ପିଡିଏସ୍‌ ମହାଦୁର୍ନୀତି: ଠିକାଦାର ଛାଡ଼ିଲେ ଦାୟିତ୍ବ

ଟାଙ୍ଗରପାଲିରେ ଗୋଦାମ ଥାଇ ହେମଗିରରୁ ଯୋଗାଣ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ପିଡିଏସ୍‌ ମହାଦୁର୍ନୀତି ଖବର ପ୍ରକାଶନ ପରେ ଗୁମର ଫିଟିଯିବା ଭୟ ଜିଲ୍ଲା ଯୋଗାଣ ବିଭାଗ, ମିଲର୍ସ ଓ ଠିକାଦାରମାନଙ୍କୁ ଘାରିଛି। ଏହିକ୍ରମରେ ୧୬ ତାରିଖରେ ସୁନ୍ଦରଗଡ଼ର ପରିବହନକାରୀ (ଏଲ୍‌୨) ଠିକାଦାର ସୁମିତ ଅଗ୍ରୱାଲ ଅତି ତରବର ହୋଇ ପରିବହନ ଦାୟିତ୍ବରୁ ଓହରି ଯାଇଛନ୍ତି। ଏ ସମ୍ପର୍କିତ ଲିଖିତ ତ୍ୟାଗପତ୍ର ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଦାଖଲ କରିବା ପରେ ତାଙ୍କ ଅଧୀନସ୍ଥ ହେମଗିର, ଲେଫ୍ରିପଡ଼ା, ଟାଙ୍ଗରପାଲି ବ୍ଲକକୁ ବିଭାଗ ନିଜ ହାତକୁ ନେଇଛି।

ସୂଚନାଯୋଗ୍ୟ, ସୁମିତଙ୍କ ବାପାଙ୍କ ନାମରେ ଏକ ରାଇସ୍‌ ମିଲ୍‌ ରହିଛି। ନିୟମ ଅନୁସାରେ, ଯାହାର ରାଇସ୍‌ ମିଲ୍‌ ଥିବ ତାଙ୍କ ପରିବାର ତଥା ରକ୍ତ ସମ୍ପର୍କୀୟ କେହି ପିଡିଏସ୍‌ ପରିବହନ ଦାୟିତ୍ବ ନେଇପାରିବେ ନାହିଁ। କିନ୍ତୁ ସୁମିତଙ୍କ କ୍ଷେତ୍ରରେ ଏହି ନିୟମର ଖୋଲା ଉଲ୍ଲଂଘନ କରି ତାଙ୍କୁ ପରିବହନ ଦାୟିତ୍ବ ଦିଆଯାଇଥିଲା। ଏଥିରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ଚର୍ଚ୍ଚାକୁ ଆସିଥିଲା। ତେବେ ଏବେ ସୁମିତ ପରିବହନ ଦାୟିତ୍ବରୁ ଓହରି ଯିବା ଧର୍ମକୁ ଆଖିଠାର ବୋଲି କୁହାଯାଉଛି। କାରଣ ବିଭାଗ ତାଙ୍କ କାମକୁ ନିଜ ହାତକୁ ନେଇଥିଲେ ମଧ୍ୟ ତାଙ୍କୁ ହିଁ ବିଭାଗ ନାମରେ ପରିବହନ କରିବାକୁ ସୁଯୋଗ ଦିଆଯିବାର ମସୁଧା ଚାଲିଥିବା ସୂଚନା ମିଳିଛି। ୨୦୧୭ ଜୁଲାଇରୁ ଟେଣ୍ଡର ପାଇଥିବା ଶ୍ରୀ ଅଗ୍ରୱାଲଙ୍କ କାର୍ଯ୍ୟ ଅବଧି ୨୦୧୯ ମାର୍ଚ ଯାଏ ଥିଲା। କିନ୍ତୁ ତାକୁ ୬ ମାସ ବୃଦ୍ଧି କରି ସେପ୍ଟେମ୍ବର ଯାଏ ତାଙ୍କୁ ପୁଣି ପରିବହନ ଦାୟିତ୍ବ ଦିଆଯାଇଥିଲା। ଅକ୍ଟୋବରରୁ ପରବର୍ତ୍ତୀ ପରିବହନ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ତାର ତ୍ରୁଟିବିଚ୍ୟୁତିକୁ ନେଇ କିଛି ଆବେଦନକାରୀ କୋର୍ଟଙ୍କ ଦ୍ବାରସ୍ଥ ହେବା ଓ ତାହା ଝୁଲି ରହିବା କାରଣରୁ ଶ୍ରୀ ଅଗ୍ରୱାଲଙ୍କ କାର୍ଯ୍ୟ ସମୟ ବୃଦ୍ଧି ପାଇ ପାଇ ଏ ପର୍ଯ୍ୟନ୍ତ ପହଞ୍ଚିଥିଲା।

ତେବେ ତାଙ୍କ ଅବଧି ଜୁନ ୩୦ ଯାଏ ଥିବା ଓ ଏହି ସମୟ ପୂର୍ବରୁ ସେ ପରିବହନ କାର୍ଯ୍ୟ ତ୍ୟାଗ କରିଥିବାରୁ ନିୟମ ଅନୁଯାୟୀ ତାଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେ ଜମା କରିଥିବା ଚୁକ୍ତି ଅର୍ଥ (ଇଏମଡି) ଜବତ ହେବା କଥା। କିନ୍ତୁ ସେପରି କିଛି କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା କମ୍‌ ବୋଲି ଚର୍ଚ୍ଚା ହେଉଛି।

ତେବେ ଏହି ସ୍ଥିତିରେ ଆଗକୁ ସମ୍ପୃକ୍ତ ପରିବହନକାରୀଙ୍କ ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା ବିଭାଗ ନାମରେ ତାଙ୍କୁ ପୁଣି ପରିବହନ ଦାୟିତ୍ବ ଦିଆଯିବ ତାକୁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର