ହାତୀପଲଙ୍କ ଆକ୍ରମଣରେ ୨ ମୃତ, ଜୀବନ ହରାଇଲେ ବୃଦ୍ଧ ଓ ନାବାଳକ

ଗାଲେରୀ ବନାଞ୍ଚଳରେ ୨୨ ଟିକିଆ ହାତୀପଲ, ଛୁଆ ଜନ୍ମ ଦେଇଛି ଏକ ହାତୀ 

ଭଞ୍ଜନଗର: ହାତୀପଲଙ୍କ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାର ଶିକାର ହୋଇଛନ୍ତି ଜଣେ ବୃଦ୍ଧ ଓ ୧୨ବର୍ଷର ବାଳକ। ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁଣ୍ଢରେ ଧରି କଚାଡି ଦେବାରୁ ଗୁରୁତର ଭାବେ ଆହତ ହୋଇଥିବା ନାବାଳକକୁ ବ୍ରହ୍ମପୁର ସ୍ଥାନାନ୍ତର କରୁଥିବା ବେଳେ ଆସିକା ନିକଟରେ ପ୍ରାଣ ଛାଡ଼ିଛି। ଏଭଳି ହାତୀ ମଣିଷ ମୁହାଁମୁହିଁ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଲେରୀ ବନାଞ୍ଚଳର ବଦାଙ୍ଗୀ ସେକ୍ସନ ହରିଗଡ ବିଟ୍‌ ନୂଆଁପଲ୍ଲୀ ନିକଟସ୍ଥ କାଜୁ ବଗିଚାରେ। ଏଠାରେ ଏକ ମାଈ ହାତୀ ଛୁଆକୁ ଜନ୍ମ ଦେଇଥିବା ବେଳେ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଭିଡ ଜମାଇଥିଲେ।

ଲୋକଙ୍କ କୋଳାହଳ ଶୁଣି ଏକ ଦନ୍ତାହାତୀ ସମତେ ହାତୀପଲ ଲୋକମାନଙ୍କ ଆଡକୁ ଆକ୍ରମଣ କରିବା ପାଇଁ ଦୌଡି ଆସିଥିଲେ। ଏହି ସମୟରେ ହାତୀ ହାବୁଡେ ପଡି ହାତୀର ଆକ୍ରମଣରେ ନୂଆଁପଲ୍ଲୀ ଗ୍ରାମର ଜଣେ ବୃଦ୍ଧ ଶୁକୁରିଆ ନାଇକ(୬୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗାଲେରୀ ଜଳି ସାହିର ଶିବରାମ ଗୌଡର ୧୨ ବର୍ଷର ପୁଅ ଗଣେଷ ଗୌଡ ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଆହତକୁ ପ୍ରଥମେ ଗାଲେରୀ ଗୋଷ୍ଠି ସ୍ବାସ୍ଥ କେନ୍ଦ୍ର ଏବଂ ଏହାପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ହାତୀ ଆକ୍ରମଣରେ ଶୁକୁରିଆର ମୃତ୍ୟୁ ଘଟିବା ପରେ ମଧ୍ୟ ହାତୀ ପଲ ମୃତଦେହ ନିକଟରେ ଜଗି ରହିଥିବାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ତାର ମୃତଦେହକୁ ଉଦ୍ଧାର କରାଯାଇ ପାରିନି।

ସୂଚନା ଅନୁଯାୟୀ, ଗାଲେରୀ ବନାଞ୍ଚଳର ବଦାଙ୍ଗୀ, ହରିଗଡ, ନୂଆଁପଲ୍ଲୀ ଇଲାକାରେ ଗତ କିଛ ଦିନ ହେଲା ୨୨ ଟିକିଆ ହାତୀପଲର ଚଳପ୍ରଚଳ ରହିଛି। ଗତକାଲି ନୂଆଁପଲ୍ଲୀ ଠାରୁ ମାତ୍ର ୨୦୦ ମିଟର ଦୂର ଏକ କାଜୁ ବଗିଚା ଭିତରେ ସେହି ହାତୀପଲ ମଧ୍ୟରୁ ଗୋଟିଏ ମାଈ ହାତୀ ଏକ ଛୁଆକୁ ଜନ୍ମ ଦେଇଥିଲା। ଗ୍ରାମବାସୀ ଜାଣିବା ପରେ ଏହି ଖବର ବନ ବିଭାଗ କର୍ମଚାରୀ ମାନଙ୍କୁ ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ମାନେ ସେହି ସ୍ଥାନକୁ ଆସିବା ସହ ହାତୀପଲ ନିକଟକୁ ନଯିବା ପାଇଁ ଗ୍ରାମବାସୀମାନଙ୍କୁ କହିଥିଲେ। ହାତୀଛୁଆ ଜନ୍ମ ହେବା ପରେ ଏହାପର ଠାରୁ ହାତୀପଲ ସେଠାରେ ହିଁ ରହିଥିଲେ।

ଆଜି ସକାଳ ସମୟରେ ହାତୀ ଛୁଆ ଜନ୍ମ ଦେଇଥିବା ଖବର ପ୍ରଚାରିତ ହେବା ପରେ ତାକୁ ଦେଖିବା ପାଇଁ କୌତୁହଳ ବଶତଃ ଆଖପାଖ ଗ୍ରାମରୁ ଶତାଧିକ ଲୋକ ସେହି କାଜୁ ବଗିଚାରେ ଭିଡ଼ ଜମାଇଥିଲେ। ଅତି ନିକଟରୁ ହାତୀପଲର ଫୋଟ ଉଠାଇବା ସହ ଲୋକ ମାନଙ୍କ ପାଟିତୁଣ୍ଡରେ ହାତୀପଲ ନିଜକୁ ଅସୁରକ୍ଷିତ ମନେ କରି ଅନେକ ଥର ଘଉଡାଇ ଆଣିଥିଲେ। ଏହାପରେ ମଧ୍ୟ ବାରମ୍ବାର ଲୋକ ମାନେ ସେଠାକୁ ଯିବା ସହ ହାତୀ ଛୁଆକୁ ଦେଖିବା ପାଇଁ ଉଦ୍ୟମ କରୁଥିଲେ। ତେବେ କମ୍ ସଂଖ୍ୟକ ବନ କର୍ମଚାରୀ ଶତାଧିକ ଲୋକଙ୍କୁ ଘଉଡାଇବାରେ ବିଫଳ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନଯାୟୀ, ଆଜି ମଧ୍ୟାହ୍ନ ସମୟରେ ହଠାତ୍ ଏକ ଦନ୍ତାହାତୀ ଲୋକ ମାନଙ୍କୁ ଗୋଡାଇ ଆସିଥିଲା। ଏହି ସମୟରେ ଲୋକେ ଦୌଡି ଆସିବା ସମୟରେ ଖଣ୍ଡିଆ ଖାବରା ହୋଇଥିଲେ।

ଏହି ସମୟରେ ନୂଆଁପଲ୍ଲୀର ଶୁକୁରିଆ ଏକ ଗଛ ଉପରେ ଚଢି ଦେଖୁଥିବା ବେଳେ ଦେଡି ଆସିପାରି ନଥିଲେ ତାଙ୍କୁ ଏକ ହାତୀ ଦଳି ଦେଇଥିଲା। ଏଥିସହ ଏକ ଦନ୍ତା ହାତୀ ଗଣେଶକୁ ନିଜ ଶୁଣ୍ଢରେ ବୁଲାଇ ଫୋପାଡି ଦେଇଥିଲା। ସେଠାରେ ଥିବା କିଛି ଲୋକ ତୁରନ୍ତ ଗଣେଶକୁ ସେଠାରୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ଶୁକୁରିଆର ମୃତଦେହକୁ ହାତୀପଲ ଜଗି ରହିଥିବା ବେୁଳେ ଗଣେଶକୁ ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ରାସ୍ତାରେ ତା’ର ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳାଇଙ୍କ ସମେତ ଏସିଏଫ ସୁଦର୍ଶନ ବାଦୀ, ରେଞ୍ଜର ଉମାକାନ୍ତ ଦାସଙ୍କ ସମେତ ବନପାଳ ଓ ବନରଖିମାନେ ଉପସ୍ଥିତ ରହି ଘଟଣାର ତଦନ୍ତ କରିବା ସହ ହାତୀପଲ ଉପରେ ନଜର ରଖିଛନ୍ତି। ହତୀପଲ ସେହି ସ୍ଥାନ ଛାଡି ଯିବା ପାଇଁ ଆଖପାଖ ଅଞ୍ଚଳ ଜନଶୂନ୍ୟ କରିବା ସହ ଗାଲେରୀ ବଦାଙ୍ଗି ରାସ୍ତା ସଂପୂର୍ଣ୍ଣ ବନ୍ଦ କରାଯାଇଛି। ହତୀପଲ ମୃତଦେହକୁ ଛାଡି ଯିବା ପରେ ଶୁକୁରିଆର ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ ବୋଲି ଏସିଏଫ୍ ଶ୍ରୀ ବାଦୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର