ଏହି ପୁରସ୍କାର ମୋ ଭାଷାକୁ, ମୋ ରାଜ୍ୟକୁ ଓ ମୋର ପାଠକପାଠିକାଙ୍କୁ ସମ୍ମାନ : ଡ.ପ୍ରତିଭା ରାୟ

ପ୍ରଥିତଯଶା ଔପନ୍ୟାସିକା ପ୍ରତିଭା ରାୟଙ୍କ ସାରସ୍ବତ ଅବଦାନକୁ ଆଉ ଏକ ସ୍ବୀକୃତି ପଦ୍ମଭୂଷଣ

ନୂଆଦିଲ୍ଲୀ: ଭାରତୀୟ ସାହିତ୍ୟର ଅନନ୍ୟ ସଫଳ ସ୍ରଷ୍ଟା କଥାଶିଳ୍ପୀ ଡ.ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଦେଶର ସାରସ୍ବତ ଜଗତର ଶ୍ରେଷ୍ଠ ପୁରସ୍କାର ‘ଜ୍ଞାନପୀଠ’ ବିଜୟିନୀ ପ୍ରତିଭା ରାୟ ସ୍ବକୀୟ ସୃଜନ ଲାଗି ବହୁଭାବେ ଦେଶବିଦେଶରେ ସମ୍ମାନିତା। କେନ୍ଦ୍ର ସରକାର ଦେଶର ୩ୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଭୂଷଣ ପ୍ରଦାନ ପାଇଁ  ତାଙ୍କୁ  ମନୋନୀତ କରିବା ପରେ ସାରା ରାଜ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ନିଜର ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ‘‘ଏହି ପୁରସ୍କାରକୁ ମୁଁ ବିନମ୍ରତାର ସହ ଗ୍ରହଣ କରୁଛି। ପୁରସ୍କାର କୌଣସି ବ୍ୟକ୍ତିକୁ ମିଳେନାହିଁ। ଯେହେତୁ ଏହା ସାହିତ୍ୟ ଲାଗି ମିଳିଛି, ତେଣୁ ଏହା ମୋ ଭାଷାକୁ ମିଳିଛି, ମୋ ରାଜ୍ୟକୁ ମିଳିଛି। ଏଥିଲାଗି ମୋ ପାଠକପାଠିକା ବହୁତ ଖୁସୀ। ମୁଁ ଏହି ପୁରସ୍କାରକୁ ପାଠକପାଠିକା, ଶୁଭେଚ୍ଛୁ, ପ୍ରଶଂସକ ଓ ମୋର ସମାଲୋଚକଙ୍କୁ ଉତ୍ସ୍ବର୍ଗ କରୁଛି। ଯେତେବେଳେ ଆଞ୍ଚଳିକ ଭାଷାଗୁଡ଼ିକ ସଂକଟରେ ବୋଲି ହୁରିପଡ଼ିଛି, ସେଇ ସମୟରେ ଭାରତ ସରକାରଙ୍କଠାରୁ ଏକ ଆଞ୍ଚଳିକ ଭାଷାକୁ ଏଭଳି ସମ୍ମାନ ମିଳିଛି। ଏହାଫଳରେ ଭାଷାଟି ଉତ୍ସାହିତ ହେବ, ଲେଖକଟି ଉତ୍ସାହିତ ହେବ ଏବଂ ପାଠକପାଠିକା ମଧ୍ୟ ଉତ୍ସାହିତ ହେବେ।’’

୧୯୭୪ରେ ତାଙ୍କର ପ୍ରଥମ ଉପନ୍ୟାସ ‘ବର୍ଷା, ବସନ୍ତ ଓ ବୈଶାଖ’ ପ୍ରକାଶ ପାଇ ବିପୁଳ ପାଠକୀୟ ସ୍ୱୀକୃତି ଲାଭ କରିଥିଲା ।ଏହାପରେ ତାଙ୍କ ରଚିତ “ଯାଜ୍ଞସେନୀ” ପୁସ୍ତକ ଲାଗି ୧୯୯୦ ମସିହାରେ ସେ ସାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ଏହ ପୁସ୍ତକଟି ସାତଟି ଭାଷାରେ ଅନୂଦିତ ହୋଇଥିଲା ।

‘ଯାଜ୍ଞସେନୀ’ ଭଳି କାଳଜୟୀ ଉପନ୍ୟାସର ରଚୟିତା ଡ.ରାୟ ବର୍ଷା ‌ବସନ୍ତ ବୈଶାଖ, ଅନନ୍ୟା, ନିଷିଦ୍ଧ ପୃଥିବୀ, ଅପରିଚିତା, ପରିଚୟ, ପୁଣ୍ୟତୋୟା, ମେଘମେଦୁର, ନୀଳତୃଷ୍ଣା, ସମୁଦ୍ରର ସ୍ବର, ଶିଳାପଦ୍ମ, ଉତ୍ତରମାର୍ଗ, ଆଦିଭୂମି, ମଗ୍ନମାଟି ଭଳି ଉପନ୍ୟାସ ରଚନା କରି କାଳଜୟୀ ହୋଇପାରିଛନ୍ତି। ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ସାହିତ୍ୟିକା ଏବଂ ଜ୍ଞାନପୀଠ ପୁରସ୍କାରରେ ହୋଇଥିବା ଭାରତର ସପ୍ତମ ମହିଳା ସାହିତ୍ୟ ସ୍ରଷ୍ଟା ।

କେବଳ ଯାଜ୍ଞସେନୀ ଉପନ୍ୟାସ ଇଂରାଜୀ, ହିନ୍ଦୀ, ମାଲାୟଲମ, ମରାଠି, ଆସାମି, ବଙ୍ଗଳା, ଗୁଜରାଟି, ହଙ୍ଗେରିଆନ ଭଳି ବହୁ ଭାଷାରେ ଅନୁବାଦ ହୋଇଥିବା ବେଳେ ଅଧିକାଂଶ ‌ବହି ଅନୁଦିତ ହୋଇ ଦେଶ ଓ ଦେଶ ବାହାରେ ତାଙ୍କ ପାଇଁ ପ୍ରସିଦ୍ଧି ଆଣି ଦେଇଛି। ଏହି କୃତିତ୍ବ ପାଇଁ ସେ ପଦ୍ମଶ୍ରୀ, ମୂର୍ତିଦେବୀ ସମ୍ମାନ, ଅମ୍ରିତା କୀର୍ତି ପୁରସ୍କାର, ସାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମି, ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଛନ୍ତି।

ସେ ଅଧ୍ୟାପିକା ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଓ ପରେ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗରେ (ଓପିଏସସି) ସଦସ୍ୟ ଭାବେ ଯୋଗଦାନ କରିଥିଲେ।୨୦୧୮ରେ ସେ ଜ୍ଞାନପୀଠ ଚୟନ ବୋର୍ଡର  ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଥିଲେ। ପଦ୍ମ ପୁରସ୍କାର ତାଲିକାରେ ତାଙ୍କ ନାମ ପ୍ରକାଶ ପାଇବା ପରେ ଓଡ଼ିଶାର ସାରସ୍ବତ ଜଗତରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି। ଡ.ରାୟଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

ପ୍ରତିଭାଙ୍କୁ ସମ୍ମାନ ଓ ପୁରସ୍କାର

ପଦ୍ମଶ୍ରୀ
କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର
ଜ୍ଞାନପୀଠ ପୁରସ୍କାର
ମୂର୍ତ୍ତୀଦେବୀ ସମ୍ମାନ
ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର
ଝଙ୍କାର ପୁରସ୍କାର
ବିଷୁବ ପୁରସ୍କାର
ଶାରଳା ପୁରସ୍କାର
ସାହିତ୍ୟ ଭାରତୀ ସମ୍ମାନ
ସାରଳା ସମ୍ମାନ
କଳିଙ୍ଗ ରତ୍ନ

ଉତ୍କଳରତ୍ନ ପୁରସ୍କାର

କବି ସମ୍ରାଟ ଉ‌ପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ

 ଓ  ଆହୁରି ଅନେକ ସାରସ୍ବତ ସମ୍ମାନ ଓ ପୁରସ୍କାର

ସମ୍ବନ୍ଧିତ ଖବର