ପରୀକ୍ଷାରେ କପି କରିବା ମିଥ୍ୟା ଅଭିଯୋଗ, ଅଭିଭାବକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ : ଯୁକ୍ତ ୨ ବିଜ୍ଞାନ ପରୀକ୍ଷାର କେମେଷ୍ଟ୍ରି ବିଷୟରେ କେତେକ ଛାତ୍ରଛାତ୍ରୀ କପି କରିବା ମିଛ କାରଣ ଦର୍ଶାଇ କାଉନସିଲ୍ ଦ୍ୱାରା ନିଯୁକ୍ତ ସ୍କ୍ବାର୍ଡ ସେମାନଙ୍କ ବିରୋଧରେ ମାଲ୍ ପ୍ରାକ୍ଟିସରେ ବୁକ୍ କରିଥିବା ଅଭିଯୋଗ କରି ନ୍ୟାୟ ପାଇବାକୁ ଅଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତ ୩ତାରିଖରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବାବେଳେ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ସରକାରୀ କନିଷ୍ଠ ମହାବିଦ୍ୟାଳୟ ସମେତ କୋରାପୁଟର ୨ଟି ଘରୋଇ ଯୁକ୍ତ ୨ କଲେଜର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଗତ ୧୭ତାରିଖରେ କେମେଷ୍ଟ୍ରି ପରୀକ୍ଷା ଚାଲିଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିଯୁକ୍ତ ସ୍କ୍ବାର୍ଡ ପରୀକ୍ଷା କେନ୍ଦ୍ରରେ ପହଂଚି ତଦାରଖ କରିଥିଲେ। ସେହି ସମୟରେ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ ପ୍ରଶ୍ନ ପତ୍ରରେ ଠିକ୍ ଚିହ୍ନ ଦେବା ସହ ଆଉ କିଛି ଲେଖା ଥିବା ଦେଖିଥିଲେ। ତେବେ ଚେକିଂ ସ୍କ୍ବାର୍ଡ ଏମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ଛାଡି ଦେଇ କୋରାପୁଟ ସରକାରୀ କନିଷ୍ଠ ମହାବିଦ୍ୟାଳୟର ୧୩ ଓ ଏକ ଘରୋଇ ଯୁକ୍ତ ୨ କଲେଜର ୮ଜଣ ମୋଟ ୨୧ ଛାତ୍ରଛାତ୍ରୀଙ୍କୁ ମାଲ୍ ପ୍ରାକ୍ଟିସରେ ବୁକ୍ କରିଥିଲେ। ଅନ୍ୟମାନଙ୍କୁ ଛାଡି ଦିଆଯାଇଥିଲା। କାଉନସିଲ୍ ସ୍କ୍ବାର୍ଡ ପକ୍ଷପାତିତା କରି ଏଭଳି କରିଥିବା ଅଭିଯୋଗ କରି ଅଭିଭାକମାନେ ସେମାନଙ୍କ ପିଲାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ରଘୁରାମ ପଡାଲଙ୍କ ନିକଟରେ ଅନୁରୋଧ କରିଛନ୍ତି। ତିନିଦିନ ମଧ୍ୟରେ ଅଭିଯୋଗର ତଦନ୍ତ କରା ଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରତିଶୃତି ଦେଇଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର