ଡାକ୍ତର ଲଳିତ ବେହେରାଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କଲା ଓମ୍‌ସା

ଅତ୍ୟାଧୁନିକ ଗ୍ଲୋବସ, ଏନ୍-୯୫ ମାସ୍କ, ସାନିଟାଇଜର ଯୋଗାଇ ଦେବାକୁ ଦାବି

ଭୁବନେଶ୍ବର : କରୋନା ମୁକାବିଲା ଲାଗି ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଥିବା ବେଳେ ତୃତୀୟ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବା ବିଧାନସଭା ଡିସପେନସାରି ଡାକ୍ତର ଲଳିତ ମୋହନ ବେହେରାଙ୍କୁ ନିଲମ୍ବନ ଘଟଣା ଦୁର୍ଭାଗ୍ୟଜନକ। କରୋନା ଯୁଦ୍ଧରେ ଡାକ୍ତର ମୁଖ୍ୟ ଯୋଦ୍ଧା ହୋଇଥିବା ବେଳେ ବିନା କୌଣସି ତଦନ୍ତରେ ଡାକ୍ତର ବେହେରାଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା ଅନ୍ୟ ଡାକ୍ତରଙ୍କୁ ମାନସିକସ୍ତରରେ ଆଘାତ ଦେବ। ତେଣୁ ମୁଖ୍ୟମନ୍ତ୍ରୀ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଉ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା) ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ମାସର ଆଗୁଆ ଦରମା ଘୋଷଣା କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହା ପରିବର୍ତ୍ତେ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କୁ ଗ୍ଲୋବସ୍, ଏନ୍ ୯୫ ମାସ୍କ, ସାନିଟାଇଜର ଭଳି ସାମଗ୍ରୀ ଯୋଗାଇ ଦେଲେ ଆହୁରି ଭଲ ହେବ ବୋଲି ଓମ୍‌ସା ସଭାପତି ଡାକ୍ତର ନାରାୟଣ ରାଉତ ଓ ସାଧାରଣ ସମ୍ପାଦକ ଡାକ୍ତର ବିଶ୍ବଜିତ ସାମଲ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର