କଂଗ୍ରେସର ଉନ୍ନତ ପ୍ରଦର୍ଶନ ପାଇଁ ଭୋଟରକୁ କୃତଜ୍ଞତା ଜଣାଇଲେ ପିସିସି ସଭାପତି

ଆଗାମୀ ଦିନରେ ରାଜ୍ୟ ସ୍ୱାର୍ଥ ରକ୍ଷା ଲାଗି ବେସାଲିସ୍ ସଂଗ୍ରାମ କରିବ କଂଗ୍ରେସ

ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଅଭୂତପୂର୍ବ ସମର୍ଥନ ଲାଗି ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଛନ୍ତି। ଏହି ଉପନିର୍ବାଚନରେ କଂଗ୍ରେସକୁ ୨୭ ହଜାର ୫ଶହରୁ ଅଧିକ ଭୋଟ୍ ଦେଇ ମତଦାତାମାନେ ଦଳକୁ ଦ୍ୱିତୀୟ ସ୍ଥାନରେ ରଖିବା ଏକ ବଡ ଉପଲବ୍ଧି ଏବଂ ଏହା ଦଳର ଅଗଣିତ କର୍ମକର୍ତା ଓ ନେତାମାନଙ୍କୁ ଆଗାମୀ ଦିନରେ ଅଧିକ ସଂଗଠିତ ହେବାକୁ ଉତ୍ସାହ ଓ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ବଜ୍ରରାଜନଗର ଉପନିର୍ବାଚନ ପ୍ରମାଣ କରିଛି ଯେ ଜନସାଧାରଣମାନେ କଂଗ୍ରେସ ଉପରେ ପୁନଃ ଆସ୍ଥା ସ୍ଥାପନା ଓ ଭରସା କରିବା ଆରମ୍ଭ କରିଛନ୍ତି। ଜନସାଧାରଣଙ୍କ ଏହି ଆସ୍ଥା ଓ ଭରସାକୁ ପାଥେୟ କରି କଂଗ୍ରେସ ଆଗାମୀ ଦିନରେ ଶାସନରେ ଥିବା ଦୁର୍ନୀତିଗ୍ରସ୍ତ ବିଜୁ ଜନତା ଦଳକୁ କ୍ଷମତାରୁ ହଟାଇ ରାଜ୍ୟରେ ଦକ୍ଷ ଓ ପାରଦର୍ଶୀ ଶାସନ ପ୍ରତିଷ୍ଠା କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

୨୦୧୯ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ବ୍ରଜରାଜନଗର ଆସନରୁ ଲଢିନଥିଲା। ଏଥର ଉପନିର୍ବାଚନରେ ସମ୍ପୂର୍ଣ୍ଣ ମୂଳରୁ ପ୍ରସ୍ତୁତି ଆରମ୍ଭ କରିଥିଲା । ନିର୍ବାଚନ ସମୟରେ ଦଳର ସମସ୍ତ ବରିଷ୍ଠ ଓ ତରୁଣ ନେତାମାନେ ଏକତ୍ରିତ ହୋଇ ଏକ ମନ ଓ ଏକ ପ୍ରାଣରେ ପ୍ରଚାର ଅଭିଯାନ କାର୍ଯ୍ୟରେ ନିଜକୁ ସାମିଲ୍ କରିଥିଲେ। ସେମାନଙ୍କର ଆନ୍ତରିକ ତଥା ନିଷ୍ଠାପର ଉଦ୍ୟମ ଓ ପରିଶ୍ରମ ଯୋଗୁ ଦଳ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡିକୁ ମୁକାବିଲା କରିପାରିଲା। ଆଗାମୀ ଦିନରେ କଂଗ୍ରେସ ହିଁ ବିଜେଡିର ବିକଳ୍ପ ହୋଇ ରାଜ୍ୟରେ ସୁଶାସନ ଦେବାକୁ ସାଲିସ୍‌ବିହୀନ ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କର୍ମୀ ଓ ନେତାମାନଙ୍କୁ ଆଶ୍ୱସନା ଦେଇଛନ୍ତି।

ସମ୍ବନ୍ଧିତ ଖବର