ପଂଚାୟତ ନିର୍ବାଚନ: ୪୫ଟିି ଜିଲ୍ଲା ପରିଷଦ ଜୋନ୍‌ରେ ଲଢ଼ିବେ ୧୭୯ ପ୍ରାର୍ଥୀ

ବାଲେଶ୍ବର: ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଆଜି ଥିଲା ଶେଷଦିନ। ସଂଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ସରଗରମ ହୋଇଉଠିଛି ବାଲେଶ୍ବର ରାଜନୀତି। ଜିଲ୍ଲାର ୧୨ଟି ବ୍ଲକରେ ୪୫ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ୨୪୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଯାଞ୍ଚ୍‌ ପ୍ରକ୍ରିୟାରେ ୬୫ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା। କାଏମ୍‌ ରହିଥିବା ପ୍ରାର୍ଥୀ ତାଲିକାରୁ ଆଜି ୫ ଜଣ ପ୍ରାର୍ଥିିପତ୍ର ପ୍ରତ୍ୟାହାର କରିବା ପରେ ନିର୍ବାଚନୀ ମୈଦାନକୁ ୧୭୪ ଜଣ ପ୍ରାର୍ଥୀ ଓହ୍ଲାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ୫ଜଣ ପ୍ରାର୍ଥୀ ହେଲେ ରେମୁଣା ବ୍ଲକ ୩୬ ନମ୍ବର ଜୋନ୍‌ର ଜ୍ୟୋସ୍ନା ମଣ୍ଡଳ ଏବଂ ୩୮ ନମ୍ବର ଜୋନ୍‌ର ଅନୀତା ଦାସ, ବାଲେଶ୍ବର ସଦର ବ୍ଲକ ୨୬ ନମ୍ବର ଜୋନ୍‌ର ଅନୀତା‌ ନାୟକ, ଜ୍ୟୋସ୍ନା ମହାନ୍ତି ଏବଂ ବାହାନଗା ବ୍ଲକ ୨୦ ନମ୍ବର ଜୋନ୍‌ର ନିରାକାର ରାଉତ। ସେହିପରି ଚୂଡ଼ାନ୍ତ ତାଲିକାରେ ରହିଥିବା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମଧ୍ୟରେ ସୋର ବ୍ଲକର ୩ଟି ଜୋନ୍‌ରୁ ୧୧ ଜଣ ପ୍ରାର୍ଥୀ, ସିମୁଳିଆ ବ୍ଲକର ୪ଟି ଜୋନ୍‌ରୁ ୧୧ ଜଣ ପ୍ରା‌ର୍ଥୀ, ସଦର ବ୍ଲକର ୫ଟି ଜୋନ୍‌ରୁ ୧୬ ଜଣ ପ୍ରାର୍ଥୀ, ଜଳେଶ୍ବର ବ୍ଲକର ୪ଟି ଜୋନ୍‌ରୁ ୨୧ ଜଣ ପ୍ରାର୍ଥୀ, ବାଲିଆପାଳ ବ୍ଲକର ୪ଟି ଜୋନ୍‌ରୁ ୧୪ ଜଣ ପ୍ରାର୍ଥୀ, ଭୋଗରାଇ ବ୍ଲକର ୬ଟି ଜୋନ୍‌ରୁ ୨୦ ଜଣ ପ୍ରାର୍ଥୀ, ରେମୁଣା ବ୍ଲକର ୪ଟି ଜୋନ୍‌ରୁ ୧୪ ଜଣ ପ୍ରାର୍ଥୀ, ବସ୍ତା ବ୍ଲକର ୪୪ଟି ଜୋନ୍‌ରୁ ୧୬ ଜଣ ପ୍ରାର୍ଥୀ, ଖଇରା ବ୍ଲକର ୪୪ଟି ଜୋନ୍‌ର ୧୬ ଜଣ ପ୍ରାର୍ଥୀ, ବାହାନଗା ବ୍ଲକର ୩ଟି ଜୋନ୍‌ର ୧୧ ଜଣ ପ୍ରାର୍ଥୀ, ନୀଳଗିରି ବ୍ଲକର ୩ଟି ଜୋନ୍‌ରୁ ୧୪ ଜଣ ପ୍ରାର୍ଥୀ ଓ ଔପଦା ବ୍ଲକର ୨ଟି ଜୋନ୍‌ରୁ ୧୧ ଜଣ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଛି। ତେବେ ତାଲିକା ପ୍ରକାଶ ପାଇବା ପରେ ନିଜ ନିଜ ଚିହ୍ନ ପାଇ ଫେବ୍ରୁଆରି ୧୬ରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଗରାଇ ଓ ଜଳେଶ୍ବର ବ୍ଲକରେ ପ୍ରଥମ ପର୍ଯ୍ୟାୟ ଏବଂ ରେମୁଣା ଓ ବାଲେଶ୍ବର ସଦର ବ୍ଳକରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୧୬ ଲକ୍ଷ ୯୨ ହଜାର ୨୯୨ ଭୋଟର ମତଦାନ ସାବ୍ୟସ୍ତ କରି ଜନପ୍ରତିନିଧି ନିର୍ବାଚିତ କରିବେ।

ସମ୍ବନ୍ଧିତ ଖବର