ଦୂରଦର୍ଶନ କେନ୍ଦ୍ର ବିରୋଧରେ ଚକ୍ରାନ୍ତର ପ୍ରତିବାଦ: ନୀଳଚକ୍ର ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ସମ୍ବଲପୁର : ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ସ୍ଥାଣୁ କରିବା ତଥା ଏହାକୁ ବନ୍ଦ କରିବା ଚକ୍ରାନ୍ତକୁ ବିରୋଧ କରି ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ‘ନୀଳଚକ୍ର’ ସମ୍ବଲପୁର ଶାଖା ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ ହୋଇଛି। ୧୯୭୮ ମସିହାରେ ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲ୍‌କୃଷ୍ଣ ଆଡ୍‌ଭାନୀଙ୍କ ଦ୍ବାରା ଉଦ୍‌ଘାଟିତ ରାଜ୍ୟର ଏହି ପ୍ରଥମ ଦୂରଦର୍ଶନ କେନ୍ଦ୍ର ଇତି ମଧ୍ୟରେ ଅଚଳାବସ୍ଥାରେ ପହଞ୍ଚି ଯାଇଛି। ଏହାର କାର୍ଯ୍ୟକ୍ରମ ବିଭାଗରେ ଜଣେ ବି କର୍ମଚାରୀ ନଥିଲାବେଳେ ପ୍ରଶାସନିକ ବିଭାଗରେ ହାତଗଣତି କିଛି ଜଣ କର୍ମଚାରୀ ଅଛନ୍ତି। ବୈଷୟିକ ବା ଯାନ୍ତ୍ରିକ ବିଭାଗରେ କିଛି କର୍ମଚାରୀ ଥିଲେ ବି ‌ଏହି କେନ୍ଦ୍ରରୁ ପରିଚାଳିତ ପ୍ରସାରଣ ସେବାକୁ ବନ୍ଦ କରି ଦିଆଯାଇଛି। ଅର୍ଥାତ୍ ଏହି କେନ୍ଦ୍ର ଅଧିନରେ ଥିବା ସମସ୍ତ ଏଚ୍‌ପିଟି ଓ ଏଲ୍‌ପିଟି ବନ୍ଦ ହୋଇଯାଇଛି।

ଦୂରଦର୍ଶନ କେନ୍ଦ୍ରର କୋଠା ଓ କିଛି କ୍ୟାମେରା ଓ ଯନ୍ତ୍ରପାତି ନାମକୁ ମାତ୍ର ରହିଛି। ସେଥିରୁ ବି କିଛି ଗୁରୁତ୍ବପୂର୍ଣ୍ଣ କ୍ୟାମେରା ୟୁନିଟ୍ ଓ ଉପକରଣ ମଝିରେ ମଝିରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ନା କେନ୍ଦ୍ରର କେହି ଜଣେ ନିୟମିତ ମୁଖ୍ୟ ଅଛନ୍ତି ନା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଲୋକ। ଏପରିକି କେନ୍ଦ୍ରର ସୁରକ୍ଷା ପାଇଁ ନିୟମିତ ସୁରକ୍ଷାକର୍ମୀ ମଧ୍ୟ ନାହାନ୍ତି। ଲଗାତାର ଭାବେ ଏହି ଦୂରଦର୍ଶନ କେନ୍ଦ୍ରକୁ ସ୍ଥାଣୁ କରିବା ପାଇଁ ପ୍ରସାର ଭାରତୀ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି। ସାଂସଦ ମାନେ ସଂସଦରେ ଏ ପ୍ରସଂଗ ଉଠାଇଥିଲେ ବି କିଛି ଫରକ ପଡ଼ୁ ନାହିଁ। ତେଣୁ ଏହାକୁ ସମ୍ବଲପୁରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବିରୋଧ କରି ଆସୁଛନ୍ତି। ଏବେ ଏହି ସ୍ଥିତିର ବିରୋଧ କରି ନୀଳଚକ୍ର ଧାରଣାକୁ ଓହ୍ଲାଇଛି। ସେମାନେ ଏହାକୁ ଆଞ୍ଚଳିକ ଦୂରଦର୍ଶନ କେନ୍ଦ୍ର ମାନ୍ୟତା ଦେଇ ପୂର୍ଣ୍ଣାଙ୍ଗ କେନ୍ଦ୍ରରେ ପରିଣତ କରିବା, ଏହାର ସବୁ ପଦପଦବିରେ କର୍ମଚାରୀ ନିଯୁକ୍ତ କରିବା, ଷ୍ଟୁଡିଓର ଉନ୍ନତି କରଣ ସହ ସବୁ ଯନ୍ତ୍ରପାତି ଓ ଉପକରଣ ପ୍ରଦାନ କରିବାକୁ ଦାବି କରିଛନ୍ତି।

ଶୁକ୍ରବାର ନୀଳଚକ୍ର ସମ୍ବଲପୁର ଶାଖାର ସଭାପତି ବଂଶୀଧର କରଙ୍କ ନେତୃତ୍ବ‌େର କାର୍ଯ୍ୟକାରୀ ସଭାପତି କାର୍ତ୍ତିକ ପ୍ରସାଦ ବହିଦାର, ସାଧାରଣ ସଂପାଦକ ଭକ୍ତ ପ୍ରସାଦ ପଣ୍ଡା, ଉପସଭାପତି ରବି ନାରାୟଣ ପଣ୍ଡା, ସଂସ୍କୃତି ସଂପାଦକ ସଚ୍ଚିଦାନନ୍ଦ ପ୍ରଧାନ, କାର୍ଯ୍ୟନିର୍ବାହୀ ସଂପାଦକ ରବି ନାରାୟଣ ମିଶ୍ର, ଭାଷା ସାହିତ୍ୟ ସଂପାଦକ ରମାକାନ୍ତ ବିଶ୍ବାଳ, ଉପାଧ୍ୟକ୍ଷ ଜୀବର୍ଦ୍ଧନ ରାଉତ, ଉପଦେଷ୍ଟା ନିରଂଜନ ସ୍ବାଇଁ, ସୁଶୀଲ କୁମାର ବେହେରା, ସୁବାସ ପଟ୍ଟନାୟକ, ଯୁଗ୍ମସଂପାଦକ ଯଶୋବନ୍ତ ପୁରୋହିତ, ଜୟରାମ ପ୍ରଧାନ, ବେଦମତୀ ପଧାନ, ଚତୁର୍ଭୁଜ ଗର୍ଡିଆ, ଜୟନ୍ତୀ ବାଗ, ଗୋପାଳ ରାଉତ, ମେଘନାଦ ବାଗ, ସୁଧାଂଶୁ ‌ପ୍ରଧାନ, ଦେବାଶିଷ ସାହୁ, ମେଘୁ ମୁଣ୍ଡା, ତ୍ରିବିକ୍ରମ ପୋଢ଼, ସୁରୁବାବୁ ରାଉତ, ରାଜେନ୍ଦ୍ର ପଣ୍ଡା, ତୁଷାରକାନ୍ତି ପ୍ରଧାନ, ପି ଭାଷ୍କର ରାଓ, ସୁଶାନ୍ତ ମହାପାତ୍ର, ପ୍ରଫୁଲ୍ଲ ଗୁରୁ ପ୍ରମୁଖ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର