ଚୀନ୍‌ ସୈନିକଙ୍କ ଅତିକ୍ରମଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ପ୍ରଶ୍ନ

ଭୁବେନଶ୍ବର : ଭାରତ ସୀମାକୁ ଚୀନ ସୈନିକଙ୍କ ଅତିକ୍ରମଣକୁ ନେଇ ମୋଦୀ ସରକାର ଦେଶବାସୀଙ୍କୁ ବିଭ୍ରାନ୍ତ କଲାଭଳି ତଥ୍ୟ ରଖିଛନ୍ତି। ଆଜି ଏପରି ଅଭିଯୋଗ କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେତୋଟି ପ୍ରଶ୍ନର ଉତ୍ତର ଦେବାକୁ ଆହ୍ବାନ କରିଛନ୍ତି। ୨୦୧୩ ମସିହାରେ ଦେପଶଙ୍ଗରୁ ଵାଇ ଜଙ୍କସନ୍‌ ପର୍ଯ୍ୟନ୍ତ ଭାରତର ସୀମା ଭିତରକୁ ପଶିଆସିଥିବା ଚୀନ ସେନାକୁ ୟୁପିଏ ସରକାର ଅମଳରେ ଘଉଡ଼ାଇ ଦିଆଯାଇଥିଲା। ଅଥଚ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୬ ବର୍ଷ ଶାସନ ସମୟରେ ଭାରତ ସୀମା ଭିତରକୁ ୫ ଥର ଚୀନ ସେନା ପଶିଆସିଲେଣି ତାର ସନ୍ତୋଷଜନକ ଉତ୍ତର କିଛି ମିଳୁନି। ଗୋଟିଏ ପଟେ ଚୀନର ସେନା ଭାରତର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରୁଥିବାବେଳେ ଗତ ୫ ମାସ ଭିତରେ ଚୀନ କମ୍ପାନିମାନଙ୍କଠାରୁ ବିବାଦୀୟ ପିଏମ୍‌ କେୟାର୍ସ ପାଣ୍ଠି ପାଇଁ ୯ ହଜାର ୬୭୮ କୋଟି ଟଙ୍କା କିପରି ଗ୍ରହଣ କରାଗଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି।

ଏକ ପ୍ରେସ୍‌ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି, ୨୦୧୪ରେ ଅହମଦାବାଦ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ରାଷ୍ଟ୍ରପତିଙ୍କ ସହ ଝୁଲା ଝୁଲୁଥିବାବେଳେ ଚୀନ ସେନା ଲଦାଖର ଚୁନାର ସ୍ଥିତ ୩୦ଆର୍‌ ପୋଷ୍ଟ୍‌ ପଏଣ୍ଟ୍‌କୁ ଅଧିକାର କରିଥିଲା। ସେହିପରି ୨୦୧୭ରେ ଡୋକ୍‌ଲାମ ମାଳଭୂମି, ପେଗଙ୍ଗ୍ ଲେକ୍‌, ଦେପଶଙ୍ଗ ଓ ଏବେ ଗଲଵାନ୍‌ ଭ୍ୟାଲିକୁ ଅତିକ୍ରମଣ କରିଥିଲେ। ଏତେସବୁ ପରେ ବି ଚୀନ୍‌ ସେନା ଭାରତର ସୀମା ଭିତରୁ ଆଦୌ ପଶି ଆସିନଥିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ଏପରି କରି ମୋଦୀ ସରକାର ଓ ବିଜେପି ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି। ଏହାକୁ ନେଇ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ କଂଗ୍ରେସ ଯେତେ ପ୍ରଶ୍ନ ପଚାରି ଆସୁଥିଲେ ବି ଉତ୍ତର ମିଳୁନି। ବିଶେଷକରି ପ୍ରଧାନମନ୍ତ୍ରୀ ଚୀନ ପ୍ରତି ନରମ ମନୋଭାବ ରଖିଥିବା ନେଇ ପିସିସି ସଭାପତି ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଚୀନ ସହ ଘନିଷ୍ଠ ସମ୍ପର୍କ ରଖିବା ସହ ପ୍ରଧାନମନ୍ତ୍ରୀ ଭାବେ ସେ ଏବେସୁଦ୍ଧା ୫ଥର ଚୀନ ଗସ୍ତ କରିସାରିଲେଣି।

କୋଭିଡ୍‌ ସହାୟତା ପାଇଁ କେନ୍ଦ୍ର ସରକାର ଗଠନ କରିଥିବା ପିଏମ୍‌ କେୟାର୍ସ ପାଣ୍ଠିର ପରିଚାଳନା କିପରି ହେଉଛି ଏକଥା କେହି ଜାଣନ୍ତିନି। ଏହି ପାଣ୍ଠି ସିଏଜିଙ୍କ ଦ୍ବାରା ମଧ୍ୟ ଅଡିଟ୍‌ ହେବନାହିଁ କି ସୂଚନା ଅଧିକାର ଆଇନ ପରିସରରୁ ମଧ୍ୟ ଏହାକୁ ବାଦ ଦିଆଯାଇଛି। ଆରମ୍ଭରୁ ହିଁ କଂଗ୍ରେସ ଏହି ପାଣ୍ଠି ପରିଚାଳନାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇ ଆସିଛି। ବିବାଦୀୟ ଚୀନ କମ୍ପାନି ହୁଆଵେଠାରୁ ପ୍ରଧାନମନ୍ତ୍ରୀ ୭ କୋଟି ଟଙ୍କା ଗ୍ରହଣ କରିଥିଲେ। ଏହି କମ୍ପାନି ସିଧାସଳଖ ଭାବେ ଚୀନ ସେନା ସହ ସମ୍ପୃକ୍ତ। ଚୀନ ପ୍ରସ୍ତୁତ ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ ଠାରୁ ମଧ୍ୟ ୩୦ କୋଟି ଟଙ୍କାର ଦାନ ପିଏମ୍‌ କେୟାର୍ସ୍‌ ପାଣ୍ଠିକୁ ଯାଇଛି। ପେଟିଏମ୍‌ ୧୦୦ କୋଟି, ମୋବାଇଲ୍‌ ଉତ୍ପାଦନ କରୁଥିବା କମ୍ପାନି ସାଓମି ୧୫ କୋଟି, ଓପୋ ୧ କୋଟି ଟଙ୍କା ଏହି ବିବାଦୀୟ ପାଣ୍ଠିକୁ ଦାନ କରିଛନ୍ତି। ଏହାସହିତ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ମିଳିଥିବା ଦାନ ଅର୍ଥରୁ କେତେଟଙ୍କା ପିଏମ୍‌କେୟାର୍ସ୍‌ ପାଣ୍ଠିକୁ ଟ୍ରାନ୍‌ସ୍‌ଫର କରାଯାଇଛି ବୋଲି ସେ ସମ୍ପର୍କରେ ସ୍ପଷ୍ଟ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର