ଜୁଆର ସାଧିଲା ଦାଉ, ପଦନୀପାଳ-ନମତରା ରାସ୍ତାରେ ଘାଇ

ଆଳି: ଆଜି ଅପରାହ୍ନରେ କାଣୀ-ଖରସ୍ରୋତା ନଦୀରେ ଉଛୁଳା ଜୁଆର ଆସି ନମତରା-ପଦନୀପାଳ ରାସ୍ତାରେ ୩ ଟି ଘାଇ କରି ରାସ୍ତାକୁ ଭସାଇ ନେଇଛି। ଫଳରେ ପଦନୀପାଳ ପଞ୍ଚାୟତର ଦୈତ୍ୟାରୀପୁର, କଳମଡା ଶାସନ ଓ ପଦନୀପାଳ ୩ ଟି ଗ୍ରାମର ବାସିନ୍ଦା ସ୍ଥଳପଥରେ ଯୋଗାଯୋଗର ବାଟ ବନ୍ଦ ହୋଇଯାଇଛି। ପଦନୀପାଳ ପଞ୍ଚାୟତର ଆଲୋଚ୍ୟ ୩ ଗାଁ କୁ ଚାରିପଟରୁ ବେଢି ରହିଛି ଖରସ୍ରୋତା ନଈ। ଘରୁ ବାହାରିଲେ ହୁଲିଡଙ୍ଗା ହିଁ ଏକମାତ୍ର ଭରଷା। ସେତୁଟିଏ ନିର୍ମାଣ ପାଇଁ ଏହି ଦ୍ବୀପାଞ୍ଚଳବାସୀ ରାଷ୍ଟ୍ରପତି, ରାଜ୍ୟପାଳଙ୍କ ଠୁ ଆରମ୍ଭ କରି ମାନବିକାଧିକାର କମିଶନଙ୍କ ପର୍ଯ୍ୟନ୍ତ ଦ୍ବାରସ୍ଥ ହେବା ପରେ ନିଜ ମୁଣ୍ଡରେ ମାଟି ବୋହି ରାସ୍ତାଟିଏ ତିଆରି କରିଥିଲେ। ବର୍ଷେ ତଳେ ତିଆରି ହୋଇଥିବା ଏହି ରାସ୍ତାରେ ପଦନୀପାଳ ଲୋକେ ନମତରା ଦେଇ ସ୍ଥଳ ପଥରେ ଯାତାୟତ କରୁଥିଲେ।

ଗତ ଦୁଇମାସ ହେଲା ଏଇ ରାସ୍ତାକୁ କେନ୍ଦ୍ର କରି ନମତରା ଓ ପଦନୀପାଳ ମଧ୍ୟରେ ବିବାଦ ଲାଗି ରହିଥିଲା। ପ୍ରଶାସନିକ ହସ୍ତକ୍ଷେପ ପରେ ସପ୍ତାହ ତଳେ ଐଇ ବିବାଦର ସମାଧାନ ହୋଇଥିଲା। ଆଜି କାଣୀ, ଖରସ୍ରୋତା ନଈରେ ଭରା ଜୁଆର ଆସି ରାସ୍ତାରେ ଘାଇ କରିବା ସହିତ ରାସ୍ତାର ବହୁ ଅଂଶ ଧୋଇ ନେଇଛି। ଫଳରେ ପଦନୀପାଳ ଦ୍ବୀପାଞ୍ଚଳବାସୀଙ୍କ ସଡକ ପଥ ଯାତାୟତର ଆଶା ସଂପୂର୍ଣ୍ଣ ମଉଳି ଯାଇଛି।

ସମ୍ବନ୍ଧିତ ଖବର