‘ମିଷ୍ଟର କହ୍ନେୟାଁ’ ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ ଘଟଣା : ନିଜକୁ ନିର୍ଦ୍ଦୋଷ କହିଲେ ପପୁ

ଭୁବନେଶ୍ବର : ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଥିବା ଓଡ଼ିଆ ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟାଁ’ ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ ଘଟଣାରେ ଆଜି ମୁହଁ ଖୋଲିଛନ୍ତି ବିବାଦୀୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌। ସେ କହିଛନ୍ତି ଯେ ନାରୀଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ‘ମିଷ୍ଟର କହ୍ନେୟାଁ’ ପୋଷ୍ଟରକୁ ନେଇ ଅନେକ ସାମାଜିକ ଅନୁଷ୍ଠାନ, ସମାଜସେବୀ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ଭୁଲ୍‌। ପୋଷ୍ଟରେ ୭ଜଣ ଯୁବତୀଙ୍କ ସହ ତାଙ୍କୁ ଯେଭଳି ପ୍ରଦର୍ଶନ କରାଯାଇଛି, ସେଥିପାଇଁ ସେ ଦାୟୀ ନୁହନ୍ତି। କାରଣ ଏହି ପୋଷ୍ଟର୍‌ ସେ କିମ୍ବା ପ୍ରଯୋଜନା ସଂସ୍ଥା ତିଆରି କରିନାହିଁ। ପୋଷ୍ଟର୍‌କୁ ସିଦ୍ଧାର୍ଥ ମ୍ୟୁଜିକ୍‌ ତିଆରି କରିନଥିବା ସଫେଇ ଦେଇଛନ୍ତି। ଏକ କଲେଜ୍‌ରେ ଫିଲ୍ମର ଗୀତ ସିକ୍ୟୁଏନ୍ସ ସୁଟିଂ ଚାଲିଥିବା ବେଳେ କେହି ଷ୍ଟିଲ୍‌ ଫଟୋ ନେଇଛି। ସେହି ଫଟୋରୁ ପୋଷ୍ଟରକୁ ଅନ୍ୟ କେହି ତିଆରି କରି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଛି। ସେ କହିଛନ୍ତି, ଯଦି ଅମିତାଭ ବଚ୍ଚନଙ୍କ ଫଟୋକୁ ନେଇ କେହି ବିକୃତ କରିବ, ଏଥିପାଇଁ କ’ଣ ଅମିତାଭ ଦାୟୀ।

‌ସୋସିଆଲ ମିଡିଆରେ କେହି ଜଣେ ତାଙ୍କୁ ଏହି ପୋଷ୍ଟର୍‌ ପଠାଇଥିଲେ। ଯେହେତୁ ଏହା ଏକ ନୂଆ ଏବଂ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର; ଏହାର ପ୍ରମୋସନ ପାଇଁ ସେ ତାହାକୁ ଷ୍ଟାଟସ୍‌ରେ ରଖିଥିଲେ ବୋଲି ପପୁ ମାନିଛନ୍ତି। କିନ୍ତୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ଷ୍ଟାଟସ୍‌ରୁ ପୋଷ୍ଟକୁ ଡିଲିଟ୍‌ କରିଥିଲେ ବୋଲି କହିଛନ୍ତି। ଯେଉଁମାନେ ଏହି ପୋ‌ଷ୍ଟର ତିଆରି କରିଛନ୍ତି, ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସେହିପରି ସିଦ୍ଧାର୍ଥ ମ୍ୟୁଜିକ୍‌ ପକ୍ଷରୁ ମଧ୍ୟ ସଫେଇ ଦିଆଯାଇଛି। ପୋଷ୍ଟରଟି ସଂସ୍ଥା ପକ୍ଷରୁ କରାଯାଇ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟ କେହିଏହି ପୋଷ୍ଟରକୁ ତିଆରିକରି ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର