ଗ୍ରାମୀଣ ଡାକସେବକଙ୍କୁ ପେନସନ୍ ପ୍ରସଂଗ: କେନ୍ଦ୍ର ସରକାରଙ୍କ ନିକଟରୁ ଜବାବ ତଲବ

କଟକ : ଗ୍ରାମୀଣ ଡ଼ାକ ସେବକଙ୍କୁ ପେନସନ୍ ମାମଲାରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ (କ୍ୟାଟ୍) କେନ୍ଦ୍ର ଡାକ ବିଭାଗ ସଚିବ, ଡାକ ମହାନିର୍ଦ୍ଦେଶକ, ଓଡ଼ିଶା ସର୍କଲ ମୁଖ୍ୟ ମହା ଡାକପାଳ, ପୋଷ୍ଟାଲ ଆକାଉଣ୍ଟ ନିର୍ଦ୍ଦେଶାଳୟ, ଡାକ ଅଧୀକ୍ଷକ ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ୬୫ ବର୍ଷ ବୟସରେ ଚାକରିରୁ ଅବସର ନେଇଥିବା ଗ୍ରାମୀଣ ଡାକ ସେବକଙ୍କୁ କାହିଁକି ପେନସନ୍ ପ୍ରଦାନ କରାଯିବ ନାହିଁ ସେ ନେଇ ଜବାବ ରଖିବାକୁ କ୍ୟାଟ୍ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ନୃସିଂହଚରଣ ବାରିକ ଓ ଅନ୍ୟ ୯ ଜଣ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। କିନ୍ତୁ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଅବସର ପରେ ଏହି ଗ୍ରାମୀଣ ଡାକ ସେବକଙ୍କୁ ପେନସନ୍ ପ୍ରଦାନ କରାଯାଉ ନାହିଁ। ଡାକ ବିଭାଗର ଅନ୍ୟ କର୍ମଚାରୀଙ୍କ ଭଳି ଗ୍ରାମୀଣ ଡାକ‌ ସେବକମାନେ ମଧ୍ୟ ନିୟମିତ ଭାବେ ନିଜ ଦାୟିତ୍ବ ସଂପାଦନ କରି ଅବସର ଗ୍ରହଣ କରିଥିବା ବେଳେ ସେମାନଙ୍କୁ ପେନସନ୍ ପ୍ରଦାନ କରା ନ ଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଗ୍ରାମୀଣ ଡାକ ସେବକଙ୍କ ଅବସର ବୟସ ୬୫ ବର୍ଷ ହୋଇଥିବା ବେଳେ ଅଧିକାଂଶ ଆବେଦନକାରୀ ୩୦ରୁ ୩୮ ବର୍ଷର କାର୍ଯ୍ୟକାଳ ପରେ ଅବସର ଗ୍ରହଣ କରିଥିଲେ। କିନ୍ତୁ ସେମାନଙ୍କୁ ପେନସନ୍ ଦିଆଯାଉ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ବିଧବା ଓ ଭିନ୍ନକ୍ଷମଙ୍କୁ ପେନସନ୍ ପ୍ରଦାନ କରୁଥିବା ବେଳେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରୁଥିବା ଏହି ଗ୍ରାମୀଣ ଡାକ ସେବକଙ୍କୁ ମଧ୍ୟ ପେନସନ୍ ଦିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ପଞ୍ଜାବ ଓ ହରିୟାନା ହାଇକୋର୍ଟ ସହିତ ଦିଲ୍ଲୀସ୍ଥିତି କ୍ୟାଟ୍ ପ୍ରମୁଖ ଖଣ୍ଡପୀଠର ରାୟ ଗ୍ରାମୀଣ ଡାକ ସେବକଙ୍କୁ ପେନସନ୍ ପ୍ରଦାନ ସପକ୍ଷରେ ରହିଥିବା ବେଳେ କେନ୍ଦ୍ର ସରକାର ଏହି ପ୍ରସଂଗକୁ ବିଚାରକୁ ନିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସତ୍ୟଜିତ ବେହେରା ଓ ସ୍ବୟଂପ୍ରଭୁ ଜେନା ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର