ଗଛରେ ପିଟିହେଲା ଭ୍ୟାନ୍‌: ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

କାଲିମେଳା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଭ୍ୟାନ୍‌। ଘଟଣାସ୍ଥଳରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁୁରୁତର ଥିବାର ଜଣାପଡ଼ିଛି। ମୃତ ଜଣଙ୍କ ହେଲେ ସୁନାବେଡ଼ା ଡ଼ିପି କ୍ୟାମ୍ପର ସୁଦାସ ମଣ୍ଡଳ(୫୨) ଓ ଗୁରୁତର ଜଣଙ୍କ ହେଲେ ଅରୁଣ ମଣ୍ଡଳ(୫୧)।

ସୂଚନା ଅନୁସାରେ ସୁଦାମ ଓ ଅରୁଣ ଏକ ଭ୍ୟାନ୍‌ରେ ସୁନାବେଡ଼ାରୁ କାଲିମେଳା ଜଣେ ସଂପର୍କୀୟ ଘରକୁ ବୁଲିବାକୁ ଆସିଥିଲେ। ଆଜି ପୋଟେରୁ ହେଉଥିବା ଦୋଳଯାତ୍ରା ଦେଖିବାକୁ ଓମିନି ଧରି ସେମାନେ କାଲିମେଳାରୁ ପୋଟେରୁ ଅଭିମୁଖେ ଯାଉଥିବାବେଳେ ଆଜି ଅପରାହ୍ନ ୩ଟା ସମୟରେ ୩୨୬ ଜାତୀୟ ରାଜପଥର କାଂଗୁରକୋଣ୍ଡା ନିକଟରେ ଭାରସାମ୍ୟ ହରାଇ ଓମିନିଟି ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଗାଡ଼ିରେ ବସିଥିବା ସୁଦାସ ମଣ୍ଡଳଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଗାଡ଼ି ଚଳାଉଥିବା ଅରୁଣ ମଣ୍ଡଳଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

ଖବର ପାଇ ଆମ୍ଭୁଲାନ୍ସ ଯୋଗେ ଉଭୟଙ୍କୁ କାଲିମେଳା ମେଡ଼ିକାଲକୁ ଅଣାଯାଇଥିଲା। ମୃତ୍ୟୁବରଣ କରିଥିବା ସୁଦାସ ମଣ୍ଡଳଙ୍କ ଶବ କାଲିମେଳା ମେଡ଼ିକାଲରେ ରହିଥିବାବେଳେ ଗୁରୁତର ଆହାତ ହୋଇଥିବା ଅରୁଣ ମଣ୍ଡଳଙ୍କୁ ମାଲକାନଗିରି ସ୍ଥାନାନ୍ତର କରାଯାଇଥିବାର ଜଣାପଡ଼ିଛି। ଗାଡ଼ି ଚଳାଉଥିବା ଅରୁଣ ମଣ୍ଡଳଙ୍କ ଆଖି ଲାଗି ଯିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ମୃତକଙ୍କ ପରିବାରକୁ ଖବର ଦିଆଯାଇଥିବାବେଳେ ସେମାନେ ଆସିଲେ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର