ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ରଖିବା ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ ପିସିସି ସଭାପତି

ସମ୍ପୃକ୍ତ ଅଧିକାରୀ ଓ ରାଜନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ଏହି ଘଟଣାକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରାଯାଉ

ଭୁବନେଶ୍ବର : ଶ୍ରୀମନ୍ଦିର ଫାଉଣ୍ଡେସନ୍‌ ଫଣ୍ଡର ଅଧ୍ୟକ୍ଷ ହେଉଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ର ଧାରା ୨୮-ସି ଓ ଉପଧାରା ୩ ଅନୁଯାୟୀ କେଉଁ ବ୍ୟାଙ୍କରେ ଟଙ୍କା ରଖାଯିବ ତାହା ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅନୁମୋଦନ କରିବେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଜାତୀୟକରଣ ବ୍ୟାଙ୍କ ପରିବର୍ତ୍ତେ ୨୦୦୪ରେ ଗଠନ ହୋଇଥିବା ଏକ ଘରୋଇ ବ୍ୟାଙ୍କରେ ୫୪୫ କୋଟି ଟଙ୍କା ରଖିଲେ। ଏହା ଓଡ଼ିଶା ସରକାରଙ୍କ ଘରୋଇ ବ୍ୟାଙ୍କ ପ୍ରୀତିକୁ ପଦାରେ ପକାଇ ଦେଇଛି। ଏବେ ଘରୋଇ ୟେସ୍‌ ବ୍ୟାଙ୍କରେ ଜମା ଥିବା ଜଗନ୍ନାଥଙ୍କ ଜମା ଟଙ୍କା ଫେରି ପାଇବା ଦୁରୁହ ବ୍ୟାପାର। ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଯେଉଁ ଅଧିକାରୀମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଥିଲେ, ୟେସ୍‌ ବ୍ୟାଙ୍କର କାରବାର ଉପରେ ପୂର୍ବରୁ ରିଜର୍ଭ ବ୍ୟାଙ୍କ୍‌ କଟକଣା ଲଗାଇଥିଲେ। ଅଥଚ ରାଜ୍ୟ ସରକାର ଜାଣିପାରିଲେନି। ରିଜର୍ଭ ବ୍ୟାଙ୍କର କଟକଣା ସତ୍ତ୍ବେ ଏହି ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଏତେ ପରିମାଣର ଟଙ୍କା ରଖାଗଲା। ଯାହାକି ଏବେ ସଂକଟରେ। ଶ୍ରୀମନ୍ଦିର ପରିଚାଳନା, ଆର୍ଥିକ କାରବାର ଏବଂ ଦୈନଦିନ ନୀତିକାନ୍ତି ସିଧାସଳଖ ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଅଧୀନରେ ଆସୁଛି। କେବଳ ସେତିକି ନୁହେଁ, ଓଡ଼ିଶାର ସାଧାରଣ ଜନତାଙ୍କର ୟେସ୍‌ ବ୍ୟାଙ୍କରେ ଜମା ଥିବା ପ୍ରାୟ ୩ ହଜାର ୨୦୦ କୋଟି ଟଙ୍କା ବୁଡ଼ିଯିବା ଅବସ୍ଥାରେ ରହିଛି। ଏପରି ସ୍ଥିତିରେ ରାଜ୍ୟର କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକର କେତେ ଟଙ୍କା ଏହି ଘରୋଇ ବ୍ୟାଙ୍କରେ ଜମା ଅଛି ତାହା ଜାଣିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏବେ ୟେସ୍‌ ବ୍ୟାଙ୍କ ଦେବାଳିଆ ଘଟଣାର ସିବିଆଇ ଓ ଇଡି ମିଳିତ ତଦନ୍ତ କରୁଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏତେ ପରିମାଣର ଟଙ୍କା କିପରି ଜମା ରଖାଗଲା ତାକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର