କୂଳ ଲଂଘୁଛି ତେଲ ନଦୀ, ୨୭ ବର୍ଷ ଧରି ସମସ୍ୟା ସୃଷ୍ଟି କରୁଛି ଇନ୍ଦ୍ରାବତୀ

କଣ୍ଟାମାଳ : ୧୯୮୨ ମସିହାର ବନ୍ୟା ବିଭୀଷିକା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ନଈକୂଳିଆ ଗାଁର ଅଧିବାସୀମାନେ ଏବେ ବି ଭୁଲି ପାରିନାହାନ୍ତି। ସେବେଠୁ ପ୍ରତ୍ୟେକ ବର୍ଷ ବର୍ଷା ଆସିଲେ ସେଦିନର ଛାତିଥରା ଦୃଶ୍ୟ ଆଖି ଆଗରେ ନାଚି ଉଠୁଥିବା ପ୍ରତ୍ୟକ୍ଷଦର୍ଶୀ କହନ୍ତି। ବନ୍ୟା ବେଳେ ତତ୍କାଳୀନ ସରକାର ତେଲନଦୀ କୂଳରେ ଆଡ଼ିବନ୍ଧ ନିର୍ମାଣ ପ୍ରତିଶ୍ରୁତି ଦେଇଥିଲେ। ୪୦ ବର୍ଷ ପରେ ବି ଏହି ଦାବି ପୂରଣ ହୋଇ ପାରିନାହିଁ।

ତେଲ ନଦୀ କଳାହାଣ୍ଡି ଜିଲ୍ଲାରୁ ବାହାରି ବଲାଙ୍ଗୀର ଜିଲ୍ଲା ଦେଇ କୁଲତାଯୋର ପଞ୍ଚାୟତ ଦେଉଳି ଗ୍ରାମ ଶୈବ ପୀଠରେ ବୌଦ୍ଧ ଜିଲ୍ଲାକୁ ଛୁଇଁଛି। ସେଠାରୁ ଦୀର୍ଘ ୭୦ କିମି ପ୍ରବାହିତ ହୋଇ ମନମୁଣ୍ଡା ପଞ୍ଚାୟତ ସାହୁପଡା ଗ୍ରାମ ନିକଟରେ ମହାନଦୀରେ ମିଶିଛି। ଏହି ଦୀର୍ଘ ନଦୀପଥ କୂଳରେ ଥିବା ପ୍ରାୟ ୨୨ଟି ଗାଁ ବର୍ଷା ଦିନେ ବିଶେଷ ପ୍ରଭାବିତ ହେଉଛନ୍ତି। ଗତ ୨୦୧୯ ମସିହା ବନ୍ୟାରେ ପାଣି ଘେରରେ ଥିବା କେତେକ ଲୋକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଥିଲା। ଓଡ୍ରାଫ ଟିମ୍‌ଙ୍କ ନିରବଛିନ୍ନ ଉଦ୍ୟମ ଯୋଗୁଁ ବନ୍ୟା ଜଳରେ ଭାସି ଯାଉଥିବା ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିଲା। ତେଲ ନଦୀରେ ଇନ୍ଦ୍ରାବତୀ ପ୍ରକଳ୍ପର ପାଣି ଆସି ଗତ ୨୭ ବର୍ଷ ହେଲା ଅବସ୍ଥାକୁ ଆହୁରି ସଙ୍ଗିନ କରିଛି। ନଈକୂଳରେ ଥାଇ ବିପଦକୁ ଆଖି ଆଗରେ ଦେଖିଥିବା ଦେଉଳି, ଫାସେଡ଼, ଗିଧାମାଲ, ଘଣ୍ଟାପଡା, ମାଣିକପୁର, ଶ୍ରୀମାଲ, ମଳିକକୁଦ, ଗମ୍ଭାରୀପଦର, କମଘାଟ, ତିଳେଇମାଲ, ଠେଲ୍କୋବେଡା, ଗୁଆବାହାଲ, ସାନ ଛପାପାଲି, ଆମ୍ବଗହଣା, ଦେଉଳି, ମନମୁଣ୍ଡା, ସାହୁପଡା ସମେତ ୨୨ଟି ଗାଁର ଅଧିବାସୀ ଆଡ଼ିବନ୍ଧ ଆଶାରେ ଗାଁ ଛାଡୁ ନାହାନ୍ତି। ଏଥିପାଇଁ ପ୍ରତ୍ୟେକ ବର୍ଷ କଣ୍ଟାମାଳ ବ୍ଲକର ହଜାର ହଜାର ଏକର ଚାଷ ଜମିରେ ବାଲିଚର ହୋଇ ଯାଉଥିବା ବେଳେ ଦୀର୍ଘ ଦିନଧରି ଜମିରେ ବନ୍ୟାଜଳ ରହି ଧାନ ଗଛ ଗୁଡିକ ପଚି ଯାଇ ନଷ୍ଟ ହୋଇଯାଉଛି। ଆଡିବନ୍ଧ ନିର୍ମାଣ ନ ହେଲେ ଆଗକୁ ପରିସ୍ଥିତି ଆହୁରି ସଙ୍ଗୀନ ହେବ ଏବଂ ଏହି ସବୁ ଗାଁ ରାଜ୍ୟ ଭୌଗୋଳିକ ମାନଚିତ୍ରରୁ ଲିଭିଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ରାଜ୍ୟ ସରକାର ବନ୍ୟା ପ୍ରଭାବିତ କ୍ଷତିଗ୍ରସ୍ତଙ୍କୁ ପ୍ରତି ବର୍ଷ କ୍ଷତିପୂରଣ ଦେବା ପରିବର୍ତ୍ତେ ଏହି ୭୦ କିମି ନଦୀକୂଳରେ ଆଡିବନ୍ଧ ନିର୍ମାଣ କଲେ କ୍ଷତିଗ୍ରସ୍ତ ଉପକୃତ ହେବା ସହିତ ସରକାରଙ୍କର ମଧ୍ୟ ଅନେକ ଅର୍ଥ ସଞ୍ଚୟ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର