ଏସ୍‌ସିବିରେ ପୁଣି ନିଆଁ ଆତଙ୍କ : ଅକ୍ସିଜେନ୍‌ ସିଲିଣ୍ଡର ଲିକ୍‌

କଟକ : କଟକ ବଡମେଡିକାଲ କାଜୁଆଲିଟିରେ ଆଜି ସକାଳ ପାଖାପାଖି ୫ଟା ବେଳେ ନିଆଁ ଆତଙ୍କ ଖେଳି ଯାଇଥିଲା। ଘଣ୍ଟାଏ କାଳ ରୋଗୀ ଓ ସଂପର୍କୀୟ ଏଭଳି ଆତଙ୍କରେ ଦୌଡ଼ାଦୌଡ଼ି କରିଥିଲେ। ସକାଳେ ବର୍ଷା ଓ ବଜ୍ରପାତ ଯୋଗୁଁ ଆଶୁ ଚିକିତ୍ସା କେନ୍ଦ୍ରର ପଞ୍ଚମ ମହଲାରେ ଥିବା ଟ୍ରମାକେୟାର ଯୁନିଟ୍‌ରେ ଘଟିଥିଲା ଏଭଳି ଅଘଟଣ। ସର୍ଟସର୍କିଟରୁ ପେନାଲରୁ ଧୂଆଁ ବାହାରିଥିଲା। ତା’ ସହିତ ସିଲିଣ୍ଡର ଲିକ୍‌ ହୋଇ ଅକ୍ସିଜେନ୍‌ ଗ୍ୟାସ୍‌ ବାହାରିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ପରସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଦୁଇ ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ସଂପୂର୍ଣ୍ଣ ବିଚ୍ଛିନ୍ନ କରି ଦିଆଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା।

ସୂଚନା ଅନୁଯାୟୀ ଟ୍ରମା କେୟାର ୟୁନିଟ୍‌ ପଞ୍ଚମ ମହଲାରେ ସର୍ଟସର୍କିଟ କାରଣରୁ ବିଦ୍ୟୁତ୍‌ ପେନାଲ ବୋର୍ଡରୁୁ ଧୂଆଁ ବାହାରିବା ସହିତ ସଂପୂର୍ଣ୍ଣ ପୋଡି ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଡଘଡି ପାଇଁ ପେନାଲ ବୋର୍ଡ ଜଳି ଯାଇଥିଲେ ସୁଦ୍ଧା ବିଶେଷ କିଛି ଅଘଟଣ ଘଟି ନାହିଁ ଓ ପରିସ୍ଥିତି ସ୍ୱାଭାବିକ ରହିଛି ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ସୂଚନା ଦେଇଛନ୍ତି।

ଆଜି ବସିବ ସୁରକ୍ଷା ବୈଠକ

ଆଜିର ଏଭଳି ଅଘଟଣ ଘଟଣା ପରେ ବଡମେଡିକାଲର ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ନେଇ ଆସନ୍ତାକାଲି ବୈଠକ ବସିବ ବୋଲି ସୂଚନା ମିଳିଛି। ଜିଇଡି, ପିଏଚ୍‌ଡି, ସେସୁ, ଅଗ୍ନିଶମ ଅଧିକାରୀମାନଙ୍କୁ ନେଇ ଏହି ବୈଠକ ବସିବ। କିପରି ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯିବ ସେ ସଂପର୍କରେ ବୈଠକରେ ନିସ୍ପତ୍ତି ନିଆଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ଓ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ସୂଚନା ଦେଇଛନ୍ତି। ତା’ସହିତ ଆଶୁ ଚିକିତ୍ସାକେନ୍ଦ୍ରରେ ଏଭଳି ନିଆଁ ଲାଗିଲେ ଏଥିରୁ ବର୍ତ୍ତିବା ପାଇଁ ରାମ୍ପ ନିର୍ମାଣ କରାଯିବ ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର