ମୂଲ୍ୟାୟନ କେନ୍ଦ୍ରରେ ଉତ୍ତରଖାତା ପହଞ୍ଚାଇବା ପାଇଁ ଅଧିକାରୀଙ୍କୁ ଦାୟିତ୍ୱ

ଖାତା ହଜିବା ପରେ ବୋର୍ଡ କର୍ତ୍ତୃପକ୍ଷଙ୍କ ପଦକ୍ଷେପ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ନୋଡାଲ ସେଣ୍ଟରରୁ ମୂଲ୍ୟାୟନ କେନ୍ଦ୍ରରେ ଉତ୍ତରଖାତା ପହଞ୍ଚାଇବା ପ୍ରକ୍ରିୟାରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଉତ୍ତରଖାତା ସ୍ଥାନାନ୍ତରଣରେ ବୋର୍ଡର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହିତ ଜଣେ ଡିଏଲ୍‌ଆରଙ୍କୁ ଦାୟିତ୍ୱ ମିଳୁଥିବା ବେଳେ ଏବେ ତାହାକୁ ପରିବର୍ତ୍ତନ କରାଯାଇଛି। ଏହି ଦାୟିତ୍ୱରେ ବୋର୍ଡର ଜଣେ ସେକ୍ସନ ଅଫସର କିମ୍ବା ଆସିଷ୍ଟାଣ୍ଟ ସେକ୍ରେଟାରିଙ୍କ ସହିତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ରଖାଯାଇଛି। ମାଟ୍ରିକ ଉତ୍ତରଖାତା ପରିବହନରେ ଡିଏଲ୍‌ଆରଙ୍କୁ ବାଦ୍‌ ଦିଆଯାଇଥିବା ସୂଚନା ମିଳିଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା (ତିନିଯାକ ଭାଷା ପେପର) ସରିବା ପରେ ନୋଡାଲ୍‌ ସେଣ୍ଟରରୁ ମୂଲ୍ୟାୟନ କେନ୍ଦ୍ରକୁ ଉତ୍ତରଖାତା ପରିବହନ ବେଳେ ଅଭାବନୀୟ ଘଟଣା ଘଟିଥିଲା। କେନ୍ଦ୍ରାପଡ଼ାର ଏକ ନୋଡାଲ ସେଣ୍ଟରରୁ ଉତ୍ତରଖାତା ପରିବହନ ବେଳେ ଆନନ୍ଦପୁରଠାରେ ଗୋଟିଏ ଖାତା ପ୍ୟାକେଟ୍‌ ଖସି ପଡ଼ିଥିଲା। ଏଥରେ ବୋର୍ଡ ପକ୍ଷରୁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ପରେ ଜଣେ ପାନଦୋକାନୀଙ୍କ ଉକ୍ତ ଖାତା ପ୍ୟାକେଟକୁ ଉଦ୍ଧାର କରି ବୋର୍ଡ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲା। ଏହି ଘଟଣା ପରେ ବୋର୍ଡ କର୍ତୃପକ୍ଷ ଦ୍ୱିତୀୟ ପର୍ଯ୍ୟାୟ ଉତ୍ତରଖାତା (ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ) ପରିବହନ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତ ମାସ ୮ତାରିଖରେ ପରୀକ୍ଷା ଶେଷ ହୋଇଥିବା ବେଳେ ୯ତାରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ପରିବହନରେ ବୋର୍ଡର ଜଣେ ସେକ୍ସନ ଅଫିସର ବା ଆସିଷ୍ଟାଣ୍ଟ ସେକ୍ରେଟାରିଙ୍କ ସହିତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୨୦ ତାରିଖରୁ ଖାତା ଦେଖା ଆରମ୍ଭ ହେଉଥିବା ବେଳେ ଏବେ ନୋଡାଲ ସେଣ୍ଟରରୁ ଉତ୍ତରଖାତା ମୂଳ୍ୟାୟନ କେନ୍ଦ୍ରକୁ ପଠାଯାଉଛି। ଏଥିରେ ନୋଡାଲ୍‌ ସେଣ୍ଟରରୁ ଓଏମ୍‌ଆର୍‌ ସିଟ୍‌ଗୁଡ଼ିକୁ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟ ଅଣାଯାଇଛି। ଓଏମ୍‌ଆର୍‌ ସିଟ୍‌ ମୂଲ୍ୟାୟନ ପାଇଁ କମ୍ପ୍ୟୁଟର ଫାର୍ମକୁ ପଠାଯିବ।

ସମ୍ବନ୍ଧିତ ଖବର