ବେକାରି ଶବ୍ଦ ମୃତ୍ୟୁର ଘଣ୍ଟି ସଦୃଶ: ହାଇକୋର୍ଟ

ମୁକୁଳିବେ ଅଭୟ ପାଠକ, ଆକାଶଙ୍କ ଜାମିନ୍ ଖାରଜ

କଟକ : ଚାକିରି ଆଳରେ ଠକେଇ ମାମଲାରେ ହାଇକୋର୍ଟରୁ ଗୁରୁବାର ଜାମିନ ପାଇଛନ୍ତି ଅଭୟକାନ୍ତ ପାଠକ। ସେ ଜେଲ୍‌ରୁ ବାହାରିବା ବାଟ ଫିଟି ଯାଇଥିବାବେଳେ ତାଙ୍କ ପୁଅ ଆକାଶ ପାଠକଙ୍କ ଜାମିନ୍ କିନ୍ତୁ ଖାରଜ ହୋଇଯାଇଛି। ଟାଟା ମୋଟର୍ସରେ ନକଲି ଏମ୍‌ଡି ସାଜି ଚାକିରି ଆଶୟୀଙ୍କ ନିକଟରୁ ଟଙ୍କା ଆଦାୟ ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ରୁଜୁ କରିଥିବା ମାମଲାରେ ଆକାଶଙ୍କ ଜାମିନ ଖାରଜ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୁନ୍ ୪ରେ ଆକାଶଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ରାୟରେ ଉଲ୍ଲେଖ କରାଯାଇଛି, ଯୁବବର୍ଗର ଭବିଷ୍ୟତ ପାଇଁ ବେକାରି ଶବ୍ଦ ମୃତ୍ୟୁର ଘଣ୍ଟି ସଦୃଶ। ବେକାର ଯୁବକଯୁବତୀ ଡିଗ୍ରି ଧରି ଉପଯୁକ୍ତ ନିଯୁକ୍ତି ନ ପାଇ ଦୁଃଖର ବର୍ଷାରେ ଭିଜୁ ଥିବାବେଳେ ତାଙ୍କୁ ଜୀବନର ଝଡ଼ରୁ ରକ୍ଷା କରିବାକୁ ଛତା ପ୍ରଦାନ କରିବା ବଦଳରେ ଯଦି କେହି ମିଛ ପ୍ରତିଶ୍ରୁତି ଦିଏ, ତେବେ ତାହା ଠକାମିର ଚରମ ସୀମା। ଏଭଳି ଅପରାଧକୁ ଦୃଢ଼ହସ୍ତରେ ଦମନ କରାଯିବା ଆବଶ୍ୟକ। ଏଭଳି ମାମଲାରେ ଅଭିଯୋଗ ପ୍ରମାଣିତ ହେଲେ ଦୋଷୀକୁ କଠୋର ଦଣ୍ଡ ଦିଆଯିବା ଉଚିତ।

ଅନ୍ୟପକ୍ଷରେ ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟ ଆଜି ବୈଦ୍ୟନାଥପୁର ଥାନା ମାମଲାରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ସହିତ ଅନ୍ୟ କେତେକ ସର୍ତ୍ତପୂରଣ ପରେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡ଼ିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ଫଳରେ, ଅଭୟକାନ୍ତଙ୍କ ଜେଲ୍‌ରୁ ମୁକୁଳିବା ବାଟ ଖୋଲିଛି। ପୂର୍ବରୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ନେଇ ଭିଜିଲାନ୍ସ ରୁଜୁ କରିଥିବା ମାମଲାରେ ତାଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ। ଏହାପରେ ଚାର୍ଟର ବିମାନ ବୁକିଂ ବାବଦରେ ୬୫ ଲକ୍ଷ ଟଙ୍କା ଠକେଇ ନେଇ ଖାରବେଳନଗର ଥାନାରେ ରୁଜୁ ମାମଲାରେ ଓ ଗୋଳନ୍ଥରା ଥାନାରେ ରୁଜୁ ମାମଲାରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଅଭୟକାନ୍ତ ପାଠକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ଆକାଶଙ୍କ ଜାମିନ ମାମଲାରେ ସରକାରଙ୍କ ପକ୍ଷରୁ ଏଜିଏ ସୌଭାଗ୍ୟ କେତନ ନାୟକ ମାମଲା ପରିଚାଳନା କରୁଥିଲେ।

ଉଲ୍ଲେଖଯୋଗ୍ୟ ‌େଯ ଏହି ମାମଲାରେ ଫେବ୍ରୁଆରି ୨୪ରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଏହାପରେ ସର୍ବେଶ୍ବର ରାଓଙ୍କୁ ମଧ୍ୟ ହାଇକୋର୍ଟ ଜୁନ୍ ୨ରେ ଜାମିନ ପ୍ରଦାନ କରିଥିଲେ। ବୈଦ୍ୟନାଥପୁର ଥାନା ମାମଲାରେ ଆକାଶଙ୍କ ଜାମିନ ଆବେଦନ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର