ଆବାସ ନିର୍ମାଣ ପାଇଁ ଶ୍ରମିକ ସାଜିଲେ ପିଇଓ, ଜିଲ୍ଲା ପ୍ରଶାସନ କହିଲା, ‘ହିରୋ ଅଫ୍‌ ଦି ଡେ’

ଯାଜପୁରଟାଉନ : ଧାର୍ଯ୍ୟ ସମୟରେ ଆବାସ ‌େଯାଜନାରେ ଘର କାମ ସାରିପାରୁ ନ ଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଭିନ୍ନ ଢଙ୍ଗରେ ଅଣ୍ଟା ଭିଡ଼ିଛନ୍ତି ଯାଜପୁରର ଜଣେ ସରକାରୀ ଅଧିକାରୀ। ନିଜେ ଶ୍ରମିକ ସାଜି ବାଲି, ସିମେଣ୍ଟ ବୋହିଛନ୍ତି। ପୂର୍ବରୁ ସରକାରୀ ଅଧିକାରୀ ହିତାଧିକାରୀଙ୍କ ଘର ସାମ୍‌ନାରେ ଧାରଣାରେ ବସୁଥିଲେ। ଏହି ଘଟଣା ଏବେ ସେଥିରେ ଯୋଡ଼ି ହୋଇଯିବାର ସହିତ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ପୃକ୍ତ ସରକାରୀ ଅଧିକାରୀ ହେଉଛନ୍ତି, ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ନଛିପୁର ଓ ଉଚ୍ଚବାଲି ପଞ୍ଚାୟତ ଦାୟିତ୍ବରେ ଥିବା ପିଇଓ ଚିତ୍ତରଞ୍ଜନ ରାଉତ। ଶ୍ରୀ ରାଉତ ୨୦୧୯-୨୦ ଆର୍ଥିକ ବର୍ଷରେ ଦାନଗଦୀ ବ୍ଲକ୍‌ ନଚ୍ଛିପୁର ପଞ୍ଚାୟତର ଦୁଇ ହିତାଧିକାରୀ ଜଗନ୍ନାଥ ଡାକୁଆ ଓ ବଳଦେବ ଡାକୁଆଙ୍କ ନିକଟରେ ପହଞ୍ଚିଥିଲେ। ଶ୍ରମିକ ଅଭାବରୁ ଦୁହେଁ ଘର ତୋଳି ପାରୁନଥିବା ଜାଣିପାରୁନଥିଲେ। ଶ୍ରୀ ରାଉତ, ଏଥିରେ ଦୁହିଁଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ। ମଧ୍ୟସ୍ଥି ସାଜି ସିମେଣ୍ଟ, ବାଲି, ରାଜମିସ୍ତ୍ରି ବ୍ୟବସ୍ଥା କରିବା ସହିତ ନିଜେ ମଧ୍ୟ ଶ୍ରମିକ ସାଜିଥିଲେ। ମାଙ୍କଡ଼ା ପଥର ଭାର ବୋହିବା ସହ ବାଲି ସିମେଣ୍ଟ୍‌ ଗୋଳାଇ ବୋହି ନେଇଥିଲେ।

ଏହା ଜାଣିବା ପରେ ଜିଲ୍ଲା ପ୍ରଶାସନ ଶ୍ରୀ ରାଉତଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ପିଇଓ ଶ୍ରୀ ରାଉତଙ୍କୁ ‘ହିରୋ ଅଫ୍ ଦି ଡେ’ ଭାବେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର