ବୋର୍ଡର ଏକତରଫା ନିଷ୍ପତ୍ତିକୁ ବି‌‌ରୋଧ, ବୋର୍ଡ କାର୍ଯ୍ୟାଳୟ ଘେରାଉ ପାଇଁ ମିଳିତ ମଞ୍ଚର ଚେତାବନୀ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ପରୀକ୍ଷା ଓ ମୂଲ୍ୟାୟନ ସଂକ୍ରାନ୍ତୀୟ ନିଷ୍ପତ୍ତି ନେବାପୂର୍ବରୁ ବୁଦ୍ଧିଜୀବୀ, ଶିକ୍ଷାବିତ, ଛାତ୍ର-ଶିକ୍ଷକ-ଅଭିଭାବକ ସଂଗଠନ ସହ ଆଲୋଚନା କରନ୍ତୁ। ଛୁଟି ଓ ପର୍ବଦିନରେ ପରୀକ୍ଷା କରିବା ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ। ବିଦ୍ୟାଳୟଗୁଡ଼ିକର ସ୍ଥାୟୀ ସ୍ୱୀକୃତି ପାଇଁ ବ୍ୟବସ୍ଥା କରନ୍ତୁ। କରୋନା ସମୟର ସ୍ୱୀକୃତି ପାଇଁ ବିଦ୍ୟାଳୟ ଉପରେ ଧାର୍ଯ୍ୟ ‌ହୋଇଥିବା ଅର୍ଥକୁ ଛାଡ଼ କରନ୍ତୁ । ରାଜ୍ୟର ଛାତ୍ର-ଶିକ୍ଷକ-ଅଭିଭାବକ-ବୁଦ୍ଧିଜୀବୀ ମିଳିତ ମଞ୍ଚ ପକ୍ଷରୁ ଆଜି ଏହିଭଳି ଦାବି କରାଯାଇଛି। ନଚେତ୍‌, ଆସନ୍ତା ଡିସେମ୍ବର ୮ତାରିଖରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ସମେତ ସମସ୍ତ ‌ଜୋନ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ ଷୋଭ ପ୍ରଦର୍ଶନ କରାଯିବ ବୋଲି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ନୟାସଡ଼କସ୍ଥିତ ଓଷ୍ଟା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଷ୍ଟା ସମେତ ବିଭିନ୍ନ ଛାତ୍ର ସଙ୍ଗଠନ, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ଅଭିଭାବକ ସଂଘ ଅଂଶଗ୍ରହଣ କରି ବୋର୍ଡର ଏକତରଫା ନିଷ୍ପତ୍ତି ଓ ଏକତରଫା କାର୍ଯ୍ୟର ଦୃଢ଼ ପ୍ରତିବାଦ କରିଥିଲେ। ଓଷ୍ଟା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ସାହୁ, ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଯୁଗ୍ମ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷା ପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି, ଅଖିଳ ଭାରତୀୟ ଛାତ୍ର ସଂଘ ପକ୍ଷରୁ ସଂଘମିତ୍ରା ଜେନା, ଦୀନେଶ ରଞ୍ଜନ, ଭାରତୀୟ ଛାତ୍ର ଫେଡ଼େରେସନର ବିପ୍ଲବ କୁମାର, ଅନୁରାଧା ବେହେରା, ଏଆଇଡିଏସ୍‌ଓ ସଭାପତି ଗଣେଶ ତ୍ରିପାଠୀ, ବିନୋଦ ସେଠୀ, ତରୁଣସେନ ନାୟକ, ଶିବାନୀ ସାହୁ, ସରୋଜ ମାନସିଂହ, ଅଭିଭାବକ ସଂଘ ପକ୍ଷରୁ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ, ସର୍ବଭାରତୀୟ ଅଭିଭାବକ ସଂଘ ପକ୍ଷରୁ ପ୍ରଦୀପ୍ତ ନାୟକ, ଶିକ୍ଷାବିତ୍ ବାସୁଦେବ ଛାଟୋଇ, ଅମୀୟ ମହାନ୍ତି, ସୁରେନ୍ଦ୍ର ଜେନା, ପ୍ରାକ୍ତନ ଶିକ୍ଷା ପ୍ରଶାସକ ସତ୍ୟକାମ ମିଶ୍ର, ନିମାଇଁ ଚରଣ ସ୍ୱାଇଁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର