ପାଟଣାଗଡ଼ ପାର୍ସଲ ବୋମା ଘଟଣା : ପୁଞ୍ଜିଲାଲ ବିରୋଧରେ ୩୦୦ ପୃଷ୍ଠାର ଚାର୍ଜସିଟ୍‌

୭୨ ସାକ୍ଷୀଙ୍କ ବୟାନ ଦାଖଲ; ୩ ରାଜସାକ୍ଷୀଙ୍କୁ ଖୋଜା ଚାଲିଛି

କଟକ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ କୁହାଯାଉଥିବା ଭଇଁଷା ଜ୍ୟୋତି ବିକାଶ କଲେଜ୍‌ର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ଆଜି କ୍ରାଇମବ୍ରାଞ୍ଚ୍‌ ୩ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି। କଲେଜ୍‌ର ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା ବିବାଦରେ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି କାଣ୍ଡ କରିଥିବା ଚାର୍ଜସଟରେ ଉଲ୍ଲେଖ କରାଯାଇଛି। କଲେଜର ପ୍ରିନ୍ସିପାଲ ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇ ଥିବା ବେଳେ ବିସ୍ଫୋରଣରେ ସଂଯୁକ୍ତାଙ୍କ ପୁଅ ସୌମ୍ୟ ଶେଖର ଏବଂ ତାଙ୍କ ଶାଶୂ ଜେନାମଣିଙ୍କର ମୃତ୍ୟୁ ହୋଇଥିଲା। ପାଟଣାଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ମୋଟ ୭୨ ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଦାଖଲ କରିଛି। ଆହୁରି ୩ ଜଣ ରାଜସାକ୍ଷୀ ଏବଂ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀର ଦୁଇଟି ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇନଥିବାରୁ ତଦନ୍ତକୁ ବନ୍ଦ ନକରି ଜାରି ରଖିବାକୁ ଅଦାଲତରେ ଆବେଦନ କରାଯାଇଛି। ତଦନ୍ତ ଦାୟିତ୍ୱ ନେବାର ୧୨୦ ଦିନର ଠିକ୍‌ ପୂର୍ବ ଦିନ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରିଛି।

ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି ଯେ ପାଟଣାଗଡ଼ରେ ଅଧ୍ୟାପକ ରବୀନ୍ଦ୍ର ସାହୁ ଓ ସଂଯୁକ୍ତାଙ୍କ ପୁଅ ସୌମ୍ୟ ଶେଖରଙ୍କ ଘରେ ଫେବ୍ରୁଆରି ୨୩ ତାରିଖରେ ସ୍କାଏ କିଙ୍ଗ କୋରିଅର୍‌ ସଂସ୍ଥାର କର୍ମଚାରୀ ସୁକାନ୍ତ ସେଠ୍‌ ଏକ ପାର୍ସଲ୍‌ ଦେଇଥିଲେ। ସେହି ପାର୍ସଲ ଖୋଲାଯିବା ସମୟରେ ବିସ୍ଫୋରଣରେ ସୌମ୍ୟଙ୍କ ସ୍ତ୍ରୀ ରିମା ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣାର ପାଟଣାଗଡ଼ ଥାନା ପୁଲିସ ୨୩ ତାରିଖରେ ଦଫା ୩୦୨, ୩୦୭ ଏବଂ ଏକ୍ସପ୍ଲୋସିଭ୍‌ ସବ୍‌ଷ୍ଟାନ୍ସ ଆକ୍ଟ ୩ ଓ ୪ରେ ରୁଜୁ କରିଥିବା ମାମଲାକୁ ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟିକୁ ହସ୍ତାନ୍ତର କରାଯାଇଥିଲା। ଏପ୍ରିଲ୍‌ ୨୫ ତାରିଖରେ ପୁଞ୍ଜିଲାଲକୁ ଗିରଫ କରିବା ପରେ ଆସନ୍ତାକାଲି ଗିରଫଦାରୀକୁ ୧୨୦ ଦିନ ପୂରଣ ହେଉଥିବାରୁ ଆଜି କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି।

ଏଥିରେ ଥିବା ୭୨ ଜଣ ସାକ୍ଷୀଙ୍କ ତାଲିକାରେ ମୃତ ସୌମ୍ୟଙ୍କ ବାପା ଓ ମା’, ଭଇଁଷା ଜ୍ୟୋତି ବିକାଶ କଲେଜ୍‌ର ମୋଟ ୧୨ ଜଣ ଅଧ୍ୟାପକ ଓ କର୍ମଚାରୀଙ୍କ ବୟାନ ରହିଛି। କଲେଜ୍‌ର ଜ୍ଞାନେନ୍ଦ୍ର ସାଇ, ଗୌର ଚରଣ ମହାପାତ୍ର, ବିରଞ୍ଚି ପଟେଲ୍‌, ଜିତେନ୍ଦ୍ର ଦାସ, ଗୋପବନ୍ଧୁ ସାହୁ, ଶ୍ୟାମ ସୁନ୍ଦର ମେହେର, ସନ୍ତୋଷ ରାଉତ, ହୃଷିକେଷ ଠାକୁର, ଅଧ୍ୟାପକ ଠଣ ସୁନ୍ଦର ମେହେର୍‌, କୁଞ୍ଜ ବିହାରୀ ପତି ଏବଂ ଭକ୍ତବନ୍ଧୁ ସେଠ୍‌ ରହିଛନ୍ତି। ସେହିପରି ଫେବ୍ରୁଆରି ୧୫ ତାରିଖରେ କଣ୍ଟାବାଞ୍ଝି ରେଳ ଷ୍ଟେସନ୍‌ରେ ଯେଉଁ ଗାଡ଼ି ଷ୍ଟାଣ୍ଡର ପୁଞ୍ଜିଲାଲ ବୁଲେଟ୍‌ ପାର୍କିଂ କରିଥିଲେ, ଷ୍ଟାଣ୍ଡର ଦୁଇ ଜଣ କର୍ମଚାରୀ ସୁଶିଲ କୁମାର ବେହେରା ଏବଂ ଲକ୍ଷ୍ଣଣ ଶବର, ବଲାଙ୍ଗୀର ଏସ୍‌ପିଙ୍କୁ ପୁଞ୍ଜିଲାଲ ପଠାଇଥିବା ଚିଠିର ପ୍ରିଣ୍ଟ ପାଟଣାଗଡ଼ରେ କ୍ରିଷ୍ଣା ଇଲେକ୍ଟ୍ରୋନିକ୍ସ ଦୋକାନରେ ହୋଇଥିବାରୁ ଦୋକାନ ମାଲିକ ଭୋଳାନାଥ ମେହେର, ବୋମା ପରୀକ୍ଷା କରିଥିବା ୩ ଜଣ ଏକ୍ସପର୍ଟ, ବଲାଙ୍ଗୀର ଜିଲ୍ଲାର ୫ ପୁଲିସ ଅଫିସର, ବୋମା ଜବତ ବେଳେ ୫ ଜଣ ସାକ୍ଷୀ, ପାଟଣାଗଡ଼ ଗ୍ରାମବାସୀଙ୍କ ବୟାନ ରେକର୍ଡ ସମ୍ପର୍କିତ ଦସ୍ତାବିଜ ଦାଖଲ କରାଯାଇଛି। ସେହିଭଳି ରାୟପୁରରେ ସ୍କାଏ କିଙ୍ଗ କୋରିଅର୍‌ ସଂସ୍ଥାର ମୁଖ୍ୟ ହରବିନ୍ଦର ସିଂହ ସାଲୁଜା ଏବଂ ଡିଟିଡିଟି କୋରିଅର୍‌ ସଂସ୍ଥାର କର୍ମଚାରୀ ରିନାଙ୍କ ରେକର୍ଡ ହୋଇଥିବା ବୟାନ ମଧ୍ୟ ରହିଛି। କଣ୍ଟାବାଞ୍ଝି ରେଳ ଷ୍ଟେସନ୍‌ରେ ଥିବା ଗାଡ଼ି ଷ୍ଟାଣ୍ଡର ରସିଦ୍‌ ବହି, ପୁଞ୍ଜିଲାଲର ୩ଟି ମୋବାଇଲ୍‌ ଫୋନ୍‌, ପେନ୍‌ଡ୍ରାଇଭ୍‌, ଏକ୍ସଟର୍‌ନାଲ ହାର୍ଡ ଡିସ୍କ, ପ୍ରିଣ୍ଟର, ଏସ୍‌ପିଙ୍କୁ ପଠାଇଥିବା ଚିଠି, ଅଠା ଡବା, ୩୦ଟି ବୋମା ଏବଂ ରାୟପୁର ଡିଟିଡିସି କୋରିଅର୍‌ ସଂସ୍ଥା ବାହାର ପାର୍ଶ୍ୱରେ ଖଞ୍ଜାଯାଇଥିବା କ୍ୟାମେରାର ହାର୍ଡଡିସ୍କ ଇତ୍ୟାଦି ଜବତ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ରେ ଦର୍ଶାଇଛି।

ପ୍ରାଥମିକ ଭାବେ ଚାର୍ଜସିଟ୍‌ ଦାଖଲ କରାଯାଇଥିବା ବେଳେ ଘଟଣାରେ ଆହୁରି ପ୍ରମାଣ ଓ ସାକ୍ଷୀ ଥିବା ଚାର୍ଜସିଟ୍‌ରେ ସ୍ପଷ୍ଟ କରାଯାଇଛି। ଫେବ୍ରୁଆରି ୧୬ ତାରିଖରେ ପୁଞ୍ଜିଲାଲ ରାୟପୁରରେ ପହଞ୍ଚିବା ପରେ ଯେଉଁ ଅଟୋ ଏବଂ ଦୁଇ ରିକ୍ସା ଚାଳକଙ୍କ ସହାୟତାରେ ସ୍କାଏ କିଙ୍ଗ ଓ ଡିଟିଡିସି କୋରିଅର୍‌ ସେଣ୍ଟର୍‌କୁ ଯାଇଥିଲେ, ସମ୍ପୃକ୍ତ ଚାଳକ ତିନି ଜଣଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚ ପାଇପାରି ନାହିଁ। ସେମାନେ ଏହି ଘଟଣାରେ ରାଜସାକ୍ଷୀ ପାଲଟିଥିବାରୁ ସେମାନଙ୍କୁ ଠାବ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଆଉ ଥରେ ରାୟପୁର ଯିବାକୁ ଯୋଜନା କରିଥିବା କୋର୍ଟକୁ ଅବଗତ କରିଛି। ଭୁବନେଶ୍ୱର ରସୁଲଗଡ଼ ଫରେନ୍‌ସିକ ଲ୍ୟାବ୍‌କୁ ଯାଇଥିବା ଜବତ ୩୦ଟି ବୋମା, ଅଠା ଡବା, ଚିଠିର ଗୋଟିଏ ପରୀକ୍ଷା ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇଛି। କିନ୍ତୁ ପୁଞ୍ଜିଲାଲ ମେ ୬ ତାରିଖରେ ବଲାଙ୍ଗୀର ସର୍କିଟ୍‌ ହାଉସ୍‌ରେ ବୋମା ଭିଡ଼ିବାର ଯେଉଁ ଡେମୋ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ଦେଖାଇଥିଲେ, ତାର ରେକର୍ଡ ହୋଇଥିବା ଭିଡିଓ ଅନୁଧ୍ୟାନ କରିବାକୁ ରସୁଲଗଡ଼ ଫରେନ୍‌ସିକ ସାଇନ୍ସ ଲ୍ୟାବ ଯାଇଥିଲା। ବର୍ତ୍ତମାନ ସୁଦ୍ଧା ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇପାରିନାହିଁ। ସେହିପରି ଗୁଜୁରାଟ ଗାନ୍ଧୀନଗରସ୍ଥିତ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀକୁ ଯାଇଥିବା ହାର୍ଡ ଡିସ୍କ, ପେନ୍‌ଡ୍ରାଇଭ୍‌ ଏବଂ ମୋବାଇଲ୍‌ ଫୋନ୍‌ର ପରୀକ୍ଷା ରିପୋର୍ଟ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆସିନାହିଁ। ଉଭୟ ରସୁଲଗଡ଼ ଓ ଗୁଜୁରାଟ ଲ୍ୟାବ୍‌ରୁ ଦୁଇଟି ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଦ୍ୱିତୀୟ ପର୍ଯ୍ୟାୟରେ ଏସବୁ ରିପୋର୍ଟ କୋର୍ଟରେ ଦାଖଲ କରାଯିବା ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜିସିଟ୍‌ରେ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର