ଏସ୍‌ସିବି ବାଥରୁମ୍‌ରେ ପଡ଼ି ବୃଦ୍ଧ ମୃତ, ଶବକୁ ୧୦ ଘଣ୍ଟା ଜଗି ରହିଲେ ପତ୍ନୀ

କଟକ : ଆଖିକୁ ଠିକ୍‌ ଭାବରେ ଦେଖାଯାଉନି। ଏପଟେ ମେଡିକାଲରେ ଭର୍ତ୍ତି ହୋଇଥିବା ବୃଦ୍ଧ ସ୍ବାମୀ ବାଥ୍‌ରୁମ୍‌ରେ ପଡିଯିବା ଫଳରେ ରାତି ଅଧରେ ପ୍ରାଣ ହରାଇଲେ। କିନ୍ତୁ କୌଣସି ସହାୟତା ନପାଇ ଅତ୍ୟନ୍ତ ଅସହାୟ ଅବସ୍ଥାରେ ମୃତ ସ୍ବାମୀଙ୍କ ଶବକୁ ଧରି ମେଡିକାଲ ୱାର୍ଡ ବାରଣ୍ଡାରେ ୧୦ ଘଣ୍ଟା ଧରି ବସି ରହିଥିଲେ ସାବିତ୍ରୀ। ସମସ୍ତେ ଆସି ସମବେଦନା ଜଣାଉଥିଲେ ବି ସହଯୋଗର ହାତ ବଢାଇବାକୁ କେହି ନଥିଲେ। ଶେଷ‌ରେ ଦିନ ପ୍ରାୟ ୧୧ଟାରେ ଖବରପାଇ ଜଣେ ସ୍ବେଚ୍ଛାସେବୀ ସାବିତ୍ରୀଙ୍କୁ ଶବସତ୍କାର ପାଇଁ ସହଯୋଗ କରିଥିଲେ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଏସ୍‌ସିବି ନ୍ୟୁରୋସର୍ଜରୀ ବିଭାଗ ବାରଣ୍ଡାରେ।

ସୂଚନା ଅନୁସାରେ, ସାବିତ୍ରୀ ମଲ୍ଲିକ (୬୫)ଙ୍କ ସ୍ବାମୀ ଭିକାରୀ ମଲ୍ଲିକ(୭୦)ଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଂଚଳରେ। ସେମାନଙ୍କର ଝିଅଟିଏ ଥିଲା। କିନ୍ତୁ ସେ ବିବାହ ପରେ ଆଉ ବାପା-ମାଙ୍କ ସହ ସଂପର୍କ ରଖି ନଥିଲେ। ଫଳରେ ବୃଦ୍ଧ ଦମ୍ପତି ୬ବର୍ଷ ହେଲା ଭୁବନେଶ୍ବରର ଏକ ମନ୍ଦିରରେ ରହୁଥିଲେ। ଗଲା ଜାନୁଆରୀ ୧୮ରେ ଭିକାରୀ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ଫଳରେ ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଏସ୍‌ସିବିକୁ ରେଫର କରିଥିଲେ ଡାକ୍ତର। ଏସ୍‌ସିବି ନ୍ୟୁରୋସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିବା ଭିକାରୀଙ୍କ ପାଖରେ ଦେଖାରେଖା କରୁଥିଲେ ସାବିତ୍ରୀ। ହେଲେ ଗଲାକାଲି ରାତିରେ ଭିକାରୀ ବାଥରୁମ୍‌କୁ ପରିସ୍ରା ପାଇଁ ଯାଇଥିବାବେଳେ ସେଠାରେ ତଳେ ପଡିଯାଇଥିଲେ। ତାଙ୍କୁ ସେଠାରୁ ଉଠାଇ ପୁଣି ୱାର୍ଡକୁ ଅଣାଯାଇଥିଲା। କିନ୍ତୁ ରାତି ପ୍ରାୟ ୨ଟାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଅସହାୟ ସାବିତ୍ରୀଙ୍କ ବ୍ୟତୀତ ଭିକାରୀଙ୍କ ଶବ ସତ୍କାର ପାଇଁ ଆଉ କେହି ନଥିଲେ। ଏଭଳି ସ୍ଥିତିରେ ୱାର୍ଡ ବାରଣ୍ଡାରେ ସ୍ବାମୀର ଶବକୁ ଜଗି ବାହୁନି ହେଉଥିଲେ ସାବିତ୍ରୀ।

ଏ ସଂପର୍କରେ ଖବର ପାଇ ଆଜି ଦିନ ପ୍ରାୟ ୧୧ଟାରେ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ପହଞ୍ଚି ସାବିତ୍ରୀଙ୍କୁ ସହଯୋଗ କରିଥିଲେ। ଖାନ୍‌ନଗର ସ୍ବର୍ଗଧାମରେ ଭିକାରୀଙ୍କ ମୃତଦେହକୁ ସତ୍କାର କରିଥିଲେ। ଶବ ସତ୍କାର କରାଯିବା ପରେ ଅସହାୟ ସାବିତ୍ରୀଙ୍କୁ ସେ ଭୁବନେଶ୍ବରରେ ରହୁଥିବା ମନ୍ଦିରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର