ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି ପୁରୀ ବଡ଼ଦାଣ୍ଡକୁ ମଦ, ଆମିଷ ମୁକ୍ତ କର

ଭୁବନେଶ୍ବର: ପୁରୀ ବଡଦାଣ୍ଡକୁ ମଦ, ଆମିଷମୁକ୍ତ କରିବା ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ନାଏକ ଦର୍ଶାଇଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ହେଉଛି ବିଶ୍ୱର ଏକ ପ୍ରମୁଖ ଆଧ୍ୟାତ୍ମିକ କ୍ଷେତ୍ର। ସାରା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ବିଶ୍ୱାସର ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ର ପୁରୀ। ବଡ଼ଦାଣ୍ଡ ହେଉଛି ଏକ ପବିତ୍ର ସ୍ଥାନ । ବର୍ଷକୁ ଥରେ ମହାପ୍ରଭୁ ଜଗନ୍ନାଥ ସେହି ପବିତ୍ର ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି।

ଶ୍ରୀ ନାଏକ ଚିଠିରେ ଲେଖିଛନ୍ତି, ବଡ଼ଦାଣ୍ଡରେ ଥିବା ଅନେକ ହୋଟେଲ ଓ ରେସ୍ତୋରାଁରେ ମଦ, ଆମିଷ ବିକ୍ରି କରାଯାଉଛି। ବିଳମ୍ବିତ ରାତ୍ରିରେ ଏପରିକି ଦିନବେଳେ ବି ମଦ ପିଇ ବଡ଼ଦାଣ୍ଡରେ ବିଶୃଙ୍ଖଳା କରୁଥିବାର ନଜିର ଅଛି। ଏହାଦ୍ୱାରା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ମନରେ ଓଡ଼ିଶା ପ୍ରତି ଏକ ନକାରାତ୍ମକ ଭାବନା ଆସୁଛି। ବହୁ ଆଗରୁ ଅନେକ ସାଧୁସନ୍ଥ ମଦ ବନ୍ଦ ପାଇଁ ଦାବି ଉଠାଇଛନ୍ତି। ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିରର ଚାରିପଟକୁ ସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏହା ସ୍ୱାଗତଯୋଗ୍ୟ। ଏଣୁ ଏବେ ଏ କ୍ଷେତ୍ରରେ ବି ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର