ଚିକିତ୍ସା ପାଇଁ ଯାଇ କୋଭିଡ୍ ଡାକ୍ତରଖାନାରୁ ହଜିଗଲେ, ‘ମୋ ସ୍ବାମୀଙ୍କୁ ଫେରାଇଦିଅ’

ଅନୁଗୁଳ : ‘ଦରକାର ନାହିଁ ସେ ଚିକିତ୍ସା। ରୋଗରୁ ଭଲ କରିବା ବି ଲୋଡ଼ା ନାହିଁ। ମୋ ସ୍ବାମୀଙ୍କୁ ଯେମିତି ନେଇଥିଲ, ସେମିତି ଫେରାଇଦିଅ। ମୋ ସ୍ବାମୀଙ୍କ ସେବା ନିଜେ କରିବି। ତାଙ୍କ ଦେଖାଶୁଣା କରି ଭଲ କରାଇବି। ଇଏ ହେଉଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ୍ ଧଡ଼ରାପାଳ ପଞ୍ଚାୟତ ଚିନ୍ତାମଣିପୁର ଗାଁର ଚନ୍ଦ୍ରା ପୋଢ଼ଙ୍କ କୋହଭରା କଥା। ସ୍ବାମୀ ସୁରେଶ ପୋଢ(୬୦) କୋଭିଡ୍ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ପାଖାପାଖି ଦେଢ ମାସ ହେଲା ଘରକୁ ଫେରିନାହାନ୍ତି। ଆଉ ସେଦିନୁ ଚନ୍ଦ୍ରାଙ୍କ ଆଖିରୁ ଲୁହ ଶୁଖୁନି। ସ୍ବାମୀଙ୍କୁ ପ୍ରତି ମୂହୁର୍ତ୍ତରେ ଖୋଜୁଛନ୍ତି। ୟାକୁତାକୁ ପଚାରୁଛନ୍ତି। ହେଲେ ତାଙ୍କ ସ୍ବାମୀ ଏବେ କେଉଁଠି ତା ଉତ୍ତର କାହା ପାଖରେ ନାହିଁ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ତାଙ୍କୁ ଅନୁଗୁଳରୁ କଟକ ସ୍ଥାନାନ୍ତର କରାଯାଇଛି। ହେଲେ କଟକ ଡାକ୍ତରଖାନାର ରେଜିଷ୍ଟର୍‌ରେ ତାଙ୍କର ନାଁ ନାହିଁ। ପରିବାର ଲୋକେ ମଧ୍ୟ କଟକର ବିଭିନ୍ନ କୋଭିଡ୍ ଡାକ୍ତରଖାନା ଅଣ୍ଡାଳି ପକାଇଲେଣି। କିନ୍ତୁ କେଉଁଠି ବି କିଛି ଖୋଜ୍ ଖବର ମିଳୁନି। ଏଥିନେଇ ପୁଲିସ ଓ ପ୍ରଶାସନ ପାଖରେ ଫେରାଦ ହେଲେ ମଧ୍ୟ ଫଳ ଶୂନ। ତେଣୁ ପୂରା ଭାଙ୍ଗି ପଡ଼ିଛନ୍ତି ସୁରେଶଙ୍କ ପରିବାର। ସମସ୍ତେ ଚିନ୍ତାରେ ରହିଥିଲାବେଳେ ଘରେ ଦିନେ ଚୁଲି ଜଳିଲେ, ଦିନେ ଜଳୁନି। ଚିନ୍ତାମଣିପୁର ଗାଁର ସୁରେଶ ପୋଢ଼ଙ୍କ ମେ ୪ ତାରିଖରେ ଦେହ ଅସୁସ୍ଥ ହୋଇଥିଲା। ପରେ ଘର ଲୋକ ତାଙ୍କୁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେଣୁ ଅଧିକ ଚିକିତ୍ସା ପାଇଁ ଅନୁଗୁଳ ପଠାଇ ଦେଇଥିଲେ ଡାକ୍ତର। ବଳରାମପ୍ରସାଦସ୍ଥିତ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ଏସ୍‌ସିବିରେ ଥିବା କୋଭିଡ ଡାକ୍ତରଖାନାକୁ ମେ ୭ତାରିଖରେ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେହିଦିନ ଠାରୁ ସୁରେଶଙ୍କ ସଂପର୍କରେ ଆଉ କୌଣସି ଖବର ପାଉନାହାନ୍ତି ତାଙ୍କ ପରିବାର ଓ ସଂପର୍କୀୟ।

ସମ୍ବନ୍ଧିତ ଖବର