‘ଦ ଇଣ୍ଟେଲେକ୍ଟ୍‍ସ ଓ ଇଣ୍ଟେଲେକ୍ଟ୍‍ସ ରିଭିୟୁ’ ପକ୍ଷରୁ ସୌମ୍ୟରଂଜନଙ୍କୁ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ

ଭୁବନେଶ୍ୱର : ‘ଦ ଇଣ୍ଟେଲେକ୍ଟ୍‍ସ ଓ ଇଣ୍ଟେଲେକ୍ଟ୍‍ସ ରିଭିୟୁ’ ନୂଆଦିଲ୍ଲୀ ପକ୍ଷରୁ ‘ସମ୍ୱାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି। ଆଜି ସମ୍ୱାଦ ଭବନରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନର ପ୍ରତିଷ୍ଠାତା ଡକ୍ଟର ଭଗବାନ ପ୍ରକାଶ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କିତ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ପ୍ରତିଷ୍ଠିତ ‘ଦ ଇଣ୍ଟେଲେକ୍ଟ୍‍ସ ଓ ଇଣ୍ଟେଲେକ୍ଟ୍‍ସ ରିଭିୟୁ’ ପକ୍ଷରୁ ପ୍ରତିବର୍ଷ ଅର୍ନ୍ତଜାତୀୟ ମାତୃଭାଷା ଦିବସ ଅବସରରେ ନୂଆଦିଲ୍ଲୀଠାରେ ମାତୃଭାଷା ମହାକୁମ୍ଭ ଅନୁଷ୍ଠିତ ହୋଇଥାଏ। କୋଭିଡ କଟକଣା ଦୃଷ୍ଟିରୁ ଭର୍ଚୁଆଲରେ ଚଳିତ ବର୍ଷ ସପ୍ତମ ଅର୍ନ୍ତଜାତୀୟ ମାତୃଭାଷା ସମ୍ମିଳନୀ-୨୦୨୧ ଗତ ଫେବ୍ରୁଆରି ମାସ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏଥିରେ ୩୫ଟି ଦେଶର ପ୍ରବାସୀ ଓଡ଼ିଆ ପ୍ରତିନିଧି ଓ ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଏଥିରେ ଶ୍ରୀ ପଟ୍ଟନାୟକଙ୍କୁ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଥିଲା। ଆଜି ଏହ ସମ୍ମାନ ପ୍ରଦାନ ଅବସରରେ ଦ ଇଣ୍ଟେଲେକ୍ଟ୍‍ସର ଅଧ୍ୟକ୍ଷ ଦେବେନ୍ଦ୍ର ରାଉତ ଏବଂ ଅନୁଷ୍ଠାନର ଯୁବ ସଂଯୋଜକ ପ୍ରତାପ କୁମାର ପରିଡ଼ା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର