ଆଶା ଦେଖାଇଲେ ଅଶ୍ୱିନୀ: ଟ୍ରାକ୍‌କୁ ଫେରିବ ପୁରୁଣା ପ୍ରକଳ୍ପ

ଗଡ଼ିବ ଆଉ ୪୦୦ ବନ୍ଦେ ଭାରତ ଟ୍ରେନ୍‌
ଟ୍ରେନ୍‌ ସହ ଯୋଡ଼ିହେବ ଡାକ ବିଭାଗ
ଷ୍ଟେସନରେ ଉପଲବ୍ଧ ହେବ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ବର : କେନ୍ଦ୍ର ବଜେଟ୍‌ରେ ରେଳ ମନ୍ତ୍ରଣାଳୟ ପାଇଁ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହା ପୂର୍ବ ଆର୍ଥିକ ବର୍ଷ ବଜେଟ ତୁଳନାରେ ପ୍ରାୟ ୨୦ ହଜାର କୋଟି ଅଧିକ। ଏହାଦ୍ବାରା ଆଗରୁ ଅଟକି ରହିଥିବା ଦେଶର ପ୍ରମୁଖ ପ୍ରକଳ୍ପଗୁଡ଼ିକ ପୁଣିଥରେ ଟ୍ରାକ୍‌କୁ ଫେରିବ ଏବଂ କାର୍ଯ୍ୟଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ଆଗକୁ ବଢ଼ିବାରେ ସହାୟକ ହେବ। ଷ୍ଟେସନଗୁଡ଼ିକର ବିକାଶ ପାଇଁ ମଧ୍ୟ ଏହା ଫଳପ୍ରଦ ହେବ। ୩ ମାସ ତଳେ ଷ୍ଟେସନଗୁଡ଼ିକର ବିକାଶ ଲାଗି ୧୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଚଳିତ ବଜେଟ୍‌ରେ ବ୍ୟୟ ବରାଦ ଅର୍ଥ ଦ୍ବାରା ଏହା ଆହୁରି ଆଗକୁ ବଢ଼ିବ। ବୈଷୟିକ ଓ ଯାତ୍ରୀ ନିରାପତ୍ତାକୁ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

ନୂଆଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଳ ବଜେଟ୍‌ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଭାରତ ନିଜସ୍ବ ଜ୍ଞାନକୌଶଳରେ ପ୍ରସ୍ତୁତ ବନ୍ଦେ ଭାରତ ଟ୍ରେନ୍‌ର ପ୍ରଥମ ପର୍ଯ୍ୟାୟ ଏବେ ଚାଲୁ ରହିଛି। ଯାହାର ବେଗ ଘଣ୍ଟା ପ୍ରତି ୧୮୦ କିମି ରହିଛି। ଦ୍ବିତୀୟ ପର୍ଯ୍ୟାୟର ଡିଜାଇନ୍‌ ପ୍ରସ୍ତୁତ ସହ ଏବେ ନିର୍ମାଣ ଜାରି ରହିଛି। ଏପ୍ରିଲ୍‌ରେ ଏହାର ଟେଷ୍ଟିଂ ଆରମ୍ଭ ହୋଇଯିବ। ଅଗଷ୍ଟ କିମ୍ବା ସେପ୍ଟେମ୍ବର ବେଳକୁ ଏହାର ଉତ୍ପାଦନ ଆରମ୍ଭ ହେବ। ପ୍ରତି ମାସରେ ୭ରୁ ୮ଟି ବନ୍ଦେ ଭାରତ ଟ୍ରେନ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ୍‌ ଟ୍ରାକ୍‌କୁ ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି। ଏହାଦ୍ବାରା ଯାତ୍ରୀଙ୍କୁ ଉନ୍ନତ ସେବା ମିଳିପାରିବ ଏବଂ ସୁରକ୍ଷା ବଢ଼ିବ। ଏବେ ପ୍ରତିବର୍ଷ ୮୫୦ କୋଟି ଯାତ୍ରୀ ଟ୍ରେନ୍‌ ଉପରେ ନିର୍ଭରଶୀଳ। ଦୈନିକ ଅଢ଼େଇ କୋଟି ଯାତ୍ରୀ ଟ୍ରେନ୍‌ରେ ଯାତାୟତ କରୁଛନ୍ତି। ସମସ୍ତ ବର୍ଗର ଯାତ୍ରୀଙ୍କ ଲାଇଫ୍‌ ଲାଇନ୍‌ ଟ୍ରେନ୍‌ ପାଲଟିଥିବାରୁ ପାସେଞ୍ଜର, ଇଣ୍ଟରସିଟି, ଏକ୍ସପ୍ରେସ୍‌ ଆଦି ଟ୍ରେନ୍‌ ଚଳାଚଳ କରୁଛି। ନୂଆ ନୂଆ କୋଚ୍‌ରେ ବସିବା ପାଇଁ ଲୋକେ ଚାହୁଁଛନ୍ତି। ଏବେ ଦୁଇଟି ବନ୍ଦେ ଭାରତ ଟ୍ରେନ୍‌ ଚାଲୁଛି। ଯେଉଁଥିରେ ପ୍ରାୟ ୯୫% ସିଟ୍ ପୂରଣ ହେଉଛି। ଯାତ୍ରୀମାନେ ଏବେ ଆହୁରି ଆବଶ୍ୟକ କରୁଛନ୍ତି।

ଉପାନ୍ତ ଅଞ୍ଚଳରେ ଥିବା ବ୍ୟବସାୟୀ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କେଉଁ ଭଳି ଭାବେ ରେଳ ସହ ଯୋଡ଼ାଯାଇ ପାରିବ ସେଦିଗରେ ପଦକ୍ଷେପ ନିଆଯାଉଛି। ପୋଷ୍ଟ ଅଫିସ୍‌ ଓ ରେଳ ସହ ସମସ୍ତଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଝାଡ଼ଖଣ୍ଡରେ ଉତ୍ପାଦିତ ହେଉଥିବା ସାମଗ୍ରୀ କିଭଳି ମୁମ୍ବାଇ ବଜାରରେ ଉପଲବ୍ଧ ହୋଇପାରିବ ସେଦିଗରେ ପଦକ୍ଷେପ ନିଆଯିବ। ପାର୍ସଲ ସର୍ଭିସ୍‌ ଆରମ୍ଭ ହୋଇଥିଲେ ମଧ୍ୟ ସେଥିରେ ବହୁତ ସମସ୍ୟା ରହିଛି। ମାତ୍ର ଏବେ ଆରମ୍ଭ ହେବାକୁ ଥିବା ଯୋଜନା ଦ୍ବାରା ଦେଶର ଅର୍ଥନୀତି ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଗରିବଙ୍କ ରୋଜଗାର ବଢ଼ିବ। ଯାହାର ଫଳ ଏବେ ଆକଳନ କରାଯାଇପାରିବ ନାହିଁ। ବରଂ ଭବିଷ୍ୟତରେ ଏହାର ଲାଭ ମିଳିବ। ଦେଶର ଦେଢ଼ ଲକ୍ଷ ଡାକ ଅଫିସ୍‌ ଓ ୮ ହଜାର ରେଳ ଷ୍ଟେସନକୁ ସଂଯୋଗ କରି ଏକକ ବୈଷୟିକ ଜ୍ଞାନକୌଶଳ ପ୍ରସ୍ତୁତ କରାଯିବ। ଏହା ଆସନ୍ତା ୨୫ ବର୍ଷ ପାଇଁ ଗେମ୍‌ ଚେଞ୍ଜର୍‌ ପାଲଟିବ।

ରେଳ ଷ୍ଟେସନର ବିକାଶ ପାଇଁ ବଜେଟ୍‌ରେ ସ୍ବତନ୍ତ୍ର ପ୍ରସ୍ତୁତ ହୋଇଛି। ଅଧିକରୁ ଅଧିକ ଲୋକ କିଭଳି ଷ୍ଟେସନ ସହ ଯୋଡ଼ି ହେବେ ସେଥିପ୍ରତି ଗୁରୁତ୍ବ ଦେବାକୁ ପଡ଼ିବ। କେତେ ଷ୍ଟେସନର ବିକାଶ ହେବ ସେନେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ବରଂ କହିଛନ୍ତି ଯେ ଆସନ୍ତା ୫୦ ବର୍ଷକୁ ନଜରରେ ରଖି ରେଳ ଷ୍ଟେସନଗୁଡ଼ିକର ବିକାଶ କରାଯିବ। ଏବେ ଦୈନିକ ୪ ମିଲିୟନ୍‌ ଟନ୍‌ ମାଲ୍‌ ଲୋଡ୍‌ ହେଉଛି। ଆଗକୁ ଦୈନିକ ୪.୫ ମିଲିୟନ୍‌ ଟନ୍‌ ଲୋଡ୍‌ କରିବାକୁ ଲକ୍ଷ୍ୟ ରଖାଯାଉଛି। ପିଏମ୍‌ ଗତି ଶକ୍ତି କ‌ାର୍ଗୋ ସେକ୍ଟରରେ ରେଳ ମନ୍ତ୍ରଣାଳୟର ବଡ଼ ଦାୟିତ୍ବ ରହିଥିବା ନେଇ ରେଳମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର