି ସରୁନାହିଁ। ଏହି ଜାଲିଆତି ଅଭିଯୋଗ ପ୍ରସଙ୍ଗଟି ଇତିମଧ୍ୟରେ ଓଡ଼ିଶା ସରକାରଙ୍କ ମୁଖ୍ୟଶାସନ ସଚିବଙ୍କଠାରୁ ଆରମ୍ଭ କରି ଶକ୍ତି ବିଭାଗ ପର୍ଯ୍ୟନ୍ତ ସମସ୍ତଙ୍କ ନଜରକୁ ଆସିଗଲାଣି। ଶକ୍ତି ବିଭାଗ ବର୍ଷେ ହେଲା ଏହା ଉପରେ ଖୋଳତାଡ଼ ଜାରି ରଖିଛନ୍ତି। ୨୦୨୧ ସେପ୍ଟେମ୍ବର ୨୭ ଅର୍ଥାତ୍ ବର୍ଷେ ତଳେ ଶକ୍ତି ବିଭାଗ ଓଇଆର୍‌ସି ସଚିବଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ। ଏହାର ଉତ୍ତର ସମ୍ଭବତଃ ଆସିଲା ନାହିଁ; ଫଳରେ ବିଭାଗ ପୁଣି ଥରେ ୨୦୨୨ ଏପ୍ରିଲ ୬ ତାରିଖରେ ସଚିବଙ୍କୁ ଚିଠି ଲେଖିବା ସହିତ ଏ ସଂକ୍ରାନ୍ତରେ ବିଶଦ ରିପୋର୍ଟ ମାଗିଛନ୍ତି। ଏହା ପୂର୍ବରୁ ଏପ୍ରିଲ ୨ ତାରିଖରେ ଟିପିଡବ୍ଲୁଓଡିଏଲ୍‌ ସିଇଓଙ୍କୁ ମଧ୍ୟ ତଦନ୍ତ କରି ରିପୋର୍ଟ ମାଗିଛନ୍ତି ଶକ୍ତି ବିଭାଗର ଅନୁଶାସନ ସଚିବ। ଏହାର ଉତ୍ତର କ’ଣ ଆସିଛି କେଜାଣି, ଏଯାଏ ସଂପୃକ୍ତ ଅଧିକାରୀ ଶ୍ରୀ ରାଉତ ପୂର୍ବବତ୍ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ନିଯୁକ୍ତିକୁ ବାଟବଣା କରିଥିବା ଆୟୋଗ ତଦନ୍ତକୁ ମଧ୍ୟ ତା ବାଟରେ ନେବା ଲାଗି ଚାହିନାହାନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ତମ୍ବିତୋଫାନ କରୁଛନ୍ତି। ରାତି ପାହିଲା ବେଳକୁ ଦୁର୍ନୀତିଗ୍ରସ୍ତଙ୍କୁ ଚାକିରିରୁ ବିଦା କରିବା ସହିତ କେତେଜଣଙ୍କୁ ବିଦା କଲେ, ତା’ର ତାଲିକା ଗଣମାଧ୍ୟମ ହାତରେ ଧରାଉଛନ୍ତି। ଅନ୍ୟପକ୍ଷରେ ଓଇଆରସିରେ ଚାଲିଥିବା କେଳେଙ୍କାରୀର ମହାନାୟକମାନଙ୍କୁ ସୁରକ୍ଷା ମିଳୁଛି। ଆହୁରି ସରଳ ଭାବେ କହିଲେ, ମୁଖ୍ୟମନ୍ତ୍ରୀଙ୍କ ନିୟମ ଓ ଆଇନ ରାଜ୍ୟରେ ସମସ୍ତଙ୍କ ପାଇଁ ସମାନ ନାହିଁ। ବିଶେଷକରି କୋଟିଏ ଲୋକଙ୍କ ସ୍ବାର୍ଥ ସହିତ ଜଡ଼ିତ ବିଦ୍ୟୁତ୍ ପ୍ରସଙ୍ଗରେ ଆଦୌ ନୁହେଁ। ଅନ୍ୟଥା ଆୟୋଗରେ ଚାଲିଥିବା ମାଳ ମାଳ ଅସଙ୍ଗତି ଓ କେଳେଙ୍କାରୀକୁ ନିରବରେ ସରକାର ସହୁଛନ୍ତି କେମିତି? ଏସବୁ ଅନିୟମିତତା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସୁଛି ତ?

ସମ୍ବନ୍ଧିତ ଖବର