ଘରସହ ଜଳିଗଲେ ବୃଦ୍ଧ

ସିଂହପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ବାଛୋଳ ପଞ୍ଚାୟତ ଦାଣ୍ତିସାହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ତ ଘଟି ଜଣେ ଜିଅନ୍ତା ଜଳି ଯାଇଛନ୍ତି। ଘରର ସମସ୍ତ ଆସବାବପତ୍ର ଏବଂ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦାଣ୍ଡିସାହି ଗ୍ରାମର ଜଗବନ୍ଧୁ ଦାସ(୬୪)ଗତକାଲି ରାତିରେ ଖାଇସାରି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ୍ ଘର ଜଳି ଉଠିଥିଲା। ନିଆଁର ପ୍ରକୋପ ଜୋର୍‌ ଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପାରି ନଥିଲେ। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେହି ଘରୁ ଜଗବନ୍ଧୁ ବାହାରି ପାରି ନଥିଲେ। ଜିଅନ୍ତା ଜଳି ଯାଇଥିଲେ। ଜଗବନ୍ଧୁଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଆଜି ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ତ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜଗବନ୍ଧୁଙ୍କ ପରିବାର ଗତକାଲି ରାତିରେ ଘରେ ଉପସ୍ଥିତ ନଥିବା ବେଳେ ଜଗବନ୍ଧୁ ଖାଇସାରି ଶୋଇଥିବା ସମୟରେ ଏହି ଅଗ୍ନିକାଣ୍ତ ଘଟିଥିଲା। ଏଭଳି ଏକ ଦୁଃଖଦ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଗବନ୍ଧୁଙ୍କ ପୁଅ ମାନସିକ ଅନଗ୍ରସର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର