କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ, ଏନ୍‌ଜିଟି ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

ଯାଜପୁର/କୋରେଇ : ଯାଜପୁର ଜିଲ୍ଲାରେ ଦୀର୍ଘଦିନ ହେଲା ଶହ ଶହ କୋଟି ଟଙ୍କାର ଲଘୁ ଖଣିଜ ମହାଦୁର୍ନୀତି କାରବାର ପ୍ରଶାସନର ସହଯୋଗରେ ଜାରି ରହିଛି। ଏହାକୁ ଚ୍ୟାଲେଞ୍ଜ କରି ବିଭିନ୍ନ ସମୟରେ ସୁପ୍ରିମକୋର୍ଟ, ହାଇକୋର୍ଟ, ଲୋକାୟୁକ୍ତଙ୍କ ଠାରୁ ଆରମ୍ଭ କରି ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ(ଏନଜିଟି)ରେ ମଧ୍ୟ ଏକାଧିକ ମାମଲା ବିଚାରଧୀନ ରହିଛି। ଏନଜିଟି ନିର୍ଦ୍ଦେଶରେ ଆଜି ଏକ ବେଆଇନ୍ ବାଲିଘାଟ ଓ ଚୋରା ବାଲିଗଚ୍ଛିତ ଘଟଣାର ତଦନ୍ତ କଲା ବେଳେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଦୃଷ୍ଟିକୁ ଅନେକ ବେଆଇନ କାରବାର ଆସିଛି। ପୂର୍ବରୁ ହୋଇଥିବା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ସେ କ୍ଷୋଭ ପ୍ରକାଶ କରିବା ସହିତ ସାନି ତଦନ୍ତ କରି ଆଇନ୍ ଅନୁଯାୟୀ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ବ୍ୟାସନଗର ତହସିଲଦାର ଓ ପ୍ରଦୂଷଣ ନିୟନ୍ତ୍ରଣ‌ ବୋର୍ଡ଼ ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଥାଉକି ୨୦୨୦ ମସିହାରେ ବ୍ୟାସନଗର ତହସିଲ ଅଧୀନ ଖରସ୍ରୋତା ନଦୀର ମସୁଦପୁର ନିକଟରେ ନିଲାମ ହୋଇନଥିବା ବେଆଇନ୍ ବାଲି ଘାଟରୁ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେବା ସହିତ ନିକଟରେ ମଧ୍ୟ ବ୍ୟାପକ ପରିମାଣ ଚୋରା ବାଲି ଗଚ୍ଛିତ ରଖାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ସଚେତନ ନାଗରିକ ଓ ପରିବେଶ ସଚେତନ ଲୋକ ତତ୍କାଳୀନ ବ୍ୟାସନଗର ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ତତ୍କାଳୀନ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଲୋକମାନଙ୍କ କଥାକୁ ସେପରି ଗୁରୁତ୍ବ ନଦେଇ ବାଲି ‌ବ୍ୟବସାୟୀଙ୍କୁ ଆଇନ୍‌ର ଗଳା ବାଟରେ ସହଯୋଗ କରିଥିବା ଲୋକମାନେ ଅଭିଯୋଗ କଲେ। ଏପରିକି ନ୍ୟାୟ ପାଇବା ପାଇଁ ଏନଜିଟିର ଦ୍ବାରସ୍ଥ ହୋଇଥିଲେ। ‌ଏନଜିଟି ନିର୍ଦ୍ଦେଶ ବଳରେ ଜିଲ୍ଲାପାଳ ଶ୍ରୀ ରାଠୋର ଏକ ପ୍ରତିନିଧି ଦଳ ସହିତ ଆଜି ଘଟଣାସ୍ଥଳରେ ପହଞ୍ଚି କୋଟି କୋଟି ଟଙ୍କାର ଚୋରାବାଲି ଘାଟ ଓ ଗଚ୍ଛିତ ଚୋରା ବାଲି ଦୁର୍ନୀତି ସମ୍ପର୍କରେ ଶୁଣିଥିଲେ। ପୁନର୍ବାର ସଠିକ ତଦନ୍ତ କରିବା ସହିତ ବାଲି ଗଚ୍ଛିତ ରଖିଥିବା ଲକ୍ଷ୍ମୀଧର ମହାନ୍ତି(ଜାରକା)ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ଜିଲ୍ଲାପାଳ ଶ୍ରୀ ରାଠୋର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର