ଡିସେମ୍ବରୁ ୨୦ରୁ ମୟୂରଭଞ୍ଜ ଜିଲ୍ଲାରେ ଧାନ ସଂଗ୍ରହ

୬୪,୨୩୭ ଚା‌ଷୀ ବିକିବେ ଧାନ, ୨୪ ଘଣ୍ଟା ମଧ୍ୟରେ ଧାନ ଉଠାଇବାକୁ ମିଲର୍‌ଙ୍କୁ ନିର୍ଦ୍ଦେଶ

ବାରିପଦା: ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ ବାରିପଦା ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିନୀତ ଭରଦ୍ୱାଜ ବୈଠକରେ ଅଧ୍ୟକ୍ଷତା କରି ପଞ୍ଜିକୃତ ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଆସନ୍ତା ଡିସେମ୍ବର ୨୦ ତାରିଖରୁ ଧାନ ସଂଗ୍ରହ ହେବ। ଏଥି ନିମନ୍ତେ ମୋଟ୍ ୬୪ ହଜାର ୨୩୭ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ୫୨ଟି ଲ୍ୟାମ୍ପ୍‌ସ ମାଧ୍ୟମରେ ମୋଟ ୧୦୨ଟି କେନ୍ଦ୍ରରୁ ଧାନସଂଗ୍ରହ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ କହିଛନ୍ତି। ଚଳିତବର୍ଷ ଧାନର ସହାୟକ ମୂଲ୍ୟ ଯଥାକ୍ରମେ; ଏଫଏକ୍ୟୁ ଗ୍ରେଡ୍‌ (ସାଧାରଣ ମାନ)ର ମୂଲ୍ୟ କୁଇଣ୍ଟାଲ ପିଛା ୨ ହଜାର ୪୦ ଟଙ୍କା ଓ ଗ୍ରେଡ-ଏ ମାନର ମୂଲ୍ୟ କୁଇଣ୍ଟାଲ ପିଛା ୨ ହଜାର ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ ବିକ୍ରି ସମୟରେ ପଞ୍ଜିକୃତ ଚାଷୀ ନିଜର ପରିଚୟପତ୍ର ସାଙ୍ଗରେ ଆଣିବା ପାଇଁ କୁହାଯାଇଛି।

ଧାନ ବିକ୍ରି ନିମନ୍ତେ ଚାଷୀମାନଙ୍କ ପାଖକୁ ଯେଉଁ ଦିନ ପାଇଁ ଟୋକେନ ମେସେଜ ଯାଇଥିବ କେବଳ ସେହି ଦିନ ସେହି ଚାଷୀମାନେ ଧାନ ବିକ୍ରି କରିବେ। ବିକ୍ରି ଧାନର ସାହାୟକ ମୂଲ୍ୟ ଚାଷୀଙ୍କ ପଞ୍ଜିକୃତ ବ୍ୟାଙ୍କ ଖାତାରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଜମା ‌ହୋଇଯିବ। ଚାଷୀଙ୍କ ଆପତ୍ତି ଅଭିଯୋଗ ଉପରେ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ମିଲରମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରଦାନ ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ଧାନ ବସ୍ତା ୨୪ ଘଣ୍ଟା ମଧ୍ୟରେ ମଣ୍ଡିରୁ ଉଠାଇ ନେବେ। ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିଗୁଡିକରେ ପାନୀୟ ଜଳ, ବିଶ୍ରାମ ସ୍ଥଳ, ଶୌଚାଳୟ ଆଦି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଆର୍‌ଏମସି ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରିଷିକେଶ ଦ୍ୟାନଦେଓ ଖିଲାରୀ, ସମବାୟ ସମିତି ସହକାରୀ ନିବନ୍ଧକ କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ, ସହକାରୀ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଧୀରଜ କୁମାର ଭୂୟାଁ, ରୀନାରାଣି ମହାପାତ୍ର, ଚୈତନ୍ୟ ଅଡ଼ବଙ୍ଗ, ହିମାଂଶୁ ଶେଖର ଦତ୍ତ, କମଳକାନ୍ତ ବେହେରାଙ୍କ ସମେତ ମିଲର ଓ ଚାଷୀ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ; ଗତବର୍ଷ ଜିଲ୍ଲାରୁ ପଞ୍ଜିକୃତ ୨୦ ହଜାର ଚାଷୀ ଧାନ ବିକ୍ରି କରି ପାରିନଥିଲେ।

ସମ୍ବନ୍ଧିତ ଖବର