ପର୍ଜଙ୍ଗ ତହସିଲଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜେସିବି ଚଢ଼ାଇ ହତ୍ୟା ଉଦ୍ୟମ କଲେ ମାଫିଆ

କାମାକ୍ଷାନଗର/ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାରଙ୍କୁ ମାଫିଆମାନେ ଶୁକ୍ରବାର ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ମାଫିଆମାନେ ତହସିଲଦାରଙ୍କୁ ଜେସିବି ଚଢାଇ ଦେବାକୁ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ପଥରଖମ୍ବ ଗ୍ରାମ ନିକଟରେ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ବେଳେ ଖବର ପାଇ ତହସିଲଦାର ଶୁଭ୍ର ପଟେଲ ଚଢଉ ପାଇଁ ଯାଇଥିଲେ। ବେଆଇନ ଭାବେ ମାଟି ଉଠାଉଥିବା ବେଳେ ତହସିଲ ନିଜ ମୋବାଇଲରେ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ଥିବା ମାଫିଆମାନେ ଆକ୍ରମଣ କରିଥିଲେ। ମାଫିଆମାାନେ ତହସିଲଦାରଙ୍କୁ ମାଡ଼ ମାରିବା ସହ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ହେଲା ପରେ ତହସିଲଦାରଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜସ୍ବ ନିରୀକ୍ଷକ ଆଲୋକ କୁମାର ଲେଙ୍କା ଖବର ପାଇ ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ମାଫିଆ ଗ୍ୟାଙ୍ଗରେ ୮ରୁ ୧୦ ଜଣ ସାମିଲ ଥିବା ସୂଚନା।

ଖବର ପାଇ ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଓ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମେଡିକାଲରେ ପହଞ୍ଚି ତହସିଲଦାରଙ୍କ ସହ ଆଲୋଚନା କରିବା ସହ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଘଟଣାସ୍ଥଳକୁ ପୁଲିସ ପହଞ୍ଚି ଥିବା ବେଳେ ଗୋଟିଏ ଟ୍ରାକ୍ଟରକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର