କ୍ଷତି ସହିଲେ ମାଲିକ, ଦଣ୍ଡ ଭୋଗିଲେ ଡ୍ରାଇଭର

କାଳିଆପାଣି: ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିରୁ ଗତ ୮ ତାରିଖରେ କେନ୍ଦୁଝର ଜିଲ୍ଲା ସୋସୋ ମହାରାଜା ମିନେରାଲ୍ସ ପ୍ଲାଣ୍ଟ୍‌କୁ କ୍ରୋମ୍‌ ପରିବହନ ବାଟରେ ୨୭ଟି କ୍ରୋମାଇଟ୍‌ ବୋଝେଇ ଟ୍ରକ୍‌ ଆନନ୍ଦପୁର ଥାନାରେ ୩ ଦିନ ଧରି ଅଟକ ରହିବା ପରେ ଗତକାଲି ଛାଡ଼ ପାଇଛନ୍ତି। ଏହି ଟ୍ରକ୍‌ ସବୁ ଗତକାଲି ରାତି ୧୦ଟା ସୁଦ୍ଧା ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିବା ନେଇ ଟ୍ରାନ୍ସପୋର୍ଟର ସୁରେଶ ସ୍ବାଇଁ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଖଣି ବିଭାଗ ଯାଜପୁରରୋଡ଼ ସର୍କଲ ଉପନିର୍ଦ୍ଦେଶାଳୟ ଓ କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ମିଳିବା ପରେ ଟ୍ରକ୍‌ଗୁଡ଼ିକୁ ଏଠାରୁ ଛାଡ଼ ମିଳିଥିବା ଜଣାପଡ଼ିଛି। କେନ୍ଦୁଝର ଡିଡିଏମ୍‌ ଅସୀତ କୁମାର ବେହେରା ଯାଜପୁରରୋଡ଼ ଡିଡିଏମ୍‌ଙ୍କୁ ନିର୍ଦ୍ଧାରିତ ସଡ଼କ ପଥ ତାଲିକା ମାଗିଥିଲେ।

ଏଣିକି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିରୁ ବାହାରୁଥିବା କ୍ରୋମ୍‌ ବୋଝେଇ ଟ୍ରକ୍‌ ସବୁ ଟମକା, ଡୁବୁରି, ଯାଜପୁରରୋଡ଼, ଆନନ୍ଦପୁର, ଛେନାପଦି, ବିଦ୍ୟାଧରପୁର ବାଟରେ ସୋସୋ ଯିବେ ବୋଲି ଖଣି ବିଭାଗ ପକ୍ଷରୁ ଗତ ୧୦ ତାରିଖ ସ୍ବତନ୍ତ୍ର ବିଜ୍ଞପ୍ତି ଆଧାରରେ ସ୍ପଷ୍ଟ କରାଯାଇଛି। ସେହିପରି ଉକ୍ତ ରାସ୍ତାରେ ଭାରୀଯାନ ଚଳାଚଳ ସଂକ୍ରାନ୍ତରେ କେନ୍ଦୁଝର ଆରଟିଓଙ୍କ ନିଷ୍ପତ୍ତି ଲୋଡ଼ା ଯାଇଥିଲା। ନିର୍ଦ୍ଧାରିତ ସଡ଼କରେ ଭାରୀଯାନ ଚଳାଚଳ ନେଇ କୌଣସି କଟକଣା ନାହିଁ ବୋଲି ଗତକାଲି ଆରଟିଓ ଅବଗତ କରାଇଥିଲେ। ସଂପୃକ୍ତ ୨ ଅଧିକାରୀଙ୍କ ଠାରୁ ଏ ସଂପର୍କିତ ରିପୋର୍ଟ ହସ୍ତଗତ ପରେ କେନ୍ଦୁଝର ଡିଡିଏମ୍‌ ଶ୍ରୀ ବେହେରାଙ୍କ ପକ୍ଷରୁ ଆନନ୍ଦପୁର ଥାନା ଅଧିକାରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯାଇଥିଲା। ସେହିପରି ଆନନ୍ଦପୁର ସହର ଉପକଣ୍ଠରେ ଥିବା ଏକ ଅଣଓସାରିଆ ପୁରୁଣା ପୋଲ ଉପରେ ଭାରୀଯାନ ଚଳାଚଳକୁ ସ୍ଥାନୀୟ ଲୋକେ ବିରୋଧ କରି ସେଦିନ ଉକ୍ତ ଟ୍ରକ୍‌ ସବୁକୁ ଅଟକାଇ ପୁଲିସକୁ ଜଣାଇଥିଲେ।

ସୁରକ୍ଷା ଦୃଷ୍ଟିକୋଣରୁ ୨୦୧୮ ମସିହାରେ ତତ୍କ‌ାଳୀନ ଜିଲ୍ଲାପାଳ ଉକ୍ତ ପୋଲରେ ଯାତାୟାତ ଉପରେ ନିଷେଧାଜ୍ଞା ଲଗାଇଥିବା ନେଇ ଗ୍ରାମବାସୀ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ଲୋକଙ୍କ ଦାବି ଆଧାରରେ ଟ୍ରକ୍‌ ଅଟକ ରଖାଯିବା ପରେ ଏସବୁର ଖୋଳତାଡ଼ କରାଯାଇଥିଲା। ଏଣିକି ଆନନ୍ଦପୁର ପରେ କ୍ରୋମ୍‌ ବୋଝେଇ ଟ୍ରକ୍‌ ସବୁ ଗଉରିଆ ଢାବା, କେନାଲ ରୋଡ଼ ଓ ବ୍ରିଜ ଛକ ପରେ ଛେନାପଦି ବାଟରେ ସୋସୋ ଯିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ହୋଇଥିବା ନେଇ ଟ୍ରାନ୍ସପୋର୍ଟର ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୪ ଦିନ ଧରି ସଂପୃକ୍ତ ଡ୍ରାଇଭରମାନେ ଅଧାବାଟରେ ହନ୍ତସନ୍ତ ହୋଇଥିଲେ।‌ ସେମାନଙ୍କ ପାଖରେ ଦୈନିକ ଚଳଣି ‌ପାଇଁ ଟଙ୍କା ନଥିଲା। ସେମାନଙ୍କୁ ଭୋକ ଉପାସରେ ରହିବାକୁ ପଡ଼ିଥିଲା ବୋଲି ଡ୍ରାଇଭର ମହାସଂଘ ଅଭିଯୋଗ କରିଛି। ସେହିପରି ସଂପୃକ୍ତ ଟ୍ରକ୍‌ ମାଲିକମାନେ ଅତିରିକ୍ତ ୩ ଦିନ ଅଯଥା ଖର୍ଚ୍ଚାନ୍ତ ହୋଇଥିଲେ। ମାଲିକ ସଂଘ ପକ୍ଷରୁ ଦୈନିକ ୩ ହଜାର ଟଙ୍କା ହିସାବରେ ଅତିକମ୍‌ରେ ୨ ଦିନର ପ୍ରାପ୍ୟ ପ୍ରଦାନ କରିବାକୁ ଟ୍ରାନ୍ସପୋର୍ଟର ସ୍ବାଇଁ ରୋଡ୍‌ଲାଇନ୍ ପାଖରେ ଦାବି ହୋଇଛି। ଟ୍ରକ୍‌ ମାଲିକ ସଂଘ ସହ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ଟ୍ରାନ୍ସପୋର୍ଟର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର