ଅଭିଭାବକଙ୍କ ପାଇଁ ସ୍ୱର ଉଠାଇଲା ଓପାଫ୍‌: ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ଭୁବନେଶ୍ବର : ଲକ୍‌ଡାଉନ ସମୟରେ ଅଭିଭାବକଙ୍କ ଅସୁବିଧା, ପିଲାଙ୍କ ସୁରକ୍ଷା ଓ ବେସରକାରୀ ବିଦ୍ୟାଳୟଗୁଡ଼ିକର ମନମୁଖୀ ବ୍ୟବହାର ବିରୋଧରେ ସାରା ଦେଶରେ ଅଭିଭାବକଙ୍କ ସ୍ୱର ତେଜିବାରେ ଲାଗିଛି। ଏଥିରୁ ବାଦ୍‌ ପଡ଼ିନି ଓଡ଼ିଶା। ସ୍କୁଲ ଫି’ ଆଦାୟ ପ୍ରସଙ୍ଗକୁ ନେଇ ଓପାଫ୍‌(ଅର୍ଗାନାଇଜେସନ ଅଫ୍‌ ପ୍ୟାରେଣ୍ଟସ ଆସୋସିଏସନ ଫୋରମ) ସମେତ ଦେଶର ୮ଟି ରାଜ୍ୟର ଅଭିଭାବକ ସଂଘ ମିଳିତ ଭାବେ ସୁପ୍ରିମକୋର୍ଟରେ ପିଟିସନ ଫାଇଲ୍‌ କରିଛନ୍ତି। ସୁପ୍ରିମ୍‌କୋର୍ଟରେ ରିଟ୍‌ ପିଟିସନ ସଂଖ୍ୟା ୧୩୩୬୬/୨୦୨୦ରେ ମାମଲା ଦାୟର ହୋଇଛି।

ଓପା‌ଫ୍‌ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ବେସରକାରୀ ବିଦ୍ୟାଳୟର ଫି’କୁ ନେଇ ଶିକାର ହେଉଥିବା ଅଭିଭାବକମାନେ ସୁପ୍ରିମ‌କୋର୍ଟ ଯିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ଗତି ନ ଥିଲା। ସର୍ବନିମ୍ନ ୩ ମାସ କିମ୍ବା ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେଲା ପର୍ଯ୍ୟନ୍ତ ସ୍କୁଲ ଫି’ ତଥା ଅନ୍ୟାନ୍ୟ ଫି’ ଛାଡ଼ କରାଯାଉ। କୋଭିଡ୍‌-୧୯ର ପ୍ରତିଷେଧକ ନ ବାହାରିବା ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖାଯାଉ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଏସ୍‌ଓପି ଜାରି ନ ହେବା ପର୍ଯ୍ୟନ୍ତ ଅନ୍‌ଲାଇନ କ୍ଲାସ ବନ୍ଦ ରହୁ। ସୁପ୍ରିମକୋର୍ଟ ନିଜର ଚୂଡ଼ାନ୍ତ ରାୟ ନ ଶୁଣାଇବା ପର୍ଯ୍ୟନ୍ତ ପିଲାଙ୍କୁ ବିଭିନ୍ନ ଆଳରେ ସ୍କୁଲରୁ ବାହାର କରା ନ ଯାଉ। ଓଡ଼ିଶା ହାଇକୋର୍ଟଙ୍କ ବିଳମ୍ବିତ ନ୍ୟାୟ ଓ ଅନ୍ୟ ରାଜ୍ୟରେ ହାଇକୋର୍ଟଙ୍କ ରାୟରେ ଆଘାତ ପାଇ ୮ଟି ରାଜ୍ୟର ଅଭିଭାବକ ସଂଘ ସୁପ୍ରିମକୋର୍ଟରେ ଶରଣ ନେଇଛନ୍ତି। ଏବେ ସମସ୍ତଙ୍କ ନଜର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରେ ରହିଛି।

ସମ୍ବନ୍ଧିତ ଖବର