ଛୁଟିରେ ଯିବାକୁ ଓୟୁଏଟି କୁଳପତିଙ୍କୁ ନିର୍ଦେଶ

କୁଳପତି-କୁଳାଧିପତିଙ୍କ କାର୍ଯ୍ୟାଳୟ ବିବାଦର ଭିନ୍ନ ମୋଡ, ଆଜି ଭାରପ୍ରାପ୍ତ କୁଳପତି ଭାବେ ଯୋଗଦେବେ କୃଷି ସଚିବ

ଭୁବନେଶ୍ବର : ତିନି ମାସ ହେଲା ଓଡ଼ିଶା କୃଷି ଓ ‌ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କୁଳପତି ଓ କୁଳାଧିପତି ତଥ‌ା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଭିନ୍ନ ମୋଡ଼ ନେଇଛି। କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କୁ ଛୁଟିରେ ଯିବାକୁ ରାଜଭବନ ପକ୍ଷରୁ ଆଜି ସନ୍ଧ୍ୟାରେ ନିର୍ଦେଶନାମା ଜାରି ହୋଇଛି। ଏଥିସହ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗଙ୍କୁ ଭାରପ୍ରାପ୍ତ କୁଳପତି ଦାୟିତ୍ବ ଦିଆଯାଇଛି। ମଙ୍ଗଳବାର ସେ ଦାୟିତ୍ବ ନେବେ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।

କୁଳପତି ପ୍ରଫେସର ପଶୁପାଳକଙ୍କ କାର୍ଯ୍ୟକାଳ ଆଉ ମାତ୍ର ୨୫ ଦିନ ବାକି ଥିବା ବେଳେ ରାଜଭବନ ପକ୍ଷରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନକୁ ନେଇ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ହଇଚଇ ସୃଷ୍ଟି ହୋଇଛି। କୌଣସି ଜଣେ କୁଳପତିଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ବିଶ୍ବବିଦ୍ୟାଳୟ ଇତିହାସରେ ବିରଳ ଘଟଣା ବୋଲି କୁହାଯାଉଛି। ପ୍ରଥମେ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦେଶ ଦିଆଯିବା ଓ ଏବେ ଛୁଟିରେ ଯିବାକୁ କୁହାଯିବା‌ ପରେ ଓୟୁଏଟି ପରି ଦେଶର ପ୍ରମୁଖ କୃଷି ବିଶ୍ବବିଦ୍ୟାଳୟର ସ୍ବଚ୍ଛତା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ସବୁ କିଛି ଠିକ୍‌ ଚାଲୁ ନାହିଁ ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସବୁଠାରୁ ବଡ଼ କଥା ହେଲା ୨୦୧୮ ଅକ୍ଟୋବର ମାସଠାରୁ କୁଳପତି ଓ କୁଳାଧିପତିଙ୍କ କାର୍ଯ୍ୟାଳୟ ମଧ୍ୟରେ ବିବାଦ ଲାଗିରହିଥିଲା। ଗତ ତିନି ମାସ ମଧ୍ୟରେ କୁଳପତିଙ୍କ କାର୍ଯ୍ୟକଳାପରେ ରାଜଭବନର ହସ୍ତକ୍ଷେପ ଅଭିଯୋଗ, କୁଳପତି ପ୍ରଫେସର ପଶୁପାଳକ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଚିଠି ଲେଖିବା, କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦିଆଯିବା ପରେ ଘଟଣା ଅଧିକ ବିବାଦ ହୋଇଥିଲା। କୁଳପତିଙ୍କୁ ନେଇ ବିଶ୍ବବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନେ ଦୁଇ ଗୋଷ୍ଠୀ ହୋଇଥିଲେ। ଗୋଟିଏ ଗୋଷ୍ଠୀ କୁଳପତିଙ୍କ ସପକ୍ଷରେ ବାହାରିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ। ବିବାଦ ଥମି ନଥିବା ବେଳେ ଏବେ କୁଳପତିଙ୍କୁ ଛୁଟିରେ ଯିବାକୁ କୁହାଯିବା ପରେ ଘଟଣା ଉଗ୍ରରୂପ ନେବାର ଆଶଙ୍କା ପ୍ରକାଶ ପାଇଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଫେସର ପଶୁପାଳକଙ୍କ ବିରୋଧରେ ଆସିଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ ଜାରି ରହିଛି। ତାଙ୍କ କାର୍ଯ୍ୟକାଳ ଆଉ ମାତ୍ର ୨୫ ଦିନ ବାକି ରହିଛି। କାଳେ ତଦନ୍ତରେ ‌କୌଣସି ପ୍ରଭାବ ପଡ଼ିବ ତେଣୁ କୁଳପତିଙ୍କୁ ଛୁଟିରେ ପଠାଇ ଦିଆଯାଇଛି। ଫଳରେ ତଦନ୍ତରେ ସ୍ବଚ୍ଛତା ରହିପାରିବ।

ଏନେଇ ପ୍ରଫେସର ପଶୁପାଳକଙ୍କୁ ଯୋଗାଯୋଗ କରିବାରୁ ସେ ‘ସମ୍ବାଦ’କୁ କହିଛନ୍ତି ଯେ କୌଣସି ପଦବିରୁ ଇସ୍ତଫା ଦେଇନି କି ଛୁଟିରେ ଯିବାକୁ କୌଣସି ଚିଠି ପାଇନି। ବିଶ୍ବବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା‌ ପ୍ରଦାନ, ଗବେଷଣାକୁ ସୁଦୃଢ଼ କରିବା, ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ କାର୍ଯ୍ୟ କରୁଛି। ଛାତ୍ର, ଶିକ୍ଷକ ଓ କର୍ମଚାରୀମାନଙ୍କର ସବୁବେଳେ ସହଯୋଗ ମିଳିଛି। ବିଶ୍ବବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରୁଛି। ଏବେ ଇସ୍ତଫା ଦେବାର କୌଣସି କାରଣ ନାହିଁ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗ ‘ସମ୍ବାଦ’କୁ କହିଛନ୍ତି ଯେ କୁଳପତି ଭାବେ ଦାୟିତ୍ବ ନେବାକୁ ତାଙ୍କ ପାଖକୁ ଚିଠି ଆସିଛି। ସେ ମଙ୍ଗଳବାର ପୂର୍ବାହ୍ନରେ ଓୟୁଏଟିର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ।

ସୂଚନାଯୋଗ୍ୟ ଯେ ଏବେ ଓୟୁଏଟିର ନୂତନ କୁଳପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ତିନିଜଣିଆ ସର୍ଚ୍ଚ କମିଟି ଗଠିତ ହୋଇଛି। କୃଷି ବିଭାଗ ସଚିବ କମିଟିର ଆବାହକ ରହିଥିବା ବେଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର କମିଟିର ଅଧ୍ୟକ୍ଷ ରହିଛନ୍ତି। ଓୟୁଏଟିର ପୂର୍ବତନ କୁଳପତି ଡ. କେ ପ୍ରଧାନ ଓ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର)ର ଡିଡିଜି ଡି କେ ଜେନା କମିଟି‌ର ସଦସ୍ୟ ରହିଛନ୍ତି। ମାର୍ଚ୍ଚ ୬ ସୁଦ୍ଧା କୁଳପତି ପଦବି ପାଇଁ ଆଶାୟୀ ପ୍ରଫେସରମାନେ ଆବେଦନ କରିପାରିବେ।

ସମ୍ବନ୍ଧିତ ଖବର