ନାମକୁ ମାତ୍ର ‘ୱାନ୍ ନେସନ୍, ୱାନ୍ ରାସନ୍’, ରାଜ୍ୟ ଗ୍ରହଣ କଲା; କାର୍ଯ୍ୟକାରୀ କରିବାକୁ କୁନ୍ଥକୁନ୍ଥ

୮ ରାଜ୍ୟରେ ରାସନ୍‌ ନେଇଛନ୍ତି ୩୬ ଓଡ଼ିଆ, ରାଜ୍ୟ ଭିତରେ ବାହାର ଜିଲ୍ଲା ଲୋକଙ୍କୁ ଅନୁମତି ନାହିଁ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ‘ୱାନ୍‌ ନେସନ୍‌, ୱାନ୍‌ ରାସନ୍‌’ ନୀତିକୁ ଗ୍ରହଣ କଲେ, କିନ୍ତୁ କାର୍ଯ୍ୟକାରୀ କରିବାକୁ କୁନ୍ଥକୁନ୍ଥ ହେଉଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ ଜୁନ୍‌ ମାସରେ ଓଡ଼ିଶାର ମାତ୍ର ୩୬ ଜଣ ବ୍ୟକ୍ତି ୮ଟି ରାଜ୍ୟରେ ରାସନ୍‌ ନେଇଛନ୍ତି। ସବୁଠୁ ବଡ଼ ବିଡ଼ମ୍ବନା ହେଲା, ରାଜ୍ୟ ଭିତରେ ବାହାର ଜିଲ୍ଲା ଲୋକଙ୍କୁ ଏହି ସୁବିଧା ମିଳିନାହିଁ। କରୋନା ଭଳି ମହାମାରୀ ସମୟରେ ଦୁର୍ଦ୍ଦଶା ଭିତରେ ଥିବା ଅନେକ ପ୍ରବାସୀଙ୍କ ନିକଟରେ ରାସନ ସାମଗ୍ରୀ ପହଞ୍ଚାଇବାକୁ ଏହି ଯୋଜନା ହୋଇଥିଲା। କିନ୍ତୁ ମହାମାରୀ ଯୋଗୁଁ ହିଁ ସେହି ଯୋଜନା କାର୍ଯ୍ୟକାରୀ କରାଯାଇ ପାରୁନଥିବା କହିଛି ରାଜ୍ୟ ଯୋଗାଣ ବିଭାଗ।

ଗତବର୍ଷ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ବିକଳ ସ୍ଥିତି ଦେଖି ମେ’ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ୱାନ୍‌ ନେସନ୍‌, ୱାନ୍‌ ରାସନ୍‌’ ଯୋଜନା। ଦେଶର ଯେକୌଣସି ସ୍ଥାନରେ ରହୁଥିବା ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟକୁ ଗଲେ ମଧ୍ୟ ନିଜ ରାସନ୍‌ କାର୍ଡ ଜରିଆରେ ଖାଦ୍ୟ ସୁରକ୍ଷା ଯୋଜନାର ହକ୍‌ଦାର ହୋଇ ପାରିବେ। ୨୦୨୧ ମାର୍ଚ ମାସ ଶେଷ ସୁଦ୍ଧା ସବୁ ରାଜ୍ୟ ଏହା କାର୍ଯ୍ୟକାରୀ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଗତ ଫେବ୍ରୁଆରି ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ଯୋଜନା ୩୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିବା କହିଥିଲେ। ମାତ୍ର କେନ୍ଦ୍ର ସରକାରଙ୍କ ଫୁଡ୍‌ ଆଣ୍ଡ ପବ୍ଲିକ୍‌ ଡିଷ୍ଟ୍ରିବ୍ୟୁସନ ୱେବ୍‌ସାଇଟ୍‌ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତ ଜୁନ ମାସ ସୁଦ୍ଧା ୨୧ଟି ରାଜ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ୫୧ ହଜାର ୪୧୮ ହିତାଧିକାରୀ ଲାଭାନ୍ବିତ ହୋଇଛନ୍ତି। ବାହାର ରାଜ୍ୟରେ ରହୁଥିବା ଉତ୍ତରପ୍ରଦେଶର ସର୍ବାଧିକ ୪୯୫୫ ଲୋକ ୱାନ୍‌ ନେସନ୍‌ ୱାନ୍‌ ରାସନ୍‌ର ସୁବିଧା ନେଇଛନ୍ତି। କିନ୍ତୁ ଉତ୍ତରପ୍ରଦେଶରେ ରହୁଥିବା ବାହାର ରାଜ୍ୟର କାହାକୁ ଏହି ସୁବିଧା ମିଳି ନାହିଁ।

ଏହି ଯୋଜନାରେ ଅନ୍ୟ ରାଜ୍ୟର ଲୋକଙ୍କୁ ଲାଭ ଦେଇଥିବା ରାଜ୍ୟ ମଧ୍ୟରେ ଆଗରେ ଅଛି ହରିୟାଣା ଓ ମହାରାଷ୍ଟ୍ର। ହରିୟାଣାରେ ରହୁଥିବା ବାହାର ରାଜ୍ୟର ୧୭୦୭ ଜଣ ଏବଂ ମହାରାଷ୍ଟ୍ରରେ ରହୁଥିବା ଅନ୍ୟ ରାଜ୍ୟର ୧୪୦୫ ଜଣ ଏହି ଯୋଜନାରେ ଚାଉଳ, ଗହମ ପାଇଛନ୍ତି। ବାହାର ରାଜ୍ୟରେ ରହୁଥିବା ଯେଉଁ ଓଡ଼ିଆମାନେ ଏହାର ସୁବିଧା ପାଇଛନ୍ତି ସେଥିରୁ କର୍ଣ୍ଣାଟକରେ ୧୪, ଆନ୍ଧ୍ରପ୍ରଦେଶରେ ୪, କେରଳ, ହରିୟାଣା, ପଂଜାବର ଜଣେ ଲେଖାଏଁ, ଦାମନ ଆଣ୍ଡ ଡିୟୁରେ ୮, ଗୋଆରେ ୨, ଗୁଜରାଟରେ ୪ ଓଡ଼ିଆ ରହିଛନ୍ତି।

ବିଭିନ୍ନ ରାଜ୍ୟରେ ଯେତେ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରହୁଛନ୍ତି, ସେହି ତୁଳନାରେ ଏହାର ଲାଭ ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ନଗଣ୍ୟ। କା‌ରଣ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନଥିବା ‌ବେଳେ ଆନ୍ତରିକତା ମଧ୍ୟ କମ୍ ଥିବା ଦେଖାଯାଉଛି। ଏପରିକି ଲକ୍‌ଡାଉନ୍, କରୋନା ଭଳି ଦୁଃସ୍ଥିତି ମଧ୍ୟ ପ୍ରବାସୀ ଶ୍ରମିକଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ବଦଳାଇ ପାରିନାହିଁ। ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର ସମୀତ ପଣ୍ଡା କହିଛନ୍ତି, ‘ୱାନ୍‌ ନେସନ୍‌, ୱାନ୍‌ ରାସନ୍‌’ କାର୍ଯ୍ୟକାରୀ ପାଇଁ କିଛି ବିନ୍ଦୁର ସର୍ବାଧିକ ଗୁରୁତ୍ବ ରହିଛି। ପ୍ରଥମତଃ ବାହାରେ ରହୁଥିବା ହିତାଧିକାରୀଙ୍କ ପାଖରେ ନିଜ ରାସନ କାର୍ଡ ରହିବା ଆବଶ୍ୟକ ଏବଂ ରାସନ୍‌ କାର୍ଡ ସହିତ ଆଧାର ଲିଙ୍କ୍‌ ହୋଇ ରହିବା ଜରୁରୀ। ଆଇଏମପିଡିଏସ ଓ୍ବେବସାଇଟ୍‌ରେ ଏହି ତଥ୍ୟ ମଧ୍ୟ ରହିବା ଉଚିତ। ଏହା ବ୍ୟତୀତ ଯେଉଁ ରାସନ୍‌ ଦୋକାନରେ ହିତାଧିକାରୀ ରାସନ୍‌ ନେବେ ସେଠାରେ ବାୟୋମେଟ୍ରିକ୍ସ କିମ୍ବା ଆଇରିସ୍‌ ମେସିନ ବ୍ୟବସ୍ଥା ରହିବା ଆବଶ୍ୟକ। ଏଥିସହିତ ବିକ୍ରୟ ସମୟରେ ବିତରଣ ସଂସ୍ଥାରେ ଇଣ୍ଟରନେଟ ସଂଯୋଗ ରହିବା ଜରୁରୀ, ଯେମିତିକି ହିତାଧିକାରୀଙ୍କ ନିଜ ରାଜ୍ୟ ଏବଂ ରହୁଥିବା ରାଜ୍ୟ, ୱାନ୍‌ ନେସନ୍‌, ୱାନ୍‌ ରାସନ୍‌ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ହୋଇ ପାରୁଥିବ। ଅନେକ ସମୟରେ ଏହା ସମ୍ଭବ ହୋଇପାରେ ନାହିଁ। କେବଳ ସେତିକି ନୁହେଁ; ଅନ୍ୟ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ବେଳେ ସରକାରଙ୍କ ପକ୍ଷରୁ ଯେଉଁଭଳି ପ୍ରଚାର ପ୍ରସାର କରାଯାଏ; ଏହି ଯୋଜନାକୁ ପ୍ରଚାର ପ୍ରସାର କରାଯାଉନଥିବାରୁ ଏ ସମ୍ପର୍କରେ ଲୋକେ ଜାଣି ପାରୁ ନାହାନ୍ତି କି ଆବେଦନ ମଧ୍ୟ କରୁ ନାହାନ୍ତି।

ସମ୍ବନ୍ଧିତ ଖବର