ପୁଲିସ ଗାଡ଼ି ଧକ୍କାରେ ଜଣେ ମୃତ; କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ରା.ଉଦୟଗିରି: ପୁଲିସ ଗାଡ଼ି ଧକ୍କାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲା ରାମଗିରି ଉଦୟଗିରିରେ ଆଜି ଅପରାହ୍‌ଣ ୨ଟା ୪୫ରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ସରସ ଆନନ୍ଦ (୫୫)।

ସୂଚନା ଅନୁସାରେ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି ପାରଳାଖେମୁଣ୍ଡି ଠାରେ ଆୟୋଜିତ ‘ନୂଆ-ଓ’ ଏବଂ ରାମଗିରିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗଜପତି ଗସ୍ତ କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ହେଲିକପ୍ଟର ଦେଖିବା ପାଇଁ ସରସ ଆନ୍ଦ ରାମଗିରି ଯାଇଥିଲେ। କାର୍ଯ୍ୟକ୍ରମ ପରେ ପାଣ୍ଡିଆନ୍‌ ଫେରିଯାଇଥିଲେ। ସୁରକ୍ଷା ଗାଡିଗୁଡ଼ିକ ମଧ୍ୟ ନିଜନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା। ତେବେ ସୁରକ୍ଷା ଗାଡ଼ି ଫେରିବା ସମୟରେ ପରିସଲ ଠାରେ ଏକ ଦୁର୍ଘଟଣା ଘଟିଥିଲା। ରାମଗିରିରୁ ଲୁନା ଏକ୍ସେଲରେ ଫେରୁଥିବା ସରସ ଆନନ୍ଦଙ୍କୁ ପଛପଟୁ ଏକ ସୁରକ୍ଷା ଗାଡ଼ି ଧକ୍କା ଦେଇଥିଲା। ଆଉ ଧକ୍କା ଦେବା ପରେ ଗୁରୁତର ଆହତ ସରସ ଆନନ୍ଦଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା ନିଜେ ଧକ୍କା ଦେଇଥିବା ପୁଲିସ ଗାଡ଼ି। ଗୁରୁତର ଆହତ ସରସ ଆନନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପୁଲିସ ଗାଡ଼ି ଚମ୍ପଟ ମାରିଥିଲା।

ସରସ ଆନନ୍ଦଙ୍କ ମୃତ୍ୟୁ ପରେ ପରିସଲ ଗ୍ରାମ ଓ ରା.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଡାକ୍ତରଖାନାରେ ତହସିଲଦାର ଜ୍ୟୋତିମୟ ଦାସ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଦୁର୍ଘଟଣା ପରେ ମୃତକ ପରିବାରକୁ କେମିତି କ୍ଷତିପୂରଣ ଦେଇ ଘଟଣାକୁ କେମିତି ପ୍ରଶମିତ କରିବା ଚିନ୍ତାରେ ଥିବାବେଳେ ପରିସଲ ଗ୍ରାମରେ ସରସ ଆନନ୍ଦଙ୍କ ପରିବାରବର୍ଗ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି। ମୃତ ବାପାଙ୍କ ଶବ ନିକଟରେ ସାନ ପୁଅ ମୁନା ଆନନ୍ଦ ଅଛନ୍ତି।

ସୂଚନାଯୋଗ୍ୟ, ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି ଦିନିକିଆ ଗଜପତି ଗସ୍ତ କରିଥିଲେ। ସେ ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଥିଲେ। ସେହିପରି ରାମଗିରିସ୍ଥିତ ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ଆୟୋଜିତ ସଭାରେ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍‌ ବିକାଶର ହିସାବ ଦେଇଥିଲେ। ୭ ମାସ ଭିତରେ ଗଜପତି ଜିଲ୍ଲାକୁ ପ୍ରାୟ ୧୨୦ କୋଟି ଟଙ୍କା ମିଳିଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର