ଓୟୁଏଟିରେ ଅଚଳାବସ୍ଥା!

ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ପ୍ରଭାବିତ, ସମୟ ଦେଇପାରୁନାହାନ୍ତି ଭାରପ୍ରାପ୍ତ କୁଳପତି, ଦସ୍ତଖତ ନ ହୋଇ ପଡ଼ିରହୁଛି ଫାଇଲ୍‌

ଭୁବନେଶ୍ବର : ମାସେ ବିତିଲାଣି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ ନାହାନ୍ତି ସ୍ଥାୟୀ କୁଳପତି। ଭାରପ୍ରାପ୍ତ ଦା‌ୟିତ୍ବରେ ଅଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ। ଏକାଥରେ ରାଜ୍ୟର ଦୁଇଟି ପ୍ରମୁଖ ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବରେ ରହିଥିବାରୁ ସବୁଠି ଅଚଳାବସ୍ଥା ଦେଖିବାକୁ ମିଳିଛି। ଉତ୍କଳ ବିଶ୍ବବିଦ୍ୟାଳୟର ୪୯ତମ ସମାବର୍ତନ ଉତ୍ସବରେ କୌଣସି ବ୍ୟକ୍ତିବିଶେଷଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରା ନ ଯିବାରୁ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତାଙ୍କ କାର୍ଯ୍ୟଦକ୍ଷତା ନେଇ ଶିକ୍ଷାବିତ୍‌ଙ୍କ ସମେତ ପୂର୍ବତନ କୁଳପତି, ବିଶ୍ବବିଦ୍ୟାଳୟ ପ୍ରଫେସରମାନେ ପ୍ରଶ୍ନ ଉଠାଉଛନ୍ତି। ଏଭଳି ସମୟରେ ଓୟୁଏଟିରେ ଅଚଳାବସ୍ଥା ଦେଖାଦେଇଛି। ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳପତି ନ ଥିବାରୁ କୃଷି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ବାଧାପ୍ରାପ୍ତ ହୋଇଛି।

ଏମିତିକି ସ୍ଥାୟୀ କୁଳପତି ନିଯୁକ୍ତି ଦାବିରେ କିଛି ଦିନ ପୂର୍ବରୁ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। କୁଳପତି ଚୟନ ଶୀଘ୍ର ଶେଷ କରିବା ସହ ଗବେଷଣା ଓ ସମ୍ପ୍ରସାରଣ ବ୍ୟବସ୍ଥାକୁ ଠିକ୍‌ କରିବାକୁ ଦାବି କରିଥିଲେ। ତେବେ ତାହାର କୌଣସି ପ୍ରଭାବ ଏବେ ସୁଦ୍ଧା ପରିଲକ୍ଷିତ ହୋଇନି। ସ୍ଥାୟୀ କୁଳପତି ନଥିବାରୁ ସବୁକିଛି ପ୍ରଭାବିତ ହୋଇଛି।

ଜଣେ ପ୍ରଫେସର ଅଭିଯୋଗ କରିଛନ୍ତି ଯେ ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ହୋଇଛି। ନୂଆ ଆର୍ଥିକ ବର୍ଷ ଏବେ ଆରମ୍ଭ ହୋଇଛି। ଏହି ସମୟରେ ଓୟୁଏଟିର ବିତ୍ତ ନିୟନ୍ତ୍ରକଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ନିଯୁକ୍ତି ଦିଆଯାଇଛି। ଗୋଟିଏ ପଟେ ସ୍ଥାୟୀ କୁଳପତି ନଥିବା ବେଳେ ଅନ୍ୟପଟେ ଅଭିଜ୍ଞତା ନ ଥିବା ଜଣେ ଅଧିକାରୀଙ୍କୁ ବିଶ୍ବବିଦ୍ୟାଳୟର ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ବସାଯାଇଛି। ଫଳରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ବ୍ୟୟ ବରାଦ ହୋଇପାରୁ ନାହିଁ। ଭାରପ୍ରାପ୍ତ କୁଳପତି ପ୍ରତିଦିନ ସମୟ ଦେଇପାରୁ ନଥିବାରୁ ସମସ୍ୟା ସୃଷ୍ଟି ହେଉଛି। କେତେବେଳେ ଦୁଇ ଘଣ୍ଟା ପାଇଁ ଆସୁଛନ୍ତି ତ ଆଉ କେତେବେଳେ ଆସୁନାହାନ୍ତି। ଯେଉଁଥିପାଇଁ ବହୁ ଫାଇଲ୍‌ ପଡ଼ି ରହୁଛି। ଦସ୍ତଖତ ହେଉ ନଥିବାରୁ ଓୟୁଏଟିର ବିକାଶ କାର୍ଯ୍ୟ ବି ଆଗେଇପାରୁନି। ଆଗକୁ ଓୟୁଏଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ତାହା ଉପରେ ପ୍ରଭାବ ପଡ଼ିପାରେ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ବି ‌ଗବେଷଣା ଓ ସମ୍ପ୍ରସାରଣ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଯଦି ଏଭଳି ସ୍ଥିତି ଲାଗିରହିବ ତେବେ ବୈଜ୍ଞାନିକମାନେ ଜିଲ୍ଲାସ୍ତରରେ କୌଣସି ପ୍ରକାର ଠୋସ୍‌ ପଦକ୍ଷେପ ନେଇପାରି‌ବେନି। କୁଳପତି ପଦବିକୁ ନେଇ ଓୟୁଏଟି ଅଚଳାବସ୍ଥା ଲାଗିରହିଥିବାରୁ ଗତ ଦୁଇ ମାସ ହେଲା ଏଠାରେ କୌଣସି ପ୍ରକାର ଜାତୀୟ କିମ୍ବା‌ ଅନ୍ତର୍ଜାତୀୟ ସମ୍ମିଳନୀ ହୋଇପାରିନି। ଏପରିକି ପ୍ରତିବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେଉଥିବା ସମାବର୍ତ୍ତନ ଉତ୍ସବ ଏଥର ବିଳମ୍ବ ହୋଇଛି। ଭାରପ୍ରାପ୍ତ ଦାୟିତ୍ବରେ ରହିଥିବାରୁ କୁଳପତି ପ୍ରଫେସର ପଟ୍ଟନାୟକ ମଧ୍ୟ ସେଭଳି ଆଗଭର ଦେଖାଉନାହାନ୍ତି। ସହଜରେ ବିଶ୍ବବିଦ୍ୟାଳୟରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବରୁ ବିବାଦ ଚାଲିଛି। ଏଭଳି ସମୟରେ ବିଶ୍ବବିଦ୍ୟାଳୟର ଭବିଷ୍ୟତ ନେଇ ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର